କବିତା

ଜନ୍ମ ମୃତ୍ୟୁ ପରିଧି ବେଷ୍ଟିତ ଏ ଜୀବନ

Ramakant Mishra's odia poem Janma Mrutyu Paridhi Beshtita E Jeebana

କେତେ ଶାନ୍ତ,
କେତେ ସରଳ,
ସ୍ରଷ୍ଟାଙ୍କର ଏ ସୃଷ୍ଟି ପ୍ରକ୍ରିୟା !
କିନ୍ତୁ କେତେ ଜଟିଳ,
କେତେ ଦୁର୍ଭେଦ୍ୟ
ଆମର ଏ ସାମାଜିକ ବନ୍ଧନ ?

ଜନ୍ମ ମୃତ୍ୟୁ ପରିଧି ବେଷ୍ଟିତ ଏ ଜୀବନ

ଆତ୍ମ ପ୍ରତ୍ୟୟର ଅବକାଶ କାହିଁ
ଏ ସାମାଜିକ ପରିପ୍ରେକ୍ଷୀରେ ?
ଏହି ସାମାଜିକ ବନ୍ଧନ ଯେଉଁଠି
ଆମେ ଅତିବାହିତ କରୁ
କୋମଳମତି ଶିଶୁର ଜୀବନ,
ବର୍ଦ୍ଧିଷ୍ଣୁ କୈଶୋର,
ତେଜୋଦୀପ୍ତ ତାରୁଣ୍ୟ
ଆଉ ତାପରେ ଅତିବାହିତ ହୁଏ
ଜରାର ଜୀବନ ।
ତା’ ପରେ ? …. ତା’ ପରେ ??
ମୃତ୍ୟୁର ଆଲିଙ୍ଗନକୁ ନୀରବରେ
ଅପେକ୍ଷା କରୁ ଆମେ ସବୁ
ମୃତ୍ୟୁ ଯିଏ ଆମକୁ ବିଛିନ୍ନ କରେ
ଏ ସଂକୀର୍ଣ୍ଣ ସାମାଜିକ ବନ୍ଧନ ଭିତରୁ ।

କେତେ ଶାନ୍ତ,
କେତେ ସରଳ,
ସ୍ରଷ୍ଟାଙ୍କର ଏ ସୃଷ୍ଟି ପ୍ରକ୍ରିୟା !
କିନ୍ତୁ କେତେ ଜଟିଳ,
କେତେ ଦୁର୍ଭେଦ୍ୟ
ଆମର ଏ ସାମାଜିକ ବନ୍ଧନ ?
ଯେଉଁ ସମାଜରେ ଆମେ ନୀତି
କାଳାତିପାତ କରୁ ତାକୁ ନେଇ –
କେତେ କେତେ ଦୁର୍ଭାବନା ଜନ୍ମ ନିଏ
ମୃତ୍ୟୁ କିନ୍ତୁ ଶାନ୍ତି ବାରି ବଷଣ କରି
ଟାଣିନିଏ ତାର ଚିର ଶାନ୍ତମୟ କୋଳକୁ ।
ତେବେ ? … ତେବେ ?? …
କାହିଁକି ଆମେ ଦୁର୍ଭାବନର ଶିକାର ହେବା?
କାହିଁକି ଆମେ ବାନ୍ଧିବାନି ଏ
ସମୟର ସମୁଦ୍ର ଉପରେ
ଏକ ଚିରନ୍ତନ ଶାନ୍ତିର ସେତୁ ?
ମାୟା, ମୋହ, ଲୋଭ, ଛଳ, ପ୍ରପଞ୍ଚ
ଆଦି ରିପୁକୁ ଦମନ କରି
ଜିଇଁ ଥିବା ଅବସ୍ଥାରେ ହିଁ
କାହିଁକି ନ ଦେବା କବର ?
ସବୁ ଯଦି ଅସତ୍ୟ,
ସବୁ ଯଦି ଅସାର,
ମୃତ୍ୟୁ ପରେ ଯଦି
କାହାରି କିଛି ଅସ୍ତିତ୍ୱ ନାହିଁ
ତେବେ ଜୀବନ୍ତ ଅବସ୍ଥାରେ
ଏ ଅହମିକା କାହିଁକି ?
ଏ କାହିଁକିର ଉତ୍ତର ସର୍ବମାନ୍ୟ ନୁହେଁ ।

ଏ ସଂସାର ସାଙ୍ଗ ବିହୀନ
ସାଙ୍ଗ ନାହିଁ, ସୁଖ ନାହିଁ –
ସାଙ୍ଗ ସୁଖ ସବୁ ସ୍ୱାର୍ଥର ବିରାଟ ପ୍ରତୀକ !
ବୁଝାଯାଏ ନାହିଁ ସୃଷ୍ଟିକର୍ତ୍ତାଙ୍କର
ଏ ବିରାଟ ଦୁନିଆର ମହାନ ଅସ୍ତିତ୍ୱ !!
ସାଙ୍ଗ ସବୁ ସ୍ୱାର୍ଥ ଯଦି,
ନାରୀ ସବୁ ମାୟା ଯଦି,
ପିତା ମାତା, ଭ୍ରାତା ଭଗିନୀ,
ବନ୍ଧୁ ପରିଜନ ମୋହ ଯଦି
ଏକକ ବ୍ୟକ୍ତିର ଅସ୍ତିତ୍ୱ କାହିଁ ?
କେଉଁଠାରେ ଏ ବିଶ୍ୱରେ ??
ବ୍ୟକ୍ତି ତେବେ ବଞ୍ଚିବ କ’ଣ
ନିଜର ଅସ୍ତିତ୍ୱ କୁ ଧରି ?
ମୃତ୍ୟୁ କୁ ଆଲିଙ୍ଗନ କରି ??
ଅହଂ ସର୍ବସ୍ୱ ହୋଇଯିବ ତେବେ
କ’ଣ ବ୍ୟକ୍ତିର ବ୍ୟକ୍ତିତ୍ୱ ???

“ସାଧୁର ଜୀବନ ଦରପଣ
ଧରି ଗଢ଼ିବୁ ଆମ ଜୀବନ”
କିନ୍ତୁ ସାଧୁ କିଏ ?
ସାଧୁର ପରିଭାଷା କ’ଣ ? …
ମୁନିନାଞ୍ଚ ମତିଭ୍ରମ ।
ଗାନ୍ଧୀ ଯଦି ସାଧୁ ତେବେ
ନାଥୁରାମ୍‌ ଗଡ଼୍‌ସେ କ’ଣ ?
ପଥ ଭିନ୍ନ – ଲକ୍ଷ୍ୟ ଏକ
ପୁଣି ଯେବେ ତର୍କର ଝଡ଼ ଉଠେ ।
ଦୁର୍ନୀତି ପରାୟଣ ଦୁନିଆ ଯଦି
ସୁନୀତି କରେ କିଏ ?
କମିଶନ୍‌ ବସେ ଯେବେ
ଅଭିଯୋଗର ଉତ୍ତର ସହସ୍ର କେ.ଜି ହୁଏ
କାଗଜର ଏ ମାହାଙ୍ଗା ବଜାରେ ।

ଜନ୍ମ ଯଦି ସତ୍ୟ, ମୃତ୍ୟୁ ଯଦି ସତ୍ୟ
ତେବେ ଜୀବନଟା ସାରା ଜଳିବା
କାହିଁକି ଅସତ୍ୟର ଅଗ୍ନିରେ ।
ଆସ ବନ୍ଧୁ, ଆସ ସଖା,
ଭୁଲି ସବୁ ଆତ୍ମ ଅଭିମାନ,
ମିଳିତ ହୋଇ ଗାଇବା
ସେହି ସର୍ବମାନ୍ୟ ସ୍ରଷ୍ଠାଙ୍କର
ରଚିତ ଏ ଶାଶ୍ୱତ ସଂସାର ଜୟଗାନ ।

ଲୋକପ୍ରିୟ ଲେଖା

To Top