ଜରା ନିବାସ ଏକ ଜୀର୍ଣ୍ଣ ଗ୍ରନ୍ଥାଗାର
ଯେଉଁଠି ଅଛନ୍ତି ପୁରୁଣା ଉପନ୍ୟାସ ମାଳ ମାଳ
ଯାହାର ପୁରୁଣା ଉପନ୍ୟାସ ଉପରେ
ଗବେଷଣା କରିବାକୁ ଇଚ୍ଛାଥିବ ସେ
ନିଶ୍ଚିତରେ ଯିବ ଜରା ନିବାସ ଗ୍ରନ୍ଥାଗାର ।
ଏବେ ନୂତନ ଗ୍ରନ୍ଥାଗାରରେ କେହି ଆଉ
କାହ୍ନୁ ଚରଣଙ୍କ ଉପନ୍ୟାସ କୁ ଖୋଜି ପାଇବକି ?
ତାଙ୍କର ସେ ଚରିତ୍ର ସବୁ ମରି ହଜି ଗଲେଣି
ଆଉ କିଛି ଦିନ ପରେ କଥା ସମ୍ରାଟ –
ବିଭୁତି ପଟ୍ଟନାୟକ ଲୁଚି ଯିବେ କେତେବେଳେ ।
ଗ୍ରନ୍ଥାଗାରରେ ବହି ସବୁ ବଢି ବଢି ଚାଲୁଛି
କିନ୍ତୁ ପୁରାତନ ବହି ସବୁର ଆଦର କମି ଯାଉଛି
ନୂତନ ଆସେ ପୁରାତନକୁ ସ୍ଥାନ ଚ୍ୟୁତ କରିବାକୁ
ଏହା ସନାତନ ସତ୍ୟ ଏହାକୁ ଗ୍ରନ୍ଥାଗାର ଅବା
ଦୂର କରିବାକୁ ସକ୍ଷମ ହେବ ବା କିପରି ?
ଜରା ନିବାସ ଗ୍ରନ୍ଥାଗାରର ବହି ସବୁ ଜୀବନ୍ତ
ସେମାନଙ୍କ ଆଖିରେ ଜ୍ୟୋତି ନାହିଁ
ଜୀବନର ଅନୁଭୂତି ତାଙ୍କ ଆଖିରୁ ବାରି ହେଉଛି
ଆଖି ସବୁ ଛୋଟ ଛୋଟ, ପେଜୁଆ, ପାଣି ପୂର୍ଣ୍ଣ
ଭଲ କରି ଦେଖା ନ ଯାଉ ଥିଲେ ବି
ସବୁ କିଛି ଦେଖି ନବାର ପ୍ରଲୋଭନ
ହାତ ବଢ଼ାଇ ସବୁ କିଛି ଜାଣି ବାର ଆଗ୍ରହ ।
କଥା ହେଲେ ଜଣେ ଜଣେ ଜରା ନିବାସୀ ସହିତ
ମିଳି ଯିବ ଅନେକ ଉପନ୍ୟାସ ଲେଖିବାର ସୂତ୍ର
ଅନୁଭୁତିର ବେଦନାରେ ସିକ୍ତ ହେବ କେତେ ଚରିତ୍ର
ସବୁ କିଛି ଲେଖି ହେବ ନାହିଁ ଚେଷ୍ଟା କରି ମଧ୍ୟ
ଲେଖିଦେଲେ କୋହ ସମ୍ଭାଳି ହେବ ନାହିଁ ।
ଯଦି ଉପନ୍ୟାସ ପାଠ କରିବାର ଆଗ୍ରହ ଥାଏ
ଯଦି ଲେଖା ଲେଖି କରିବାର ଆଗ୍ରହ ଥାଏ
ଥରେ ଯାଇ ଜରା ନିବାସର ପ୍ରତି ଏକ ଚରିତ୍ରର
ଅନୁଶୀଳନ କର, ସମବ୍ୟଥିତ ହୋଇ ଶ୍ରବଣ କର
ମିଳି ଯିବ ଚିରନ୍ତନ ଲେଖନୀର ଆଧାର ।