କବିତା

ଜୀବନ ଗଣିତ

Surendra Kumar Behera's odia poem Jeebana Ganita

ମୋ ଜୀବନର ଯେତେସବୁ
ଜଟିଳ ଗଣିତ, ପାଇବାକୁ
ଦୁଃଖ, ଦୁର୍ଦ୍ଦଶା ଆଉ
ଯନ୍ତ୍ରଣାର ସଠିକ୍ ଉତ୍ତର !

ଜୀବନ ଗଣିତ

ମନ ଆଉ ହୃଦୟର ଖଡ଼ିରେ
ଭାଗ୍ୟକୁ କଳାପଟା କରି
କଷି ଚାଲିଛି ମୁଁ !
ମୋ ଜୀବନର ଯେତେସବୁ
ଜଟିଳ ଗଣିତ, ପାଇବାକୁ
ଦୁଃଖ, ଦୁର୍ଦ୍ଦଶା ଆଉ
ଯନ୍ତ୍ରଣାର ସଠିକ୍ ଉତ୍ତର !

କିନ୍ତୁ କାହିଁ ମିଳିଲା ନାହିଁ ତ
ଏ ଯାଏଁ ଜୀବନର ପ୍ରକୃଷ୍ଟ ସଂଜ୍ଞା !
ଜୀଇଁବାର ବୁନିଆଦିପରେ
ପାଇବା ନ ପାଇବାର
ମହୁଲି ନିଶାରେ ଉବୁଟୁବୁ ହୋଇ
ଜୀବନର ଅଙ୍କ କଷୁ କଷୁ
ଦିସ୍ତା ଦିସ୍ତା କେତେ ଯେ
କାଗଜ ସରିଛି, କେତେ କାଳିକୁ
ଯେ କଲମ ପିଇଛି. . .
କିଏ ବା ଏ କଥା ଜାଣିଛି ?

ଜୀବନର ଐକିକ ଧାରାରେ
ବାଟ ଚାଲୁ ଚାଲୁ, ମିଶାଇଥିଲି
ମୁଁ, ସ୍ୱପ୍ନକୁ ପାଇବାର
ଦୁର୍ବାର ଆଶାରେ ! !
ଫେଡ଼ିଥିଲି ବିଶ୍ୱାସକୁ
ସମୟର ମିଶ୍ର ଭଗ୍ନାଂଶରୁ
ଆଉ ମନକୁ ! ବିବେକରୁ,
ସୁଖକୁ ଦୁଃଖରୁ !

ପୁଣି ଗୁଣିଥିଲି ଜୀବନକୁ
ଯନ୍ତ୍ରଣାର ପ୍ରତିଟି
ଦଶମିକ ସଂଖ୍ୟାରେ,
କର୍ମକୁ ଧର୍ମର ମୂଲ୍ୟବୋଧରେ
ହସକୁ ଖୁସିରେ. . .
ଯୁକ୍ତ ବିଯୁକ୍ତ ଚିହ୍ନ ଦେଇ !

ଆଉ ହରିଥିଲି ଆୟୁଷକୁ ଭାଜ୍ୟ କରି
ଜୀବନର ଭାଜକରେ, କିନ୍ତୁ !
ଛିଣ୍ଡିଲାନି ଆଉ ସେ ଅଛିଣ୍ଡା ଗଣିତ
ମିଳିଲାନି ତା’ର ଭାଗ୍ୟଫଳ,
ଅଧୁରା ସ୍ୱପ୍ନ ହୋଇ ଖାଲି
ରହିଗଲା ଯେତେ ଭାଗଶେଷ
ଆଉ ଭାଗଶେଷ ! !

ଲୋକପ୍ରିୟ ଲେଖା

To Top