କବିତା

ଜୀବନ ନାଆ

Ramakant Mishra's odia poem Jeebana Naaa

ସୁଖ ସବୁ କ୍ଷଣିକ,
ଦୁଃଖ ସବୁ କ୍ଷଣିକ,
ନିରାଶା ସବୁ କ୍ଷଣିକ,
ଜୀବନର ପ୍ରତି କ୍ଷଣରେ
ଦ୍ୱନ୍ଦ୍ୱ ହିଁ ହୋଇଛି ବର୍ତ୍ତମାନ ।

ଜୀବନ ନାଆ

ଜୀବନ କୁ ବିସ୍ତୃତ କାନ୍‌ଭାସ୍‌ରେ
ସଜାଇକି ବିଛାଇଦେଲେ
ସୁଖ ଆଉ ଦୁଃଖ ସବୁ
ଚକ୍ର ଭଳି ଘୁରୁଥିବା ଦେଖାଯାଏ ।

ସୁଖ ସବୁ କ୍ଷଣିକ,
ଦୁଃଖ ସବୁ କ୍ଷଣିକ,
ନିରାଶା ସବୁ କ୍ଷଣିକ,
ଜୀବନର ପ୍ରତି କ୍ଷଣରେ
ଦ୍ୱନ୍ଦ୍ୱ ହିଁ ହୋଇଛି ବର୍ତ୍ତମାନ ।

ସୁଖ ଆଉ ଦୁଃଖ ଭୋଗର
ସମୟ ସୀମାକୁ ନେଇ
ଆନନ୍ଦ ଆଉ ନିରାନନ୍ଦ ର
ଦୂରତ୍ୱ କୁ ନେଇ,
ମେଘୁଆ ଆକାଶ ରେ
ବିଜୁଳି ଝଟକିଲା ଭଳି
ସୁଖ ଦୁଃଖ ଆସି କ୍ଷଣକେ
ଝଲସି ଯାନ୍ତି ସେହିପରି ।

କୌଣସି ମୁହୂର୍ତ୍ତକୁ,
କୌଣସି କ୍ଷଣକୁ,
ଗୁରୁତ୍ତ୍ଵ ଦେଇ ଜୀବନ ସାରା
ଧରି ରଖିବାର ଆବଶ୍ୟକତା ନାହିଁ ।

ଜୀବନ ବହୁତ ବିଶାଳ
ଅଭିଜ୍ଞତାର ଗନ୍ତାଘର,
“ଯେ ପକ୍ଷୀ ଉଡେ ଯେତେ ଦୂର
ସେ ଜାଣେ ତାର ବେଭାର ”
ପଚାର ଯାଇଁ ତାଙ୍କୁ ଯେ
ଭୋଗୀ ସାରିଛନ୍ତି ଜୀବନ,
ଜୀବନର ଉତ୍ତର, କ୍ଷଣରେ
କରିଦେବେ ସମାଧାନ
କହିଦେବେ ଜୀବନରେ
ସୁଖ ଦୁଃଖ ର କେତେ ବ୍ୟବଧାନ ।

ଅତି କ୍ଷଣିକ, ଅତି ନଗଣ୍ୟ
ବିଭିନ୍ନ ରଙ୍ଗ ଭିତରେ
ବାରିହେବା କଷ୍ଟକର
କୌଣସି ଏକ ରଙ୍ଗର
ଏଇଠି ସୁଖ, ଏଇଠି ଶାନ୍ତି
ଏଇଠି ଦୁଃଖ, ଏଇଠି ଅଶାନ୍ତି
ଏଇଠି ପାପ,ଏଇଠି ପୁଣ୍ୟ
ଏଇଠି ସ୍ୱର୍ଗ, ଏଇଠି ନର୍କ
ସବୁମିଶି ହୋଇଯିବ ଏକାକାର ।

ବିସ୍ତୃତ କାନ୍‌ଭାସ୍‌ରୁ
ଖୋଜି ବାହାର କରିବା
ଗୋଟିଏ ଏକାକୀ ଫୁଲର ଝଲକ
ଗୋଟିଏ ସାମାନ୍ୟ ଗାତର ଗଭୀରତା ।
ଗୋଟିଏ ସମ୍ମାନ ର ଉଚ୍ଚତା
ଗୋଟିଏ ଆନନ୍ଦ ର ଆଦ୍ରତା
ବିଚିତ୍ର ଏ ସୃଷ୍ଟି, ବିଚିତ୍ର ସେ ସ୍ରଷ୍ଠା !
ଲାଗି ରହିଛି ନିରନ୍ତର
ବିଚିତ୍ର ସ୍ରଷ୍ଠାଙ୍କର
ସୃଜନ ସମାହାର,
ଅଜସ୍ର କାନ୍‌ଭାସ
ଅଜସ୍ର ରଙ୍ଗ
ଅଜସ୍ର ପରିକଳ୍ପନା
ନାହିଁ କୌଣସିଟିର
କିଛି ବି ସମାନତା !

କେଉଁଠୁ ପାଇଲେ ଏତେ କାନ୍‌ଭାସ୍‌ ?
କେଉଁଠୁ ପାଇଲେ ଏତେ ରଙ୍ଗ ?
କେଉଁଠୁ ପାଇଲେ ଏତେ ବିଷୟ ବସ୍ତୁ ?
କେତେବେଳେ ଆଙ୍କିଲେ
ଏତେ ସବୁ ଚିତ୍ର ?
ସେ ପୁଣି ଚାଲିଛି ନିରନ୍ତର
ନାହିଁ ତାହାର ଆଦି
ନାହିଁ ତାହାର ଅନ୍ତ
ଚାଲିଛି ସେ ନିରନ୍ତର
ମନେ ହୁଏ ପ୍ରହେଳିକା ପରି !

ଜୀବନଟା କିନ୍ତୁ
ପ୍ରହେଳିକା ନୁହେଁ
ଭୋଗିବାକୁ ହୁଏ ତାକୁ
ଗୋଟା ଜୀବନଟା ଦେଇ
ତାହାହିଁ ସୃଷ୍ଟିର ପ୍ରକ୍ରିୟା
ସେ ପ୍ରକ୍ରିୟାରେ, ପଶିଗଲେ ଥରେ
ଅଧାରୁ ବାହାରିବା ବାଟ ନାହିଁ,
ପ୍ରକ୍ରିୟା ସରିବ ତାର
ଚକ୍ରଗତି ସମୟାନୁଯାୟୀ ।

ବନ୍ଧୁ ! ଜୀବନର ଚକ୍ରଗତିରେ
ମୁହୂତ୍ତ ଗୁଡିକର ମୂଲ୍ୟ କିଛି ନାହିଁ
ଅଟକେନି କୌଣସି ମୁହୂତ୍ତରେ ଜୀବନଟା !
ଜୀବନ ମୁହୂର୍ତ୍ତ ର ସମାହାର
କିନ୍ତୁ ଖାଲି ମୁହୂର୍ତ୍ତ ର ସମାହାରରେ
ଜୀବନ ସୃଷ୍ଟି ହୁଏ ନାହିଁ !
ଅଦ୍ଭୁତ ପ୍ରହେଳିକା ଏ
ଶକ୍ତି ଆମର ନାହିଁ,
କ୍ଷଣିକ ସବୁକୁ ସାଇତି ରଖି
ଜୀବନ ନାଆ କୁ ଯିବା ଚଳାଇ ।

ଲୋକପ୍ରିୟ ଲେଖା

To Top