କବିତା

ଜୀବନର ଧାରେ ଧାରେ

Nirupama Swain's odia poem Jeebanara Dhaare Dhaare

ଏଇ କ’ଣ ମୋ ଆକାଂକ୍ଷାର ନୀତି ?
ପ୍ରତୀକ୍ଷାର ଯହିଁ ଅନ୍ତ ହୁଏ ନାହିଁ
ଏଇ କ’ଣ ସତେ ସେଇ ଚାଲିବାର ରୀତି ?
ଯନ୍ତ୍ରଣାର ପଥ ଯହିଁ କେବେ ଶେଷ ହୁଏ ନାହିଁ ।

ଜୀବନର ଧାରେ ଧାରେ

ଏଇ କ’ଣ ମୋ ଜୀବନର ଗତି ?
ସ୍ୱପ୍ନ ଯଦିଁ, ମୋ ସାଥେ ଲୁଚକାଳି ଖେଳେ
ଏଇ କ’ଣ ମୋ ଆଶାର ପୀରତି ?
ସୁଖ ଜହ୍ନ ଲୁଚେ, ଯହିଁ ଦୁଃଖର ବଉଦ ତଳେ ।

ଏଇ କ’ଣ ମୋ ଆକାଂକ୍ଷାର ନୀତି ?
ପ୍ରତୀକ୍ଷାର ଯହିଁ ଅନ୍ତ ହୁଏ ନାହିଁ
ଏଇ କ’ଣ ସତେ ସେଇ ଚାଲିବାର ରୀତି ?
ଯନ୍ତ୍ରଣାର ପଥ ଯହିଁ କେବେ ଶେଷ ହୁଏ ନାହିଁ ।

ଏଇ କ’ଣ ଜୀବନ ମରୁର ଭୀଷଣ ତାତି
ପାଦକୁ ନୁହେଁ, ହୃଦୟକୁ ପୋଡ଼ି ଦେଉଥାଏ
ଏଇ କ’ଣ ସେଇ ମିଛ ମରୀଚିକା ଛାଇ
ଆଖି ସହ ମନକୁ ବି କାବୁ କରିନିଏ ।

ଏଇ କ’ଣ ସପନର ମିଛ ବାଲିଘର
ସ୍ଥିତି ଯା’ର କେବଳ ନିମିଷେକ ପାଇଁ
ଏଇ କ’ଣ ସେଇ ଅଭୀପ୍ସା ମୋ ହୃଦୟର
ନିତି, କାନ୍ଦି ମରେ ଯାହା ପାଇଁ ।

ଏଇ କ’ଣ ବନ୍ଧୁତ୍ୱର ସେଇ ଅତୁଟ ବନ୍ଧନ
ଆଜି ଧୋକ୍କା ଦିଏ କାହିଁ ଲୁଚି ରହି
ଏଇ କ’ଣ ସେଇ ସ୍ୱଦେଶ ଗୋଲାମ
ଅକାରଣେ ପାଲଟିଯାଏ ହୋଇ ଦେଶଦ୍ରୋହୀ ।

ଏଇ କ’ଣ ମିଥ୍ୟାର ସେ ପ୍ରବାଳ ପ୍ରାଚୀର
ଚିକ୍‌ଚିକ୍ କରି ମନକୁ ଭ୍ରମରେ ପକାଏ
ଏଇ କ’ଣ ସତ୍ୟର ତୀକ୍ଷ୍ଣ ନଜର
ସ୍ଥିତି ଯା’ର ଆଜି କାହିଁ ଲୁଚିଯାଏ ।

ଏଇ କ’ଣ ସେନେହର ପ୍ରକାଣ୍ଡ ପ୍ରାଚୀର
ସଦା ଖାଲି ଆଜି ସ୍ୱାର୍ଥାନ୍ୱେଷୀ ହୋଇଯାଏ
ଏଇ କ’ଣ ସତେ ଶୁଦ୍ଧ ପ୍ରେମର ବିଚାର
ଅନ୍ଧତ୍ୱର ଧାର ବାହି ଦୁନିଆଁକୁ ଶୁପ୍ତ କରିଦିଏ ।

ଏଇ କ’ଣ ଦୁଃଖୀ ମାଆର ସପନ
ଆଜି ଲୁହଧାର ହୋଇ ବହିଯାଏ,
ଏଇ କ’ଣ ସତେ ସେଇ ଆଶାବାଦୀ
ନୀତି ଏକ ପିତାର
ଆଜି ପ୍ରତିକ୍ଷଣେ ନିଜଠାରୁ ଯିଏ ଭରସା ତୁଟାଏ ।

ଏଇ କ’ଣ ସ୍ୱପ୍ନ ସୁନ୍ଦରୀ କୋମଳାଙ୍ଗୀ ଲଳନାର
ଯାହା ଲୋଭାତୁର ସମାଜର ବଶବର୍ତ୍ତୀ ହୁଏ,
ଏଇ କ’ଣ ତା’ ସପନର ଜଉଘର
ଯିଏ ଯୌତୁକ ନିଆଁରେ ଜଳି ଛାରଖାର ହୁଏ ।

ଏଇ କ’ଣ ଭବିଷ୍ୟ ଏକ ଉଚ୍ଚ ଆଶାବାଦୀ ଛାତ୍ରର
ପରୀକ୍ଷାର ନିଷ୍ଠୁର ବାତାବରଣରେ ଲୁଚିଯାଏ
ଏଇ କ’ଣ ତା’ ଜୀବନର ଗତିର ସ୍ୱରୂପ
ଚାରିକାନ୍ଥ ବେଷ୍ଟନୀରେ ଯିଏ ଲୁଚି ରହିଯାଏ ।

ସତରେ ଏଇ ଆଜି ଆମର ପ୍ରକୃତ ସ୍ୱରୂପ
ନିଜେ ନିଜକୁ ସଦା ଡରୁଥାଏ
ଅହଙ୍କାର ଆଉ ମିଛ ଅହମିକା ନେଇ
ନିଜ ମଥାକୁ ନିଜେ ନୁଆଁଉଥାଏ ।

ଲୋକପ୍ରିୟ ଲେଖା

To Top