କବିତା

ଜୀବନର ଜିଜୀବିଷା

Surendra Kumar Behera's odia poem Jeebanara Jijeebishaa

ଆଉ କେତେ ଦିନ ?
ଶିକ୍ଷାକୁ ବସ୍ତୁବାଦୀ ଚେତନାର
ଶକ୍ତି ସାମର୍ଥରେ ରଙ୍ଗାଇ, ମଜାଇ
ପରୀକ୍ଷାର ଜୁଆ ଖେଳେ. . .

ଜୀବନର ଜିଜୀବିଷା

ବିଦ୍ୟାର୍ଥୀଙ୍କ ମୁଣ୍ଡରେ
ପରୀକ୍ଷାର ଲୌହ ଶିକୁଳି ବାନ୍ଧି
ଆଉ କେତେ ଦିନ ?
ଏ ଦେଶରେ ବଡ଼ଦାଣ୍ଡେ
ଟାଣି ଚାଲିଥିବ,
ସ୍ୱାର୍ଥ-କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥାର
ନନ୍ଦିଘୋଷ ରଥ ।

ଆଉ କେତେ ଦିନ ?
କେତେ ଦିନ ?
କୋମଳମତି ବିଦ୍ୟାର୍ଥୀର
ନିଷ୍ପାପ ଛାତିରେ, ପରୀକ୍ଷାର. . .
ମନମିଟର ଖଞ୍ଜି, ମାପି ଚାଲିଥିବ
ଚାକିରି ସର୍ବସ୍ୱ,. . .
ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର
ଦକ୍ଷତା, ଦୃଢ଼ତ ଆଉ ବୌଦ୍ଧିକତା ।।

ଆଉ କେତେ ଦିନ ?
ଶିକ୍ଷାକୁ ବସ୍ତୁବାଦୀ ଚେତନାର
ଶକ୍ତି ସାମର୍ଥରେ ରଙ୍ଗାଇ, ମଜାଇ
ପରୀକ୍ଷାର ଜୁଆ ଖେଳେ. . .
ବାଜି ଲଗାଇ, ଜିତାପଟ ମାରି
ସୃଷ୍ଟି କରିଚାଲିଥିବ,
ଟପର୍ ପରେ ଟପର୍ ବନିଯାଉଥିବା
ଶୋଷକ, ଭକ୍ଷକ, ଠକ, ଟାଉଟର
ଶାସକ-ପ୍ରଶାସକ, ଇଞ୍ଜିନିୟର୍-ଡାକ୍ତର
ଆଉ ବଡ଼ ବଡ଼ ଅଫିସର
ପୁଣି ପୁଞ୍ଜିବାଦୀ-ଶିଳ୍ପପତି ଗଣ ।

ପରୀକ୍ଷା ପରେ ପରୀକ୍ଷାର
ଯେତେ ଶିଡ଼ି ଚଢ଼ିଲେ ବି
ବାପଧନ କେବେ,
ଛୁଇଁ ପାରିବନି ଶିକ୍ଷାର ବିଶ୍ୱରୂପ ।
ଯେଉଁଠି ଜୀବନଟା. . .
ପାଲଟି ଯାଏ ଅହରହ ଖାଲି
ପରୀକ୍ଷା ଆଉ ପରୀକ୍ଷାମୟତାର ବିଶ୍ୱବ୍ରହ୍ମାଣ୍ଡ,
କୋଉ ଶିକ୍ଷା କ’ଣ ଛୁଇଁ ପାରିବ
ନିରନ୍ନ, ବୁଭୁକ୍ଷୁ
ଆଉ ଦଳିତ ନିସ୍ପେଷିତ ନିପୀଡ଼ିତ
ଦୀନ ଦରିଦ୍ର ଭଳି
ଈଶ୍ୱରଙ୍କ ଜୀବନର ଜିଜୀବିଷା !

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top