କବିତା

ଜୀବନ୍ତ ଈଶ୍ୱର

Surendra Kumar Behera's odia poem Jeebanta Ishwara

ହେତୁ ପାଇବା ଦିନଠୁଁ
ଦେଖି ଆସିଛି,
ବାପ, ଅଜା, ଅଣଅଜାମାନଙ୍କୁ
ଶୁଣି ଆସିଛି;
ଚଉଦ ପୁରୁଷଙ୍କ କଥା;
ଜଳ, ଜମି, ଜଙ୍ଗଲ ହିଁ ଭରସା,
ଧର୍‌ତି ହିଁ ମା, ହର୍ତ୍ତାକର୍‌ତା
ଭାଗ୍ୟବିଧାତା ।

ଜୀବନ୍ତ ଈଶ୍ୱର

ଧର୍ମ ଶବ୍ଦର ଅର୍ଥ
ବୁଝିପାରେନି ନବଘନ;
ବୁଝିପାରେନି,
ଧର୍ମ ପାଇଁ … କାହିଁକି
ମଣିଷ ମଣିଷ ମଧ୍ୟରେ
ଏତେ ଯୁଦ୍ଧ …
ଏତେ ରକ୍ତପାତ ହୁଏ ?

ମନ୍ଦିର ଗଢ଼ିବା ପାଇଁ
ମସ୍‌ଜିଦ୍ ଭାଙ୍ଗିବା ପାଇଁ
ଆଉ… ଧର୍ମାନ୍ତରୀକରଣ ପାଇଁ
ଗାଁରେ, ବଜାରରେ, ସହରରେ
ଗୁଳିଗୋଳା ଫୁଟେ,
ଭଙ୍ଗାରୁଜା ହୁଏ,
ସାମ୍ପ୍ରଦାୟିକ ଦଙ୍ଗା ଉପୁଜେ !

ହେତୁ ପାଇବା ଦିନଠୁଁ
ଦେଖି ଆସିଛି,
ବାପ, ଅଜା, ଅଣଅଜାମାନଙ୍କୁ
ଶୁଣି ଆସିଛି;
ଚଉଦ ପୁରୁଷଙ୍କ କଥା;
ଜଳ, ଜମି, ଜଙ୍ଗଲ ହିଁ ଭରସା,
ଧର୍‌ତି ହିଁ ମା, ହର୍ତ୍ତାକର୍‌ତା
ଭାଗ୍ୟବିଧାତା ।

ଗୁମ୍‌ହୋଇ ବସିଥିବା ବେଳେ
ଯେବେ ନବଘନର ମୁଣ୍ଡକୁ
ପିତ୍ତ ଚଢ଼ିଯାଏ,
କହିପକାଏ ସେ,
ଏ ଭିଟାମାଟି, ଏ ପାନବରଜ…
ଏ ଜଳ, ଜମି, ଜଙ୍ଗଲ ତ
ଆମ ଭାତହାଣ୍ଡି, ସବୁକିଛି,
ସାକ୍ଷାତ୍ ଜୀବନ୍ତ ଈଶ୍ୱର !
ପୁଣି ଏ ରାମ କିଏ ? ଏ ଆହ୍ଲା କିଏ ?
ଏ ଯୀଶୁ କିଏ ? ?…

କୋଉ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ
କ’ଣ ଫେରାଇ ଦେଇପାରିବ
ପୋସ୍କୋ ପାଇଁ,
ବେସାହାରା ଜୀବନ ଜିଉଁଥିବା
ବିସ୍ଥାପିତଙ୍କ ସାତପୁରୁଷର ଭିଟାମାଟି ! !
ଫେରାଇ ଦେଇ ପାରିବ ?
ମୃତ୍ୟୁସହ ସଂଗ୍ରାମ କରୁଥିବା
ମୋ ରୋଗିଣା ମା’ର
ଜିଇଁବାର ନିଶା, ଆଉ…
ବଳତ୍କାରିତାର ଉହ୍ମେଇରେ
ଡହଡ଼ହ ଜଳୁଥିବା,
ମୋ ସାନଭଉଣୀର ଜିଜୀବିଷା;
ଫେରାଇ ଦେଇପାରିବ … ପାରିବ ? ?

ହଠାତ୍ ଦିନେ,
ଟାଁ’ସିଆ ଖରାବେଳେ ହୋହଲ୍ଲା ଶୁଣି
ଉଠିପଡ଼େ ନବଘନ…
ଦେଖେ ତ, ତା’ର ଭାତହାଣ୍ଡି ଖେତ
ଆଉ ପାନବରଜରେ,
ପହଁରି ଯାଉଛି
ଅମାନିଆ ନିଁଆ!
ବନ୍ଧୁକର ଢୋ ଢୋ ଶବ୍ଦରେ
ଫାଟି ଯାଉଛି କାନ,
ଅଥୟରେ ତାତିଗଲା
ନବଘନର ସରଳ ପରାଣ ! !

ତାଳୁ ଉଚ୍ଚାର ଠେଙ୍ଗାଧରି
ଝପ୍‌ଟିଗଲା ନବଘନ…
କେଉଁ ଶୈତାନର ଗୁଳି ଖାଇ
ମୁଣ୍ଡ ଝାଉଁଳେଇ ପଡ଼ିରହିଥିବା
କଅଁଳିଆ ଛନଛନ ପାନବରଜ ଆଡ଼େ;
ତା’ ପରେ…
କଚିଦେଲା ଶକ୍ତ ଏକ ପାହାର
କୋଉ ଧୋବଫର୍‌ଫର୍
ସରକାରୀ ଦଲାଲ୍ ଉପରେ ।

ଖସିଗଲା ନବଘନର
ପାଦତଳର ମାଟି…
ସେ ଅନୁଭବ କଲା,
ତାକୁ କାବୁ କରି ନେଇଛନ୍ତି
ଦୁଇଟି ଶକ୍ତହାତ… !
ରାତି ପାହିଲା ବେଳକୁ
ଖବର କାଗଜରେ ବାହାରିଲା
ତା’ ନାଁରେ ମଣିଷମରା,
ସାମ୍ପ୍ରଦାୟିକ ଦଙ୍ଗା ଆଉ
ଜାତିଆଣ ସଂଘର୍ଷର ମକଦ୍ଧମା
ସେ ଏବେ ଆଇନର
ଆଦବ କାଇଦା ଭିତରେ !!

ଲୋକପ୍ରିୟ ଲେଖା

To Top