କବିତା

ଜେଜେମା’

Minati Pradhan's odia poem Jejemaa

ପାକୁଆ ପାଟିରେ ତା ଦୁନିଆ ବନ୍ଦ
ଇଚ୍ଛା କଲେ ଖୋଲି ଦିଏ, କେତେ କାହାଣୀ
କେତେ ଅନୁଭୁତିର ଗପ ଆଉ
ପେଡି ପେଡି ଶବ୍ଦ ।

ଜେଜେମା'

ଜେଜେମା’ର ଚମ ଧୁଡୁ ଧୁଡୁ
ହାତର ସ୍ପର୍ଶ ତ ଅତ୍ୟନ୍ତ ମଧୁର ।
ଦେହ ଭେଦି, ଛୁଇଁ ଯାଏ
ଯେତେ କ୍ଷତ , ପୁରି ଯାଏ
ପୁଲକିତ କରି ଅନ୍ତର ।

ପାକୁଆ ପାଟିରେ ତା ଦୁନିଆ ବନ୍ଦ
ଇଚ୍ଛା କଲେ ଖୋଲି ଦିଏ, କେତେ କାହାଣୀ
କେତେ ଅନୁଭୁତିର ଗପ ଆଉ
ପେଡି ପେଡି ଶବ୍ଦ ।

ସେ ଅପାଠୋଇ, ପାରଙ୍ଗମ ଦୁନିଆ-ଦାରିରେ
ବୁଝିଛି ଜୀବନର ପ୍ରକୃତ ଅର୍ଥ ।
ତା ସ୍ୱରିତରେ ବହିଯାଏ ଜ୍ଞାନର ଭଣ୍ଡାର ।
ସାଇତିବାକୁ ଲୋଡ଼ା ପଡେ
ସ୍ଥିତି ପ୍ରଜ୍ଞ ଧ୍ୟାନ ଓ ମନର ।

ତା ହାତରେ ଯାଦୁ, ରୋଷେଇଶାଳ
ସବୁବେଳେ ଉତ୍ସବ ମୁଖର ।
ମନରେ ତରଙ୍ଗ, ଅଗଣାରେ ଖୁସିର
ଝୋଟି ଚିତା, ଉଜ୍ଜ୍ୱଳ ଘରଦ୍ୱାର ।

ଛାତିରେ ତା ଖୁନ୍ଦା ଅନେକ ଦଶନ୍ଧିର ଗୁପ୍ତ ତଥ୍ୟ
ଅସୁରୁଣୀର ସାଇତା ଫରୁଆ ଭଳି ।
ଲହଡି ଭାଙ୍ଗନ୍ତି ସିନା
ଭାବନାରେ ଉବୁଟୁବୁ
ହୋଇ ବି ଭୁଲାନ୍ତିନି ରାସ୍ତା ।

ପାଦ ଭାରକ୍ରାନ୍ତ ହୁଏ
ବୟସର ବୋଝରେ,
ମନରେ ଏଯାଏ ଲାଗିନି ବୟସର ଦାଗ
ତା କାନ୍ଧ ପଡ଼େନି ଥକି
ଏତେବଡ଼ କୁଟୁମ୍ବ ବୋଝରେ ।

ପରମ୍ପରା, ବାସ୍ତବିକତା ଓ ସହନଶୀଳତାର ନିଛକ ଛବି
ହାଜୀବ କେବେ ସମୟର କରାଳ ଗର୍ଭରେ
ଅପରାଜିତ ଆତ୍ମାକୁ ଅଜେୟ ରଖିବାର
ଶତତ ଚେଷ୍ଟାରେ ହଜିଯିବ ଡର ଲାଗେ,
କେବେ ଆମ ଖୁସି ଗନ୍ତାଘର ଚାବି ।

ଲୋକପ୍ରିୟ ଲେଖା

To Top