କବିତା

ଯେମିତି ଜାଣିଛି

Annapurna Mohanty's Odia Poem JEMITI JAANICHA

ସମୟ ମୋ ବିତେ କେଉଁ ପରି
ଥାଏ ନିହାତି ଅଥୟ ନା
ଅଥର୍ବ ପଥର ।

ଯେମିତି ଜାଣିଛି

ଜାଣେ ଭାରି କୌତୂହଳ କେବେ ତ
କେବେ ବ୍ୟସ୍ତ ବିକଳ
ଜାଣିବାକୁ ସମାଚାର ମୋର ।

ସମୟ ମୋ ବିତେ କେଉଁ ପରି
ଥାଏ ନିହାତି ଅଥୟ ନା
ଅଥର୍ବ ପଥର ।

ଦିଶେ ଯେଉଁ ପରି
ସେ ସବୁ ମୋ ଇଚ୍ଛା କିବା
ଆଉ କାହା ଇଚ୍ଛାରେ ନ ଥାଏ,
ତଥାପି କେହି କେହି
ଅପାରଗ ଅସୁନ୍ଦର କହି
ଚାହିଁ ମୋତେ, ଚୁପି ହସୁଥାଏ ।

ଅନେକ ଘଟଣା ପରି
ଏ ସବୁ ଦେଖେ ଶୁଣେ
ନଜରରେ ପଡେ଼
କରିପାରିବି କ’ଣ ? ଜାଣିଲା ପରେ
ଅବସନ୍ନ ରହେ ଉଦାସରେ ।

ତମ ଅଲକ୍ଷ୍ୟରେ ଘଟୁଚି ଏସବୁ
ଭାବୁନାହିଁ, ବରଂ ଦେଖ
ମୋ ଆଗରେ ତମେ ଯାହା
ଭିନ୍ନ ଥାଅ ଆଢୁଆଳ ହେଲେ ।

ମୁଁ କାହିଁକି ଧରି ପାରିଲିନି ଦକ୍ଷତା
ଖୁବ୍ ବେଶୀ ଚତୁରତା
ଝଲମଲ ହସ ଆଉ କଥା ଚାତୁରୀରେ
ହଜାଇ ଦେଲିନି କିଆଁ
ଚୁପି ଚୁପି ହସୁଥିବା ଲୋକର
ନିଦ ଆଉ ହସର କବିତା ।

ବର୍ଷାରାତିର ଜହ୍ନ ପରି
ଲୁଚାଏ ମୁହଁ ମୁଁ
ଅଜାଡେ଼ ଚୁପ୍ଚାପ୍
ଅବଶିଷ୍ଟ ଆୟୁଷ ସ୍ୱପ୍ନର
କିଲିବିଲି ଛଟପଟ ହୋଇ
ଜୀଇଁବା ମୋ ଲେଖିଛି, ମଣିଷ ବିଧାତା
ଭୁଜ ପତ୍ର ଦୃଶ୍ୟ ଜାତକର ।

ଏ ସବୁ ଭାବନା
ଭାଗ୍ୟ ନଥାନ୍ତା, ଏକାନ୍ତ ହୋଇ
ତମେ ଯଦି ବୁଝିଥାନ୍ତ
ଏକା ଏକା ହଜେ କେଉଁ ପରି
ଚାରିପାଖ ଜନ ସମୁଦ୍ରରେ,
ମୁଁ ନିର୍ବୋଧ କେତେ
କାହିଁକି ଆଶା କରେ
ତମେ ତମ ଭଳି ନ ହୋଇ
ହୋଇଥାନ୍ତ ମୋ ଇଚ୍ଛା, ସ୍ୱପ୍ନରେ ।

ଅସହାୟ ଖାଲିପଣ
ମୋ ପିଛା ଛାଡେ଼ନି ବୋଲି
ନିଜକୁ ଗୁଡ଼େଇ ନିଜେ
ଘୂରୁଥାଏ ନଟୁପରି
ଚଲାବାଟ ନ ଥିବା ତତଲା ବାଲିରେ ।

ଲୋକପ୍ରିୟ ଲେଖା

To Top