କବିତା

ଝରକା

Falguni Dash's odia poem Jharakaa

ସେ ଝରକା ଯହିଁ ତୁମେ ବସିଥିଲ
ଆଙ୍କିଲି ମାନେ ତା ଛବି
ତୁମ ରୂପ ହୃଦେ ଘର କରିଗଲା
ସାଜିଲି ମୁଁ ପ୍ରେମର କବି ।

ଝରକା

ଝରକା ପାଖରେ ବସିଥିଲ ତୁମେ
ଦେଖିଲି ପ୍ରଥମେ ତୁମକୁ
ଆଖିରେ ଯେବେ ଆଖି ମିଶିଗଲା
ଭୁଲିଗଲି ମୁଁ ନିଜକୁ ।

ଝରକା ଫାଙ୍କାର ଶୀତଳ ପବନ
କଲା ଆନ୍ଦୋଳିତ ମନ
ମନରେ ତୁମକୁ ଚିତ୍ରିତ ମୁଁ କଲି
ଲାଗିଲା ଚତୁର୍ଦ୍ଦିଗ ଉପବନ ।

ସେ ଝରକା ଯହିଁ ତୁମେ ବସିଥିଲ
ଆଙ୍କିଲି ମାନେ ତା ଛବି
ତୁମ ରୂପ ହୃଦେ ଘର କରିଗଲା
ସାଜିଲି ମୁଁ ପ୍ରେମର କବି ।

କାଲାମ ମନରୁ ଶବ୍ଦରାଜି ଖସେ
ଯେତେବେଳେ ବାଜେ ସେହି ପବନ
ପବନ ନୁହେଁ ସେ ପ୍ରେମର ସ୍ପନ୍ଦନ
ହୁଏ ଯେବେ ତୁମ ଆଗମନ ।

ତୁମ ଆଗମନ ମାନେ ଭରିଦିଏ
ନୂତନ ପୁଲକର ବିଭାଷା
କିନ୍ତୁ ସେ ଭାବକୁ ପ୍ରକାଶିବାକୁ ତୁମଠି
ଓଠରେ ନ ଥାଏ ଭାଷା ।

କହିବି କହିବି ଭାବି ବିତିଗଲା
ସେ ସମୟ ସହ ସେ ଜୀବନ
ମନ କଥା ମାନେ ଚାପି ଦେଇ କହେ
ହବ ଦିନେ ତୁମ ଆଗମନ ।

ପୁନଃ ଜୀବନେ ଯଦି ଆସିଯିବ ତୁମେ
କହିଯିବି ସବୁ କଥା
ତୁମ ହୃଦେ ମଥା ରଖିକି କାନ୍ଦିବି
ବହିଯିବ ସବୁ ବ୍ୟଥା ।

ଦେବ ଅଧିକାର ଯଦି ତୁମେ ମତେ
କରିବି ଗଭୀର ଆଲିଙ୍ଗନ
ଆଖିରେ ଲୁହରେ ସବୁ କହିଦେବି
ଯାହା କହିପାରି ନାହିଁ ମନ ।

ଜାଣିଛି ଜୀବନ ଚକ୍ରାକାର ଗତି
ଆସିବ ନିଶ୍ଚୟ ତୁମେ
କିନ୍ତୁ ଡରଲାଗେ ସମୟ ସ୍ପର୍ଶରେ
ପୃଥକ ହେବାନି ତ ଆମେ ।

ଜୀବନ ଆମର ଏବେବି ପୃଥକ
ତଥାପି ମନରେ କିଞ୍ଚିତ ଆଶା
ସାକ୍ଷୀ ତୁମ ଆଖି
ସାକ୍ଷୀ ମୋ ଦୀର୍ଘ ପ୍ରେମ
ସାକ୍ଷୀ ସେ ଭଙ୍ଗା ଝରକା ବାହାରର ବାଇ ଚଢ଼େଇ ବସା ।

ଲୋକପ୍ରିୟ ଲେଖା

To Top