କବିତା

ଝିଅ ବଡ଼ ହେଉଚି

Dr Dilip Kumar Swain's odia poem Jhia Bada Heuchi

ଝିଅ ଝରକା କଡରେ ବସି
କବିତା ଲେଖୁନି ତ !
ଶ୍ରାବଣ ଆସିଲେ
ନଈଟିଏ ହୋଇ ବହିଯିବନି ତ ?

ଝିଅ ବଡ଼ ହେଉଚି

ଝିଅ ବଡ଼ ହେଉନି ଯେ
ଗୋଟାଏ ସ୍ୱପ୍ନ କେନେଇ ଯାଉଛି ତା’ ଭିତରେ
ହଳଦୀବସନ୍ତ ଓ କୋଇଲି ଯେତେ
ଉଡ଼ି ବସୁଛନ୍ତି ଆମ୍ବ ଡାଳରେ ।

ଝିଅ ବଡ଼ ହେଲା ପରେ
ଆଉ କଣ ଖୋଜିବି କୁନିମୋଜା
ଚାବିଦିଆ ରେଳଗାଡି
ଜିଦ କରିବ ବୁଲି ଯିବା ପାଇଁ ବାଲିଯାତ୍ରା

ଯେଉଁ ଛାତିରେ ଗୋଡ଼ରଖି
ଶୋଇ ଯାଉଥିଲା ରାତ ରାତି
ସେ ଛାତି ଲାଗିବ ତାକୁ ଗପ ପରି
ବାପା, ବାପା ଡାକରେ ଫାଟୁଥିବା ଘର
କିପରି ନିଃଶବ୍ଦ ହେଲା
ଝିଅ ବଡ଼ ହେବା ସହ ।

କାଲି ଝିଅର ବହି ଭିତରୁ
ମୟୂର ଚନ୍ଦ୍ରିକାଟେ ପାଇଲି
ସାହିତ୍ୟ ବହିର ପୃଷ୍ଠାତଳେ
ଗଜା ଧରିଲାଣି ଅମର ପୋଇ
ଗୋଟାଏ ରକ୍ତ ଗୋଲାପର ଚାରା
ଝିଅ ପୋତିଲାଣି ଫୁଲକୁଣ୍ଡରେ ।

ଝିଅ ଝରକା କଡରେ ବସି
କବିତା ଲେଖୁନି ତ !
ଶ୍ରାବଣ ଆସିଲେ
ନଈଟିଏ ହୋଇ ବହିଯିବନି ତ ?

ଝିଅ କ’ଣ ଜାଣିଲାଣି କିଛି
ପାଣି ବୋଲି ଯାହାକୁ ମଣୁଚୁ
ସିଏ ମରୀଚିକା ଲୋ ଝିଅ
ସୁଖ ବୋଲି ଯାହା ଦିଶେ ତୋତେ
ସେସବୁ ମାୟାମୃଗ ।
ଆକାଶ ନୁହେଁ ଇଏ
ଏକ କଂକ୍ରିଟ ଆଭିଜାତ୍ୟ
ଜହ୍ନରାତି ନାହିଁ ଏଠି
ଏସବୁ ପ୍ରତାରଣାର ନୀଳବିଷ ।

କେମିତି ଜାଣିବୁ ଝିଅ
ପୋଖରୀ ହୁଡ଼ାରୁ ପଦ୍ମ ସୁନ୍ଦର ତ
ତଳକୁ ତଳ କଳାନାଗ, ପଙ୍କ ଓ ପାତାଳ ।

ଭାବୁଚି ଝିଅକୁ ପଢିବାକୁ ଦେବି
ରାଧାନାଥଙ୍କ ନନ୍ଦକେଶରୀ
ବୁଳାଇନେବି ଚନ୍ଦ୍ରଭାଗା ।

ଝିଅ ଖାଲି ଏତିକି ଜାଣୁ
ତା’ ପଛରେ ଅଛି ବାପାଟିଏ
ପାହାଡ଼ଟିଏ
ଯେଉଁଠୁ ସେ ଫିଟି ଆସିଥିବା ଝରଣାଟିଏ ।

ଲୋକପ୍ରିୟ ଲେଖା

To Top