କବିତା

ଝିଅ

Niranjana Jena's odia poem Jhia

କହକି ନ କହ ତାରେ
ମୁହେଁଇ ଦେବ ଜାଳା ଓ ଜାଳେଣି
ତୋରି ଚୂଲ୍ଲୀରେ
ନିଆଁ, ପାଉଁଶର ଖେଳ
ଖେଳିଯିବ ରକତ ମାଉଁସେ ।

ଝିଅ

ତୁ ଯେତେ ଉତୁରିଲେ
ମେଣ୍ଟିବ ନାହିଁ ନିଆଁର ଶୋଷ,
ତୁ ଯେତେ ନାହିଁ ନାହିଁ କଲେ
ମୁଲାଜାରେ ଜୁଡୁ ବୁଡୁ ହେଲେ
ଛାଡ଼ିବ ନାହିଁ ସଂକ୍ରାନ୍ତି ପୁରୁଷ ।

କହକି ନ କହ ତାରେ
ମୁହେଁଇ ଦେବ ଜାଳା ଓ ଜାଳେଣି
ତୋରି ଚୂଲ୍ଲୀରେ
ନିଆଁ, ପାଉଁଶର ଖେଳ
ଖେଳିଯିବ ରକତ ମାଉଁସେ ।

ନିଶ୍ୱାସର ଧାସେ ମହକ ପଡ଼ିଲେ କେତେ
ଉଜ୍ଜ୍ୱଳି ଉଠିଲେ କେତେ
ତାର ବା କିସ ଯାଏ ଆସେ ।

କେହି ଜାଣେନା
କେତେବେଳେ ବୟସ ଆସେ
ନହୁଲି ବୟସ
ଉତୁରେଇ ଦିଏ ମନ ଓ ଶରୀର
କେହି ଜାଣେନା-
କେତେବେଳେ ଖସିଯାଏ
ଚହଲା ବୟସ
ନାରଖାର କରି ଆପଣାର ଘର ।

ଝୁଅ ! ଦୁଧ ଉତୁରାର ଗନ୍ଧ
ମହକେଇ ଦିଏ ସିନା
ଘର ଓ ବାହାର
ବୟସ ଉତୁରା ଗନ୍ଧ
ଅଛପା ରହେନା କା’ରେ
ଚରିଯାଏ ବାହାର ଓ ଘର ।

ଆକଟ ଘେନିଲେ ଝିଅ
ସବୁ ଠିକ୍ ଠାକ୍,
ଆକଟରୁ ଖସିଗଲେ ଅନିକେତ ।

ରତିକି ଆରତି କଲେ
ଉଲୁଗୁଣା ଲାଗେ,
ଉଗୁରି ଖାଇଲେ ନଈ
କୂଳ ଧସିଯାଏ,
ଉଗୁରି ଖାଇଲେ ଝୁଅ
ଅକୂଳରେ ଯାଏ ।

ଝୁଅ ! ତୁ ବୁଝିଥା’, ଏବେ ବୁଝୁ ଥା’
କେଉଁ ବାଟ ଧରିଯିବୁ
କେଉଁ ବାଟେ କଣ୍ଟା ଦେବୁ
ଏବେ ହେଜୁ ଥା’. . .
ଝୁଅ ହେଜୁଥା’. . . !

ଲୋକପ୍ରିୟ ଲେଖା

To Top