କବିତା

ଝିଣ୍ଟିକା ମାରି ବଣି ପୋଷା

Dibakar Sahoo's odia poem Jhintika Maari Bani Poshaa

ବାହା ସରିଗଲେ ବେଦୀ ମୁହଁ ପୋଡ଼ା
ନୀତି ଏବେ ନେତା ଛାଡ଼ ।
ଆପଣା ଶିଙ୍ଗରେ ମାଟି ତାଡୁ ଚଷା
ଦୃଢ଼ କର ବନ୍ଧ ବାଡ଼ ।

ଝିଣ୍ଟିକା ମାରି ବଣି ପୋଷା

ଝିଣ୍ଟିକା ମାରିକି ପୋଷୁଅଛ ବଣି
ଯନ୍ତ୍ରୀ ମନ୍ତ୍ରୀ ନେତା ଗଣ ।
କୁହା ମୁଣ୍ଡା ତମେ କପିଳା ସାଜିଛ
ଲୁଟିବାକୁ ଦେଶ ଧନ ।।
ମୁଣ୍ଡ ଝାଳ ତୁଣ୍ଡେ ମାରି
କୁହୁଡ଼ିରେ ଆମେ ପହଁରୁଛୁ ଚଷା
ଜୀବନଟା ଦୁଃଖେ ଭାରି ।।
ଆମରି ଜୀବନ ଜୀବିକାରେ ବନ୍ୟା
ମରୁଡ଼ି ହୋଇଛି କାଳ
ନିଦାନ ନ କରି ଶାସନ କଳ
ତିଳକୁ କରୁଛି ତାଳ ।
ବଞ୍ଚିବାକୁ ମୁଠେ ଧାନ,
ଦେଇକି ପାରିବ ଖଣି ବା ଖାଦାନ
ଶିଳ୍ପର ଉପାଦାନ ??
ବାହାଘର ବେଳେ ବାଇଗଣ ରୋଇ
ଭଣ୍ଡୁଥିବ କେତେଦିନ ?
ବେଣାବାରୀ ଦିନେ ହୋଇବ ଏ ମାଟି
ଚାଷର ନଥିବ ଚିହ୍ନ ।
ପଡ଼ିଯିବ ହାହାକାର
କି ଧନୀ ଗରିବ ଦାନା ମୁଠେ ବିନା
ସର୍ବେ ହେବ ଏକାକାର ! !

 

କେତେ କାଳ ଆଉ ଚାଷୀର ରକତ
ନେଉଥିବ ତମେ ଶୋଷି !
ନିଜର ମୁନାଫା ଉଠାଇବା ପାଇଁ
ପୁଞ୍ଜିପତିଙ୍କୁ ପେଷି ।
କରି ଅନ୍ଧ ବୁଝାମଣା,
ହାତରେ ନ ମାରି ଭାତରେ ମାରିବ
ଚାଷ କରି ବାଟବଣା ! !
ଦୁଃଖ ଦୁର୍ଦ୍ଦିନେ ଅରଣ୍ୟ ରୋଦନ
କରୁଥିବୁ ଆମେ ଚାଷୀ ।
ଭୋଟ ବେଳକୁ ବିରାଡ଼ି ବୈଷ୍ଣବ
ସାଜୁଥିବ ତମେ ଆସି ।
ବିଶ୍ୱାସରେ ଦିଅ ବିଷ,
ନଳିତା ବିଡ଼ାକୁ ବୋଝପରେ ଧରି
କେତେ ଡାକୁଥିବୁ ଜଗଦୀଶ ??
ବାହା ସରିଗଲେ ବେଦୀ ମୁହଁ ପୋଡ଼ା
ନୀତି ଏବେ ନେତା ଛାଡ଼ ।
ଆପଣା ଶିଙ୍ଗରେ ମାଟି ତାଡୁ ଚଷା
ଦୃଢ଼ କର ବନ୍ଧ ବାଡ଼ ।
କ୍ଷେତ ହେଉ ସୁରକ୍ଷିତ,
ବେଳ ଥାଉଁ ଥାଉଁ ସାଧୁ ସାବଧାନ
କୃଷିର ଦେଖ ହିତ ।।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top