କବିତା

କାଳକାଳ

Annapurna Mohanty's Odia Poem KAALA KAALA

ଉଠୁ ଉଠୁ କେବେ ଯଦି
ଭାଙ୍ଗି ପଡୁଥିବି
ଏ ଚିନ୍ତା, ଭୟ ଓ ଆଶଙ୍କା
ଗୋଟାପଣେ ରହୁଚି ଆବୋରି ।

କାଳକାଳ

ଯେତେ ନଦୀ ସେତେ ଶୋଷ
ଯେତେ ବଂଶୀ
ସେତେ ମିଠା ମୁଲାୟମ୍ ସ୍ୱର ।

କେଉଁଠି ଖୋଜିବି
ଶେଷଥର କେଉଁଠି ଭେଟିଥିଲି
ମନେନାହିଁ
ଏ ଦୁନିଆଁ ଚାରିଆଡ଼
ନିଆଁର ବର୍ଣ୍ଣାଳୀ
ସହସ୍ର ରଙ୍ଗରେ ସଜା ତ
ପୁଣି ରଙ୍ଗହୀନ ଜୀବନକୁ ଧରି ।

ଉଠୁ ଉଠୁ କେବେ ଯଦି
ଭାଙ୍ଗି ପଡୁଥିବି
ଏ ଚିନ୍ତା, ଭୟ ଓ ଆଶଙ୍କା
ଗୋଟାପଣେ ରହୁଚି ଆବୋରି ।

କାହାରି ଇଚ୍ଛାରେ ନୁହେଁ
ତମ ଇଚ୍ଛା ନଥିଲା ଜମା ।
ତମକୁ ଆପଣାର ବାଛି ନେଲା ପରେ
କୃତାର୍ଥ ନିଜକୁ କରି
ଧନ୍ୟ ଧନ୍ୟ କେତେଥର
ନିଜକୁ କହିଲି ।

ଯେତେ ଈର୍ଷା, ନିନ୍ଦା, ବାଦ ଅପବାଦ
ଅଣ୍ଟା ଭିଡ଼ି, ଯୋଡ଼ି ଯୋଡ଼ି
ନାଚିଗଲେ,
ସେମାନଙ୍କ ଲୀଳାଖେଳ ଦେଖି
ମୁଁ ଏଠି ସ୍ତବ୍ଧ ହୋଇଗଲି ।

ତା’ ପରଠୁଁ ଭାବିନାହିଁ
ବାହାର ଜଗତ କଥା
ସାଇତି ତମକୁ ମୋ ଭିତରେ
ଥାଏ ଏକାଏକା
ଦିନ ପରେ ଦିନ ଗଡ଼େ
ସହସ୍ର ସହସ୍ର ଥର ସଜାଡ଼େ ନିଜକୁ
ମୁଁ ଅଜ୍ଞାନୀ
ବିକଳ ମୁହୂର୍ତ୍ତକୁ ଧରି
ତମ ଆସିବାକୁ ଚାହେଁ
ଗଣୁଥାଏ ସମୁଦ୍ର ଢେଉକୁ ।

ଥାଅ ସଦା
ନିରବରେ ଅଦୃଶ୍ୟରେ
ଭିତରର କ୍ଷତ ହୋଇ
ରୁଗୁରୁଗୁ ପୀଡ଼ା ଦେଉଥାଅ
ଲୋଡୁଥାଏ ତଥାପି ମୁଁ ଆତୁରେ ବିକଳେ ।

ପାରିଛ ପାରିବ ତମେ
ସ୍ୱପ୍ନକୁ ମୋ ଆଉରି ଶାଣିତ କରି
ବିଚ୍ଛେଦର ଉତ୍ତପ୍ତ ଲାଭାକୁ
ଦେହ ବିଦେହରେ ମୋର
ବୋଳି ଦେଇଯିବ ବୋଲି ଫେରି ।

ଧରି ରଖିବାରେ
ବିଫଳ ପ୍ରୟାସରେ
କଟୁ ମୋର ସମଗ୍ର ଆୟୁଷ
ତମେ ଥାଅ, ମୋ ରଖା ଯାଗାରେ
ତେଣିକି ନେଇଯାଅ
ମୋର ହୋଇ ଯାହାଅଛି
ପ୍ରେମ, ପୁଣ୍ୟ, ପ୍ରଥମ ଓ ପରମ ବିଶ୍ୱାସ
ଜୀବନ କାଳରେ ।

ଲୋକପ୍ରିୟ ଲେଖା

To Top