କବିତା

କାଳି ଝିଅ

Dilip Kumar Tripathy's odia poem Kaali Jhia

ମା’ ତାର ଖଁ ଖଁ ହେଇ ବେଦମ୍ ହେଲାଣି
ବାରି ପଟ ଝର୍କାରେ କଳା ନାଗର ଫଣା ସେ ଦି ଥର ଦେଖିଲାଣି
ମନ ତାର ଛଟ୍‌ପଟ୍ ହଉଛି
ହେଲେ କାଳି ଝିଅ ଗଲା କୁଆଡେ ?

କାଳି ଝିଅ

ସଞ ହେବାକୁ ବସିଲାଣି ,
ଆକାଶ ରାଗରେ ଲାଲ ହେଲାଣି
ପ୍ରକୃତି ମା’ ର ଆଖି ଦୁଇଟି ଛଳ ଛଳ ;
ଏଇନେ ଢାଳି ଦବ ବୋଧେ ବିନ୍ଦୁ ବିନ୍ଦୁ କରି
ସାରା ସିନ୍ଧୁର ଜଳ ,
ଅନ୍ୟାୟ ଦେଖିବେନି ବୋଲି ସୁରୁଜ ଠାକୁର
ମା’ କୋଳ ରେ ଶୋଇବାର ଅଭିନୟ ରେ ଆଗପରି ବ୍ୟସ୍ତ
ଚେମି ନାନୀର ଗୋରୀ ଝିଅ ବି କାମରୁ ଫେରିଲାଣି
ହେଲେ କାଳି ଝିଅର ଦେଖା ନାହିଁ ।

ଗାଁ ମୁଣ୍ଡର ବୁଲା କୁକୁର ସାହି ସାହି ବୁଲିଲେଣି
ଆଉ ଟିକେ ପରେ ରାତି ବି ମୁହଁ ଯାକି ଶୋଇ ପଡିବ ।

ମା’ ତାର ଖଁ ଖଁ ହେଇ ବେଦମ୍ ହେଲାଣି
ବାରି ପଟ ଝର୍କାରେ କଳା ନାଗର ଫଣା ସେ ଦି ଥର ଦେଖିଲାଣି
ମନ ତାର ଛଟ୍‌ପଟ୍ ହଉଛି
ହେଲେ କାଳି ଝିଅ ଗଲା କୁଆଡେ ?

ଶିଉଳିରେ ଚାଲିବାର ଅଭ୍ୟାସ ତାର ଅଛି
ସେଇଥି ପାଇଁ ତ ଲୋଭ ନାହିଁ ତାର କେଉଁଥିରେ :
ପାଉଁଜି ,ଫ୍ରକ୍ ,ନେଲ୍‌ପଲିସ୍ କି ଲିପ୍‌ଷ୍ଟିକ୍
ମା ହାତରେ ଚୁଟି ନ ସଜେଇଲେ ଜମା ଶୋଇବନି
ନିଜ ହାତରେ ଗୋଳେଇ ଦବ ଭାତ, ଡାଲି ଆଉ ଶାଗ ଖରଡା
ଜିଦି କରି ଖୁଆଇ ଦବ ବଡ ବଡ ଭାତ ଲଡୁ
ଆଉ ଦାନ୍ତ ନିକୁଟି ହସୁ ହସୁ ଶୋଇଯିବ ତା’ ମା ର
ମଇଳା ପଣତରେ ମୁହଁ ଘୋଡେଇ ।

ତେଲ ହଳଦୀରେ ଗାଧୋଇ ଦେଲାବେଳେ
ମା ତାର ମନେ ମନେ ଖୁସି ହୁଏ ଆଉ କହି ପକାଏ –
“ଝିଅ ମୋର ବଡ ହେଲେ ଗୋରା ଫିଟି ଯିବ ,ବାହା ହବ !”
ଏମିତି କେତେ କଣ… !
କିନ୍ତୁ କାଳି ଝିଅ କ’ଣ ବାହା ହେଇପାରେ !!

ଧୀରେ ଧୀରେ ସକାଳ ହଉଥିଲା ,
ପ୍ରକୃତି ମା ବି କାନ୍ଦି କାନ୍ଦି ଥକି ସାରିଥିଲା
ଝର୍‌କା ବାଟ ଦେଇ କଳା ନାଗ ଗାଁ ମନ୍ଦିର ଆଡେ ରଙ୍ଗି ଯାଉଥିଲ

କାଳି ଝିଅର ତୀବ୍ର ପାହୁଣ୍ଡରେ ମେଦିନୀ କମ୍ପୁଥିଲା
ପ୍ରତିଟି ପାହୁଣ୍ଡରେ ଛାଡି ଆସୁଥିଲା
ବର୍ତମାନ, ଯୌବନ ଆଉ ଭବିଷ୍ୟତ ।

ଖୋଲା ଦରଜା ଜୋର୍‌ରେ ପେଲି ଦେଇ
ମା ପାଖରେ ବସି ପଡିଲା, ଚେଷ୍ଟା କଲା ପିଆଇ ଦବାକୁ
ତା ବଳିଦାନର ଜଡିବୁଟି ,
କିନ୍ତୁ ମା ତ ତାର କଳା ନାଗର ଦଂଶନରେ ମୃତ !

କାଳି ଝିଅ ଆଖିରେ ଦିଶୁଥିଲା ଖାଲି କାଳି ଅନ୍ଧାର
ହାତରୁ ଖସିପଡୁଥିଲା ଔଷଧ ବୋତଲ , ଦି ଟା ଶହେ ଟଙ୍କିଆ ନୋଟ
ଆଉ ତା ଫ୍ରକ୍ ବୋତାମ ।
ଦେଖୁ ଦେଖୁ ପୁଣି ସଂଜ ମାଡି ଆସିଲା
କାଳି ଝିଅ ପୁଣି ଧାଇଁଲା ମନ୍ଦିର ଆଡେ ,ପୋଖରୀ ଆଡେ
ଧାଇଁଲା ବି ଗାଁ ମୁଣ୍ଡ ବଇଦ ପାଖକୁ
ଏଥର ମେଦିନୀ ଜୋର୍‌ରେ କମ୍ପୁଥିଲା ।

ଥର ଥର କରି ପ୍ରତିଟି କଳା ପିଶାଚ ଆଗରେ
ପଚାରି ବସିଲା-“କାହିଁକି ମୋ ମା’ ମରିଗଲା
ତମେ ତ କହୁଥିଲ ସକାଳ ଯାଏ କିଛି ହବନି”
କିନ୍ତୁ ପ୍ରଶ୍ନ ସବୁ ବିଲୟ ହେଉଥିଲା ଠୋ ଠୋ ହସର କୁତ୍ରିମ ନଭ ମଣ୍ଡଳରେ ,
ପୁଣି ପ୍ରକୃତି ମା’ର ଆଖି , ଲୁହରେ ଛଳ ଛଳ ;
ହଉଥିଲା , କାଳି ଝିଅର ବି
ପୁଣି ଆକାଶର ଦେହ ରାଗରେ ଲାଲ ;
ହଉଥିଲା , କାଳି ଝିଅର ବି
ସୁରୁଜ ଠାକୁର ପୁଣି ଲୁଚୁଥିଲେ ମା’ କୋଳ ରେ
କିନ୍ତୁ କାଳି ଝିଅ ଲୁଚୁନଥିଲା
ସେ ତ ଧୀରେ ଧୀରେ ‘କାଳୀ’ ହଉଥିଲା ।

 

 

ଲୋକପ୍ରିୟ ଲେଖା

To Top