କବିତା

କବିତା ଆଉ ଲେଖି ହବନି ସରୋଜ

Dr Dilip Kumar Swain's odia poem Kabitaa Aau Lekhi Habani Saroj

ପ୍ରେମ ପାଇଁ ଆମେ ସାଇତୁଥିଲେ
ଫୁଲ, ଚିଠି, ସ୍ୱପ୍ନଭରା ରାତି
ଡାଇରୀ ଭର୍ତ୍ତି କବିତା
ନିର୍ମାଲ୍ୟ ପରି ଲୁହ ।

କବିତା ଆଉ ଲେଖି ହବନି ସରୋଜ

ନିଜ ସହ ଯୁଝି
କବିତା ଲେଖିବା ସହଜ ନୁହେଁ ସରୋଜ ।
ମନେପକାଅ
ପ୍ରେମ ପାଇଁ ଆମେ ସାଇତୁଥିଲେ
ଫୁଲ, ଚିଠି, ସ୍ୱପ୍ନଭରା ରାତି
ଡାଇରୀ ଭର୍ତ୍ତି କବିତା
ନିର୍ମାଲ୍ୟ ପରି ଲୁହ ।
ଏବେ କବିତା ନୁହଁ ବନ୍ଧୁ
କଣ୍ଡୋମ୍, କୋକାକୋଲା, କୋଲାବରି ଦିଲ୍
ଓଃ ! ଭାରି ଶୋଷ
ତମ ଓଠକୁ ଚିପୁଡ଼ି ଦିଅ
ମୁଁ ଦେଖଉଚି ଓଠ ।

ଆମେ କ’ଣ କହିପାରନ୍ତେ ଏତକ
ଇସ୍ ! ଆମେ କେତେ ମରହଟ୍ଟିଆ ଲୋକ ।
ନଈ, ଆକାଶ, ଜହ୍ନରାତି ଦେଖିଚ
ଏମିତି ପ୍ରଶ୍ନ ପଚାରିବାକୁ ପଡୁଚି ପିଲାଙ୍କୁ
ଏଗୁଡ଼ାଙ୍କର ଜଗତୀକରଣ ପରେ ଜନ୍ମ
ପିଲାମାନେ କ’ଣ ଆଉ
ମଧୁ ବର୍ଣ୍ଣବୋଧ ପୃଷ୍ଠାରେ ଅଛନ୍ତି ଯେ
ଦୟାମୟ ବିଶ୍ୱବିହାରୀ ଘୋଷିବେ ।
ଝିଅକୁ କହିଲି
ଏବେଠୁ ଆକାଶ ଦେଖିନେ ଲୋ ଝିଅ
ଉଚ୍ଚାକୋଠାର ଦୁର୍ଗ ଡେଇଁ
ହୁଏତ ଆମେ ଆଉ ପହଞ୍ଚି ପାରିବାନି
ଆକାଶର କୋମଳତା ପାଖରେ ।

କଂକ୍ରିଟ୍ ଆଭିଜାତ୍ୟର କପଟ ପାଶାରେ
କାରଖାନାଙ୍କ ଧୂଆଁଳିଆ ଧର୍ଷଣରେ
ସ୍ୱର୍ଗକୁ ନିଶୁଣି ବାନ୍ଧୁଥିବା ମହାତ୍ମାଙ୍କ ପାପରେ
ସଦ୍ୟ ଗର୍ଭପାତ ସାରି ଆସିଥିବା ସ୍ତ୍ରୀଲୋକ ପରି
ଆକାଶ ରକ୍ତ ପୋଛୁଛି ତା’ ନୀଳ ଲୁଗାରୁ ।
ତମେ ସେଇ ଜାଗାରେ ବସି ଖଟି ମାରୁଥା
ଖଣି, ପାଣି, ପୁରସ୍କାର ଚୋର
ଏଇ ବାଟରେ ଯିବେ ଯେ ।
ନୀଳ ଆକଶ
ନିରୁତା ପ୍ରେମ ବିନା
କି’ କବିତା ଲେଖିବା କହୁନା !
କବିତା ଆଉ ଲେଖି ହେବନି ସରୋଜ ।

ଲୋକପ୍ରିୟ ଲେଖା

To Top