କବିତା

କବିତା ପ୍ରାର୍ଥନା

Odia Writer Aparna Mohanty

ମତେ ବିଶ୍ୱାସ କର
ମୁଁ କେବଳ
ଲଳିତ କି
ଗଳିତ-ପଳିତ କିଛି
ରକ୍ତ ମାଂସ ନୁହେଁ ।

କବିତା ପ୍ରାର୍ଥନା

ମତେ ବିଶ୍ୱାସ କର
ମୁଁ କେବଳ
ଲଳିତ କି
ଗଳିତ-ପଳିତ କିଛି
ରକ୍ତ ମାଂସ ନୁହେଁ ।

ଦେହ ନୁହେଁ
ମୋହ ନୁହେଁ
ନର୍କ ନୁହେଁ
ସ୍ୱର୍ଗ ନୁହେଁ
ସଂସାର କି
ଚତୁଃବର୍ଗ ନୁହେଁ
ମୁଁ ତୁମର ଅନୁରାଗ
ତୁମର ଆବେଗ
ତୁମ ହୃଦୟ
ମୁଗ୍ଧ ନିଃସର୍ତ୍ତ ସମର୍ପଣ ।

ତୁମ ସାଥେ
ସମାହିତ ମୋର ସତ୍ତା
ସବୁ ବିଶ୍ୱାସ ଅବିଶ୍ୱାସର
ଅର୍ଗଳିରୁ ମୁକ୍ତ
କୃତଜ୍ଞତାର ଅମୃତରେ ସିକ୍ତ
ଆମ ଅପାର୍ଥିବ ଅନ୍ତରାତ୍ମାର
ମିଳନର ସାକ୍ଷୀ
ଜନ୍ମ-ମୃତୁ୍ୟ
ଶୋକ, ସୁଖ ବିରହିତ
ଜୀବନର, ଅତୀନ୍ଦ୍ରିୟ
ସୁକୁମାର-ପଣ ।

ହୃଦୟର
ଏଇ ଟିକକ ଅଯାଚିତ ବିଶ୍ୱାସ
ବ୍ରହ୍ମାଣ୍ଡଯାକର ଲାଭ କ୍ଷତି
ଦ୍ୱିଧା ଓ ସଂଶୟର
ଗଣିତକୁ ତାଚ୍ଛଲ୍ୟ କରି
ପାଦ ତଳେ ଚାପି ଧରିଥାଏ

ତାକୁ ଇ ମୁକୁଳେଇବାକୁ
ଭିତରୁ ବାହାରୁ
ଅନବରତ ଚାଲିଥାଏ
ଆକ୍ରମଣ, ପ୍ରତି ଆକ୍ରମଣ

ତଥାପି,
ଏ ସମ୍ପର୍କକୁ
ପୋଛିଦବାର ସାମର୍ଥ୍ୟ
ଈର୍ଷା ଜରଜର
ବିଧାତାର ନଥାଏ ।
ସିଏ ବି ବେଳେବେଳେ
ପ୍ରଶ୍ନ ଓ ଅବିଶ୍ୱାସରୁ
ରକ୍ଷା ପାଇବା ପାଇଁ
ଏଠି ଆସି
ନିଅନ୍ତି ଶରଣ ।

ତେଣୁ ଉଠ
ଏ ଭୟାବହ ଋଣଭୂମିର
କେନ୍ଦ୍ରବିନ୍ଦୁରେ ହିଁ
ଆମକୁ ପ୍ରେମର
ନିର୍ଣ୍ଣୟାତ୍ମ ବିଚାର
ଦେବା ପାଇଁ ହେବ ।

ଦେଖ,
କିପରି କାତର ହୋଇ
ନ୍ୟାୟ ପାଇଁ
ଅରଜି କରୁଛି

ପ୍ରଣବ ଠାରୁଁ ବିଶୁଦ୍ଧ
କବିତାର
ନୀରବ, ଦରଦୀ
ଉଚ୍ଚାରଣ. . . ।

ଲୋକପ୍ରିୟ ଲେଖା

To Top