କବିତା

କବିତାକୁ ଭେଟିବାର ବେଳ

Basanti Das's Odia Poem KABITAAKU BHETIBAARA BELA

କବିତାକୁ ଭେଟିବାକୁ
ନିର୍ଦ୍ଦିଷ୍ଟ ସମୟର
କ’ଣ ଦରକାର ?
କବିତା ତ ବିଛେଇଛି
ତା’ର କୋମଳ ପଣତ
ଭୂମିରୁ ଭୂମା ପର୍ଯ୍ୟନ୍ତ ।

କବିତାକୁ ଭେଟିବାର ବେଳ

ମୁଁ, ଭେଟିଥିଲି କବିତାକୁ
ଗାଁ ଦାଣ୍ଡରେ
ସଢ଼େଇ ଖେଳରେ
ପାଳଗଦା ମୂଳେ
ଲୁଚାଲୁଚି ଖେଳରେ,
ଧାନଗଦା ମେରିମୂଳେ
ବେଙ୍ଗଳା ପଡୁଥିବା
ବଳଦଙ୍କ ଖୁରାର ଶବ୍ଦରେ ।

କବିତାକୁ ଭେଟିବାକୁ
ନିର୍ଦ୍ଦିଷ୍ଟ ସମୟର
କ’ଣ ଦରକାର ?
କବିତା ତ ବିଛେଇଛି
ତା’ର କୋମଳ ପଣତ
ଭୂମିରୁ ଭୂମା ପର୍ଯ୍ୟନ୍ତ ।

ସେମିତି ମୁଁ ଭେଟିଲି
କବିତା ସୁନ୍ଦରୀକୁ
ଗାଁ ନୂଆବୋହୂର
ହତେ ଲମ୍ୱା ଓଢ଼ଣା ତଳେ
ଯେଉଁଠି ଲୁଚିଥିଲା ତା’ର
ଚାନ୍ଦ ପରି ସୁନ୍ଦର ମୁହଁଟି
ଯାହା ଟିପିଟିପି ଚନ୍ଦନରେ
ଦିଶୁଥିଲା ଲାଜ ଛଳଛଳ ।

କେବେ ଭେଟିଲି କବିତାକୁ
ଅଜା, ଆଈଙ୍କ ଥଟ୍ଟା ମଜାରେ
ପୁଣି କେବେ ଗାଁ ଚଉପାଢ଼ୀର
ଗାଁ ଲୋକଙ୍କ ତାସ ଖେଳରେ ତ
କେବେ ପାର୍ବଣ ବେଳାରେ ।

କବିତା ତ ଉତୁରି ପଡ଼େ
ଆମ ଗାଁ ସିଡୁଆ ନଈର
ଉତାଳ ତରଙ୍ଗରେ
ଯେବେ ସକାଳର ବାଳ ସୂର୍ଯ୍ୟ
ଅଳସ ଭାଙ୍ଗେ ତରଙ୍ଗର
ମୃଦୁ ନିନାଦରେ ।

ସେଇଠି କବିତା ମିଳେ,
କୁନି ବୋଉର ରାହାବାଳୀ
କଳିକଜିଆରେ, ଅବା-
ନଡ଼ିଆଗଛ ବାହୁଙ୍ଗା ଫାଙ୍କରୁ
କୁଆଁର ପୁନେଇଁ ଜହ୍ନର
ଲାଜ ଓଢ଼ଣୀରେ ।

କବିତା ତ ଝରି ପଡ଼େ
ହେମନ୍ତର କାକର ଟୋପା ପରି
ଟପ୍‌ଟପ୍‌-ଆଖିରେ
ପତା ପଡ଼ିଗଲେ,
ମଲ୍ଲୀ ଫୁଟି ବାସିଲେ, ଅବା
ଗୁହାଳରେ କାଳୀ ଗାଈର
ହମ୍ୱା ରଡ଼ିରେ ।

କବିତାକୁ ଡାକିଲେ ଆସେନା
ଖୋଜିଲେ ମିଳେନା
ସେ ମିଳିଯାଏ
ଗାଁ ମନ୍ଦିରର ଚୂଡ଼ାକୁ ଚାହିଁଲେ
ଅବା, କୁଆଁରୀ ଝିଅର
ମଥାନୁଆଁ ପ୍ରଣାମରେ,
କବିତା ମନେଇ ଭାରି
ସେ ଏମିତି ମିଳେ
ଆକସ୍ମିକ ମୋ ହାତରେ
ତାକୁ ଧରି ଅଟକାଇବାକୁ
କିଛି ସମ୍ୱଳ ନ ଥିବା ବେଳେ
ସେଇଠି ଭେଟେ ମୁଁ କବିତାକୁ
ଧରିବି ଧରିବି ବୋଲି
ପ୍ରତୀକ୍ଷା କରି ନିଘୋଡ଼ ନିଦରେ
ଶୋଇ ଯିବାବେଳେ ।

ଲୋକପ୍ରିୟ ଲେଖା

To Top