କବିତା

କହିହୁଏନି

Annapurna Mohanty's odia poem Kahihueni

କହିହୁଏନି, ଏକଲାପଣରେ ଘାରିହୁଏ
ବହୁଥାଏ ଖରସ୍ରୋତା ପ୍ରାୟେ
ଜଳୁଛି ଅଖଣ୍ଡ ଦୀପଟେ ହୋଇ
ସାରି ଆସିବା ଜୀବନ ଦୟାରେ ।

କହିହୁଏନି

କହିହୁଏନି ଅଛି ଏକାଏକା
ସୁନ୍ଦର ଏ ସୃଷ୍ଟି ଭିତରେ
ମହକୁଛି ବାସ୍ନାୟିତ ସ୍ୱର
ସଖା ସଖା ସଖା ମୁଁ ତମର ଶୁଭୁଛି ରହିରହି
କଅଁଳ ଶିଶୁର ହସଭଳି କୁହୁକରେ ଭର୍ତ୍ତି ବଂଶୀସ୍ୱର ।

ନିଷ୍ପାପ ହସଟେ
ସାମ୍ନାକୁ ଆସୁଚି
ଅୟୁତ ଯୁଗର କଥା ନେଇ
ପହଁରୁଛି ଆଖିଯୋଡ଼େ
ଗଙ୍ଗଶିଉଳି ବାସ୍ନାରେ ଶିହରିତ
ଏ ଆଶ୍ଵିନ ସକାଳ !
କଥାରେ କାବ୍ୟରେ
ଭାବରେ ଭାଷାରେ
ପ୍ରାପ୍ତିରେ ପୁଲକରେ
କମନୀୟ କୋମଳ ଚାହାଁଣିରେ
କୃତଜ୍ଞ ନତଶିର ମୁଁ ସାରାକାଳ ।

କହିହୁଏନି, ଏକଲାପଣରେ ଘାରିହୁଏ
ବହୁଥାଏ ଖରସ୍ରୋତା ପ୍ରାୟେ
ଜଳୁଛି ଅଖଣ୍ଡ ଦୀପଟେ ହୋଇ
ସାରି ଆସିବା ଜୀବନ ଦୟାରେ ।

ଗୋଟେ ମଧୁର କଳ୍ପନାରେ
ଏକ ବିଭୋର ପରିମଣ୍ଡଳରେ
ନାଆଁଟେ ଯୋଡି ମୋ ନାଆଁରେ
ରାଜହଂସୀ ରାଜନନ୍ଦିନୀ ତ ରାଜରାଣୀ
ସଜାଏ ମୋ ପ୍ରାପ୍ତିର ସୌଭାଗ୍ୟକୁ
ଅଦ୍ଭୁତ ବର୍ଣ୍ଣାଳୀରେ ।

ଦୁଇ ତୃତୀୟାଂଶ ଭୋଗିଲା ପରେ ଆୟୁକାଳ
ଆଜି ହିଁ ଜନ୍ମନିଏ
ସୁନ୍ଦର ଇଚ୍ଛାଟିଏ
ଛଟପଟ କରେ ମୋ ଭିତରେ ବାହାର ।।
ଇଚ୍ଛା ଆକାଶ ଛୁଏଁ
ସମୁଦ୍ର ପହଁରିଯାଏ
ଦିଗନ୍ତରେ ଠିଆ ହୋଇ
ସୂର୍ଯ୍ୟ ଭେଦି ମହାକାଳକୁ ଧରିବାର
ଆସ୍ପର୍ଦ୍ଧା ରଖେ ।

ପିଛିଲା ଜୀବନର
ଦୋଷ, ଦ୍ରୋହ, ବିଫଳତା ବିଷାଦକୁ
କାହିଁ ପଛେ ଛାଡ଼ିଦେଇ
ଆଗାମୀ ଦୁନିଆର ଜୟ ଗାଏ ।
ମୁଁ ଜାଣେନା,
ଏବେ ମୁଁ ସ୍ପର୍ଶରେ ନା ସାନିଧ୍ୟରେ
ଦେହରେ ନା ବିଦେହରେ
ଈଶ୍ୱର ମୋ ଆଗରେ ଠିଆ
ଅବା ମୁଁ ଗୋଟାପଣେ ଈଶ୍ୱର ସାଥିରେ !!

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top