କବିତା

କଳା ଅଜଗର

Surendra Kumar Behera's odia poem Kalaa Ajagar

ଭକ୍ତ ପ୍ରହଲ୍ଲାଦର
ଆକୁଳ ନିବେଦନରେ
ନରସିଂହ, ହିରଣକଶ୍ୟିପୁର
ଛାତି ଚିର ରକ୍ତ, ମାଂସ, ହାଡ଼
ଶୋଷି ନେଲା ପରି
କେଉଁ ଦୀନଦରିଦ୍ର, ନିରନ୍ନ
ବୁଭୁକ୍ଷୁର ଆର୍ତ୍ତ ଚିତ୍କାର

କଳା ଅଜଗର

ସତ୍ୟ ଆଉ ଧର୍ମ
ରକ୍ଷା କରି ଦେବକୀ
ଗୋଟି ଗୋଟି କରି
କଅଁଳ ନିଷ୍ପାପ ଶିଶୁକୁ
ଦୁଷ୍ଟ ଦୁରାଚାରୀ କଂସ ହାତରେ
ଟେକି ଦେଲାପରି
କେଉଁ ସତ୍ୟ, ନ୍ୟାୟ
ଆଉ ଧର୍ମ ଆଧାରରେ ଚୁକ୍ତି କରି
ଦେଶୀ ବିଦେଶୀ ପୁଞ୍ଜିବାଦୀ
ଭ୍ରଷ୍ଟାଚାରୀ ଦଲାଲମାନଙ୍କୁ
ଶାଗ, ମୁଗ, ମାଛ ଦରରେ
ହେ ସରକାର
ଟେକି ଦେଉଅଛ ;
ବେସାହାରା ଜୀବନ ଜିଉଁଥିବା
ବିସ୍ଥାପିତଙ୍କ ସାତ ପୁରୁଷର
ପାଦ ତଳର ମାଟି ଆଉ …
ପାଣି, ପବନ, ପାନ, ମୀନ !

ଭକ୍ତ ପ୍ରହଲ୍ଲାଦର
ଆକୁଳ ନିବେଦନରେ
ନରସିଂହ, ହିରଣକଶ୍ୟିପୁର
ଛାତି ଚିର ରକ୍ତ, ମାଂସ, ହାଡ଼
ଶୋଷି ନେଲା ପରି
କେଉଁ ଦୀନଦରିଦ୍ର, ନିରନ୍ନ
ବୁଭୁକ୍ଷୁର ଆର୍ତ୍ତ ଚିତ୍କାର
ଆଉ କରୁଣ କ୍ରନ୍ଦନରେ
କଳା ଅଜଗର ପରି
ଶୋଷି ନେଉଅଛ …
ସକଳ ଐଶ୍ୱର୍ଯ୍ୟର ଶେଯ ପାରି
ନିଘୋଡ଼ ନିଦ୍ରାରେ ଶୋଇ ପଡ଼ିଥିବା
ପାହାଡ଼, ପର୍ବତ, ଖଣି ଖାଦାନର
ଛାତି ଚିରି ଲୁହା, କ୍ରୋମାଇଟ
ତମ୍ବା, ସୁନା, ଆଲୁମିନା …
ଆଉ କଳାହୀରା !!

ପୁଣି, ନୀରିହତାର ପଣତ ପାତି
ଜୀବଜଗତକୁ ଜିଇଁବାର
ଅମ୍ଳଜାନ ବାଣ୍ଟୁଥିବା
ଜଙ୍ଗଲର ଶାନ୍ତସ୍ନିଗ୍ଧ ସବୁଜିମା;
ଆଉ ଛମ ଛମ ଛନ୍ଦ ତୋଳି
ବୋହି ଯାଉଥିବା ଉତ୍ତାଳ ଝରଣାର
କଳକଳ ନାଦ ।

କଳା କୁବେର ବନିବାର
ଦୁର୍ବାର ଆଶାରେ କେତେଦିନ
ଦୁର୍ନୀତି, ଜୁଆଚୋରି, ଶୋଷଣ,
କଷଣ ଆଉ ଲୁଣ୍ଠନର ମଙ୍ଗ ଧରି
କଳା ଶାସନର ଅନ୍ଧଗଳିରେ
ତମେ ବାହି ଚାଲିଥିବ
ଗଣତନ୍ତ୍ରର ଧର୍ମଡ଼ଙ୍ଗା ?

ଲୋକପ୍ରିୟ ଲେଖା

To Top