କବିତା

କନ୍ଦର୍ପ ସହ ଦେଖା ହେଲା

Dr Dilip Kumar Swain's odia poem Kandarpa Saha Dekhaa Helaa

କନ୍ଦର୍ପ କହିଲେ ଆପଣ ଯାହାକୁ ବୁଝନ୍ତି
ଇଏ ନୁହେଁ ସେଇ ଭଦ୍ରଲୋକ
ଫୁଲ ଶର, ରତି ଓ ମେନକାଙ୍କ ସହ
ବାବୁଙ୍କ ଅପଡ଼ ।

କନ୍ଦର୍ପ ସହ ଦେଖା ହେଲା

ବାରିପଦା ଆସୁ ଆସୁ
କନ୍ଦର୍ପ ସହ ଦେଖା ହେଲା ।

କନ୍ଦର୍ପ କହିଲେ ଆପଣ ଯାହାକୁ ବୁଝନ୍ତି
ଇଏ ନୁହେଁ ସେଇ ଭଦ୍ରଲୋକ
ଫୁଲ ଶର, ରତି ଓ ମେନକାଙ୍କ ସହ
ବାବୁଙ୍କ ଅପଡ଼ ।

କନ୍ଦର୍ପ ବୃତ୍ତିରେ ଶିକ୍ଷକ
ମୁହଁରେ ଫୁଟିଛି ଠୋ ଠୋ ଜହ୍ନିଫୁଲ
ଦେହରେ ଝାଉଁଳା ଝୁଲା ଜାମା
ଓଠ ଯୁଗଳ ଠିକ୍‌ ଶୁଖିଲା ସୁବର୍ଣ୍ଣ ରେଖା
ଆପଣଙ୍କର ମନେ ହେବ ଠାକୁର ଚୋରି ହୋଇଯାଇଥିବା
ଏକ ଭଗ୍ନ ମନ୍ଦିର ।

ବୟସ ବଢ଼ିବା ସହ
କନ୍ଦର୍ପର ବିକଶିତ ହେଲା
ନାରୀ ଲାଳୁଆ ଭାବ ।
ସୁନ୍ଦରୀ ତରୁଣୀ ଦେଖିଲେ
ଦେହରେ ଖେଳିଯାଏ ଯୋଗୀଭାବ
ନାରିଭୋଗ ମନେ ହୁଏ ତାକୁ
ନିରର୍ଥକ ପାହାଡ଼ ଚଢା ପରି ।
ଦିନେ କନ୍ଦର୍ପ ବାହା ହେଲା
ନାରୀର ଦେହ ଗନ୍ଧରେ ବନ୍ଦୀ ହେଲା ଘର ।
କନ୍ଦର୍ପ ଦେଖିଲା
ତା’ ଘରେ ଆଉ କାହାର ଖୁରାଚିହ୍ନ
ଧଳା ବିଛଣା ଚଦର ରକ୍ତବର୍ଣ୍ଣ
କାଚ ଗ୍ଲାସ୍‌ରେ ରହିଚି
କାଲି ରାତିର ଟୁକୁଡାଏ ଜହ୍ନ
କିଏ ସେ ?

ଏବେ କନ୍ଦର୍ପର ରାତି ଆସେ
ମାଟି ସୁରେଇରୁ ପିଇ ରନ୍ଧାମଦ ।
ବାରିପଦାର ରାସ୍ତାରେ ବୁଲେ
ଗୋଟାଏ ମାତାଲ ଜହ୍ନରାତି
ତା’ ଶୋଇବା ଘରେ
ବାଘ ନାଚ
କନ୍ଦର୍ପ ବାଘ ଖୋଜିବାକୁ ବଣକୁ ଯାଏ ।

ସକାଳ ହେଲେ ଖୋଜା ହୁଏ କନ୍ଦର୍ପ
ମା’ ଅନାଏ ଦିଗ୍‌ବଳୟକୁ
ବାପା ଖୋଜିଆଣେ ହାଣ୍ଡିଆ ହାଟ
କେଉଁଠି ଥାଏ କନ୍ଦର୍ପ ?

ସୟାଘରେ, ଭାଟିରେ, ଖଟିରେ
ମନ୍ଦିର ନା ମଶାଣିରେ
ବଣ ନା ବଳଙ୍ଗରେ
କେଉଁଠି ଥାଏ ?

ଦିନେ କନ୍ଦର୍ପ ଫେରିଲା କହି କହି
ମାଆଲୋ, ବାପାଙ୍କୁ କହ ଟିକିଏ
କରି ଦେବେ ମୋତେ
କଦଳୀ ବାହୁଙ୍ଗା କେନ୍ଦେରାଟିଏ
ବାହାହେବେ ଯେବେ ଗାଁରେ ଝିଅ
କେନ୍ଦରା ବାଇବି ଧାଗୟଧାୟଁ ।

କନ୍ଦର୍ପ ସହ ଆଉଥରେ ଦେଖାହେଲେ
ବାଘ କଥା ପଚାରିବି ବୋଲି ଭାବୁଛ କି ?
କେନ୍ଦରା ନେଇ ଆସିବି ।

ଲୋକପ୍ରିୟ ଲେଖା

To Top