କବିତା

କେଲୁଣି

Jachindra Kumar Rout's odia poem Keluni

ତା’ ଛୁଆ
ମୁହଁ ଗୁଞ୍ଜିଚି ଛାତି ବୋତଲରେ
କମ୍ପ୍ଲାନ୍ ପିଉଚି
ତା’ ଫଟାଗୋଇଠି ଢ଼ଳେଇ ରାସ୍ତାରୁ
ଚଁ ଚଁ ତାତି ପିଉଚି ।

କେଲୁଣି

ଖପ୍‌ଖାପ୍ ଦୋହଲି ଚାଲୁଚି
ଧୁ ଧୁ ଖରାବେଳେ,
କେଲୁଣି
ତା’ ମୁଣ୍ଡରେ ବେତପାଚିଆ
ବଳାଗଣ୍ଠି ଚା’ଖଣ୍ଡ ଉପରକୁ
ଘୋଡ଼େଇ ଦେଇଚି ତା’ ଦିହ
କସ୍ତାଶାଢ଼ି
କାନି ଦୋଳିରେ ଝୁଲଣ ଖେଳୁଚି
ତା’ ଛୁଆ
ମୁହଁ ଗୁଞ୍ଜିଚି ଛାତି ବୋତଲରେ
କମ୍ପ୍ଲାନ୍ ପିଉଚି
ତା’ ଫଟାଗୋଇଠି ଢ଼ଳେଇ ରାସ୍ତାରୁ
ଚଁ ଚଁ ତାତି ପିଉଚି
ଏ ସାଆନ୍ତାଣୀ !
ଏ ନଖି ଠାକୁରାଣୀ
ଏ ପୁଅ ମା’ ତୋ
କାଚ ସୁନ୍ଦର ବଜର ହେଉ ମା’
ଲହରେଇ ଲହରେଇ
ଡାକୁଚି କେଲୁଣି !

କଳେ ପାନ ବି
ଥମେଇ ଦେଇପାରୁନି
ତା’ ଦିହର ବାମ୍ଫ
ଝାଳୁଆ ଦିହ ଢାଆଁସି ହେଉଚି
ମାଟିପିଣ୍ଢାକୁ ।

ଏସନ ସବୁ ଚାଳଘରକୁ
ପାତାଳି କରି ଦେଇଚି
ଇନ୍ଦିରା ଆବାସ
ପଚ୍ ପଚ୍ କାଦୁଆ ଦାଣ୍ଡ ଆଉ
ପିଲାମାନଙ୍କ ଧୂଳିଘରକୁ
ବୁଡ଼େଇ ଦେଇଚି
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ !

ହୁଁ ! କଉ ସେ କାଳ ଅଛି ଯେ
ଶିତିଳେଇ ଦେବ ଭୂଆଷୁଣୀ
ତା’ ପସରାର ପାଣିକାଚରେ
ବିଶ୍ୱାୟନରେ ବିଧବା ହୋଇ ସାରିଥିବା
ତା’ ନିକି ନିକି ହାତ ।

ଥମ୍ କରି ଲାଗିଯାଉଚି ତା’ ପାଦ
ଧପ୍କିନା ଝାଉଁଳି ପଡୁଚି ତା’ ଆଖି
ଦୁଇଟଙ୍କିଆ ଚାଉଳ ଖସେଇ ଦେଇଚି
ତା’ ଖୋଷଣି
ଗାଁ ବୁଲିବାର ନିଶା ।

ବେକାରିଭତ୍ତା ହାଲକେଇ ଦେଇଚି
ଚଢ଼େଇ ମାରିବାର ପେଶା
ସାପ ଖେଳେଇବାର ବେଉସା
ତା’ ଗିରସ୍ତର !

ତମାମ୍ ଦିନ ବସିପାରୁନି କେଲୁଣି
ଚୁପ୍ ଚାପ୍
ନାକ ତଳେ ପହଁରି ଯାଉଚି
ସାଆଁତାଣୀମାନଙ୍କ କଂସା
ଆମ୍ୱକଷିଆ ତୋରାଣି
ଝାଙ୍କି ଦେଉଚି ତା’ ମଥା
ଫିଟି ଯାଉଚି ସେରପରି ଖୋସା ।

ଦୁଇଟଙ୍କିଆ ଚାଉଳ,
ବେକାରିଭତ୍ତା,
ଜାଲବିଚ୍ଛା (ନେଟଓ୍ୱାର୍କ) ବେପାର
ଥ’ କରି ବସେଇ ଦେଇଚି କେଲୁଣିକୁ
ଏବେ ଗାଁ ଦାଣ୍ଡକୁ ଆସୁନି କେଲୁଣି
ବେତପସରା ମୁଣ୍ଡେଇ
ଆସୁଚନ୍ତି ମ୍ୟାଡ଼ାମ୍‌ମାନେ
ନେଟଓ୍ୱାର୍କର ଜରିପସରା ଧରି ।

ଲୋକପ୍ରିୟ ଲେଖା

To Top