କବିତା

ପୁନଶ୍ଚ ଜୀବନ

Dr Kalpana Mallick's odia poem Punascha Jeebana

ମୀନାକରା କାକରର
ରଙ୍ଗିନ୍ ତ୍ୱରଣ
ବାସ୍ନା ଭର୍ତ୍ତି ଫୁଲଙ୍କର
ଅପୂର୍ବ ମେଲଣ
ନିଆରା ଅନୁଭବ ଆହା

ପୁନଶ୍ଚ ଜୀବନ

ଇଚ୍ଛାହୁଏ
ସକାଳକୁ ଧରି ରଖିବାକୁ
ତମାମ ଦିନରେ
ଦୀର୍ଘ ନିରବତା
ଶାନ୍ତ ସ୍ନିଗ୍ଧ ସୁରୁଯର
କୋମଳ କିରଣ
ସବୁଜିମା ଘାସ ଗାଲିଚାରେ
ମୀନାକରା କାକରର
ରଙ୍ଗିନ୍ ତ୍ୱରଣ
ବାସ୍ନା ଭର୍ତ୍ତି ଫୁଲଙ୍କର
ଅପୂର୍ବ ମେଲଣ
ନିଆରା ଅନୁଭବ ଆହା
ବିଚିତ୍ର ବର୍ଣ୍ଣର ବିଭା,
ସତେ କି ବସନ୍ତ ଇଏ
ଜୀବନର ଆଦ୍ୟ ଆକର୍ଷଣ,
ଧରିକି ରଖନ୍ତି ତାକୁ
ହାତ ପାପୁଲିରେ
ହୃଦୟରେ ମାନସପଟରେ
ତମାମ ଦେହରେ
ପ୍ରତିଟି ବେଳାରେ ।।

ଆଖିର ପଲକମାତ୍ରେ
ଅନ୍ତର ହୁଅଇ ସୂର୍ଯ୍ୟ,
ଚାହିଁଲା ବେଳକୁ ଖାଲି ବୈଶାଖର ତାତି
ମଧ୍ୟାହ୍ନର ତୀବ୍ର ଆନ୍ଦୋଳନ
ଇଏ ବୋଧେ
ଜୀବନ ଓ ଯୌବନ ମଝିର ସଂଗ୍ରାମ
ବୈଶାଖରେ ବସନ୍ତର
ମଧୁ ଗୁଞ୍ଜରଣ, ତତଲା ଝାଞ୍ଜିରେ
ଚନ୍ଦନର ବାସ୍ନା
ଜଣାପଡ଼େ ନାହିଁ ଜୀଇଁବାର ତୃଷ୍ଣା
ମଧୁମୟ ଲାଗେ ଜୀବନ ସଙ୍ଗୀତ
ଆଗକୁ ବଢ଼ିବା ସଂକଳ୍ପ ନିହିତ
ପାଦ ଥମିଗଲେ
ଦିନ ଚାଲିଯାଏ ଆଗକୁ ଶ୍ୟାମଳ
ଅନ୍ଧାର ଘୋଟଇ
ସେଇ ଅନ୍ଧାରର ନିବିଡ଼ ରଙ୍ଗରେ
ଚିନ୍ତାରେ
ଚେତନା ଶୋଇଯାଏ ଧୀରେ
ପୁଣି କେବେ ସିଏ,
ଅନ୍ଧାରିପଣରେ
ନେଶି ହୋଇଯାଏ ମଶାଣି ଜୁଇରେ
ଅନେକ ଅଧୁରା ସ୍ୱପ୍ନ ରହିଯାଏ
ସଯତ୍ନେ ସାଇତା ଦେହ ମରିଯାଏ
ଆତ୍ମା ଚାଲିଯାଏ ଦୂରେ ବହୁ ଦୂରେ
ମିଶିଯାଏ ସିଏ ପରମ ଆତ୍ମାରେ
ପରମ ତୃପ୍ତିରେ
ଶୁଭ ସକାଳର
ଓଁ କାର ନାଦରେ
ବୀଜଟିଏ ହସେ ମହା ଆନନ୍ଦରେ
ପୁନଶ୍ଚ ଅମୃତ ଜୀବନ ସଞ୍ଚରେ ! !

ଲୋକପ୍ରିୟ ଲେଖା

To Top