କବିତା

ଖୁବ ଭଲଲାଗୁଛି

Basanti Das's odia poem Khub Bhalalaguchhi

ମୁଁ ପ୍ରତୀକ୍ଷା କରୁନି ଆଉ
ଏବେ ସକାଳ ବା ସନ୍ଧ୍ୟାକୁ
ଜହ୍ନ କି ଆକାଶକୁ
ସୁଖ କି ଦୁଃଖକୁ
ସାହାଚର୍ଯ୍ୟା ବା ନିଃସଙ୍ଗତାକୁ
ଫୁଲ କି ଫଗୁଣକୁ ।

ଖୁବ ଭଲଲାଗୁଛି

ଖୁବ ଭଲଲାଗୁଛି
ଏବେ ଜୀବନ ଜ୍ୟାମିତି
ନାଁ ମୁଁ ଆଙ୍କୁଛି ଆଉ
ମନ ସିଲଟ୍‌ରେ
କେଉଁ ମିଛ ସ୍ମୃତିର ଚିତ୍ରପଟ୍ଟ
ବର୍ଗ କ୍ଷେତ୍ର ବା ତ୍ରିକୋଣ
ଅବା ବୃତ୍ତଚିତ୍ର ।

ମୁଁ ଆଙ୍କୁଛି ଆଉ
ବିନ୍ଦୁରେ ବିନ୍ଦୁକୁ ଯୋଡ଼ି
ସରଳ ରେଖା ଅବା
କେଉଁ ହିଶାବର ଫର୍ଦ୍ଦ
ଏବେ ଦରକାର ପଡୁନି
ଡିଗ୍ରୀ କୋଣର ସହଭାଗିତା
ଏବେ ତ ସବୁ କିଛି
ତୁଚ୍ଛ କରି ମୁଁ ଚାଲିଛି
ମୋ ହିଶାବର ରାସ୍ତାରେ
ମୋ ଜୀବନ ନନ୍ଦନକାନନର
ସୁରଭୀତ ବାସ୍ନାର ସନ୍ଧାନରେ ।

ମୁଁ ପ୍ରତୀକ୍ଷା କରୁନି ଆଉ
ଏବେ ସକାଳ ବା ସନ୍ଧ୍ୟାକୁ
ଜହ୍ନ କି ଆକାଶକୁ
ସୁଖ କି ଦୁଃଖକୁ
ସାହାଚର୍ଯ୍ୟା ବା ନିଃସଙ୍ଗତାକୁ
ଫୁଲ କି ଫଗୁଣକୁ ।

ମୁଁ ଅନୁଭବ କରୁନି
ବୈଶାଖ ବା ବର୍ଷା
ହେମନ୍ତ ବା ଶୀତର ସ୍ପର୍ଶକୁ
ମୁଁ ମୋ ଭଳି ଜିଇଁବା ଶିଖିଛି
ମୋ ଇଚ୍ଛାର ଇଲାକାରେ
ନିର୍ଦ୍ୱନ୍ଦରେ ନିର୍ବିବାଦରେ ।

ମୋ ସ୍ୱପ୍ନକୁ ମୁଁ ବିସ୍ତାରିତ କରିଛି
ଉନ୍ମୁକ୍ତ କରିଛି ନିର୍ବିଘ୍ନରେ
ଏବେ ନିରାପଦ ଓ ନିଶ୍ଚିତ ହୋଇ
ଏକ ସରଳ ରେଖାରେ
ଜୀବନ ଜ୍ୟାମିତି ଆଙ୍କୁଛି
ମତେ ତେଣୁ ଏବେ ଖୁବ ଭଲ ଲାଗୁଛି ।

ଲୋକପ୍ରିୟ ଲେଖା

To Top