କବିତା

କିଏ ତୁମେ ?

ଅଚାନକ କାହିଁ ଆସି
ମନରେ ମୋ ଗଢ଼ି ଦେଲ
ପ୍ରିତୀର ମନ୍ଦିର ।

ପ୍ରତିଦିନ ତୁମ ପାଇଁ
ଫୁଲ ମୁଁ ତୋଳୁଛି
ଧୂପ ଦୀପ ସଞ୍ଜବତୀ
ନିଇତି ଜାଳୁଛି ।

ତୁମ କଥା ଭାବି ଭାବି
ରାତିଦିନ କେମିତି ବିତୁଛି
ତୁମେ ଥରେ ଦେଖିଯିବ ଆସ ।

ଯେବେଥିଲ ଅଜଣା ମୋ ପାଖେ
ତିଳେ ହେଲେ ନ ଥିଲା ଶୋଚନା
ଏବେ କିନ୍ତୁ ତୁମ ଛଡ଼ା
ଜୀବନ ମୋ ଅନ୍ଧାର ଲାଗୁଛି ।

ସତେକି ମୁଁ ପଥ ହୁଡ଼ି
ଅବାଟରେ ଚାଲିବାକୁ ଆରମ୍ଭ କରୁଛି ।

ତୁମ ସ୍ପର୍ଶ ତୁମ ଆଲିଙ୍ଗନ
ବେଳେବେଳେ ପଡ଼ିଗଲେ ମନେ
ରାତି ଅଧେ ଚେଇଁ ମୁଁ ଉଠୁଛି ।

ନିଦ ତ ହେଉନି ଆଉ
ତୁଛାଟାରେ ଶେଜରେ ମୁଁ
ଗଡ଼େଇ ହେଉଛି ।

ଯଦି କେବେ ଆଉଥରେ
ତୁମକୁ ଭେଟନ୍ତି, ପଚାରନ୍ତି…
କାହିଁକି ଏମିତି କଲ ମୋ
ଜୀବନ ମାନଚିତ୍ର ।

ଯେଉଁଦିନ ତୁମ ସହ
ପ୍ରଥମ ସାକ୍ଷାତ
ସେଇଦିନୁ ଥୁଣ୍ଟା ଗଛରେ ମୋ
ଚୁନିଚୁନି ନୀଳପତ୍ର
କିରିକିରି ହସି ଉଠୁଥିଲେ
ଶୋଇଥିବା ମରୁ ନଦୀଟିଏ
ଧିରେ ଧିରେ ବେଗବଢୀ ହୋଇ
କୂଳ ଲଙ୍ଘି ଗଲା ।

ଶୁନ୍‌ଶାନ୍ ବହଳ ଅନ୍ଧାରେ
କା’ର ଏ ପାଦ ଶବ୍ଦ
ବାର ବାର ଚେତା ଫେରି ଆସେ
ବାହାରେ ନିରେଖି ଚାହିଁଲେ
ସ୍ମୃତି ସବୁ ଅଝଟ ହୁଅନ୍ତି
ଛାତିତଳେ ଲୁଚିଥିବା
ଅକୁହା ଆବେଗ
ଟପ୍‌ଟପ୍ ଲୁହହୋଇ
ଆଖିରୁ ମୋ ନିଗିଡ଼ି ପଡ଼ନ୍ତି ।

ଲୋକପ୍ରିୟ ଲେଖା

To Top