କବିତା

କିଏ ତୁମେ ପ୍ରିୟତମ

Shibanarayan Das's odia poem Kie Tume Priyatama

ତୁମେ ଜୀବନର ଏକଇ କାମ୍ୟ ଚରମ ଆଶ୍ରା ମମ,
ନଶ୍ଵର ଏହି ଜୀବନରେ ତୁମେ ଶାଶ୍ୱତ ପ୍ରିୟତମ ।

କିଏ ତୁମେ ପ୍ରିୟତମ

କିଏ ଡାକେ ମୋତେ ହାତ ଠାରି ଆଜି ବିଶ୍ୱର ପଥ ପରେ,
କିଏ କହେ ତୁ ଯେ ନୋହୁଁ ଏକୁଟିଆ ମୁହିଁ ଅଛି ତୋ ସାଥିରେ ।
ଅଜ୍ଞାନ ମୁହିଁ ପଥ ଚାଲେ ଯେବେ ଜାଣେନା ଲକ୍ଷ ମୋର,
କା’ର ଇଶାରାରେ କ୍ଳାନ୍ତ ପଦ ମୋ ହୁଏ ଯେ ଅଗ୍ରସର ।

କକ୍ଷ ପଥରେ ଫୁଟାଇ ନିତି ମୋ ଲକ୍ଷ ରକ୍ତ ଜବା ,
କିଏ ଚାଲିଯାଏ ପଥ କାଢି ମୋତେ ଅଳକ୍ତ ପଦେ ଅବା ।
ଝୁଣ୍ଟି ପଡୁଥିଲେ ହାତ ଧରି ମୋର କିଏ ସେ ଉଠାଇ ଦିଏ,
ପଡି ଉଠି ପୁଣି ପଥ ଚାଲିବାର କଳା ସେ ଶିଖାଇ ଥାଏ ।

ବାଟ ହୁଡ଼ା ହୋଇ ଅବାଟରେ ଗଲେ କଠୋର କୃପାରେ ତାର,
ଚଲାପଥ ମୋର ପୁଷ୍ପିତ କରେ କରୁଣାର ପାରାବାର ।
ସଫଳତା ପଛେ ଧାଉଁଥାଏ ଯେବେ ବିଫଳତା ଦିଅ ମୋତେ,
ଜୟ ପରାଜୟ ମଣିବାକୁ ଏକ – ଜୀବନ ଯାତ୍ରା ପଥେ ।
ନୟନୁଁ ଝରିଲେ ଅଶ୍ରୁ ମୋହର ବ୍ୟାକୁଳ ହୁଅଇ ଯଦି,
ନୟନେ ନୟନ ମିଶାଇ ତୁମର ଯନ୍ତ୍ରଣା ଦିଅ ପୋଛି ।

ଯେବେ ବହୁ ବାସନା ମୁଁ ଜୀବନେ ଚାହିଁଲି ନ ଚାହିଁ ତୁମକୁ କେବେ,
ବଞ୍ଚିତ କରି ବାଞ୍ଛାରୁ ମୋର ଶିଖାଇ ଦେଇଛ ତେବେ ।
ତୁମେ ଜୀବନର ଏକଇ କାମ୍ୟ ଚରମ ଆଶ୍ରା ମମ,
ନଶ୍ଵର ଏହି ଜୀବନରେ ତୁମେ ଶାଶ୍ୱତ ପ୍ରିୟତମ ।

 

ଲୋକପ୍ରିୟ ଲେଖା

To Top