କବିତା

କ୍ଷତାକ୍ତ ଅଙ୍କୁରୋଦ୍ଗମ

Rukeya Jabeen's odia poem Kshtaakta Ankurodgam

ଜାଣେନା, ଏ ମାୟାର ସଂସାର କି ଆପଣେଇ ପାରିବ ତତେ
ଏକ ଶୁଦ୍ଧ, ପ୍ରଫୁଲ୍ଲିତ ମନ ନେଇ ?

କ୍ଷତାକ୍ତ ଅଙ୍କୁରୋଦ୍ଗମ

ଜାଣେନା, ତୁ ଯେ ଅମାବାସ୍ୟାର କଳଙ୍କିତ ଜହ୍ନ
ଅବା ପୂର୍ଣ୍ଣମୀର ଅକ୍ଷୁର୍ଣ୍ଣ ଚନ୍ଦ୍ରମା ?
ଟାଣିନେବୁ ଏଇ ଜୀବନକୁ,
ଯନ୍ତ୍ରଣାର ଆହୁରି ଗଭୀର ଗହ୍ୱରକୁ,
ଜଳେଇବୁ, କନ୍ଦେଇବୁ
ତିଳ ତିଳ ହତୋତ୍ସାହିତ କରି ମାରିବୁ, ପୁଣି ବଞ୍ଚେଇବୁ ?

ଅଥବା, ତୋ ଅକ୍ଷୁର୍ଣ୍ଣ ରୂପର ଅଲୌକିକ ଜ୍ୟୋତିରେ
ଉଜ୍ଜ୍ୱଳ କରିଦବୁ ମୋ ଅସ୍ଥିର ଭବିଷ୍ୟ,
ତୋ ଶୀତଳ ସ୍ପର୍ଶରେ, କୋମଳ ହସରେ,
ପାଉଁଶ କରିଦବୁ ସବୁତକ ଅତୀତ, ବର୍ତ୍ତମାନର ବେଦନା ।

ଜାଣେନା, ଏ ମାୟାର ସଂସାର କି ଆପଣେଇ ପାରିବ ତତେ
ଏକ ଶୁଦ୍ଧ, ପ୍ରଫୁଲ୍ଲିତ ମନ ନେଇ ?

ତୋ ଚତୁଃପାର୍ଶ୍ୱେ ଯେ ଘୁରି ବୁଲୁଛି
ଅସଂଖ୍ୟ ଅନିଶ୍ଚିତତାର ପ୍ରଶ୍ନବାଚୀ ?
ଏଇ ଦୁନିଆରେ ତୁ ଆସିବୁ, ହସିବୁ ,
ପରିପୂର୍ଣ୍ଣ ଶରୀର, ସୁସ୍ଥ ଜୀବନ ପାଇବୁ ?

ଜାଣେନା, ମୋ ଗର୍ଭେ ତୋ ଆସ୍ଥାନ କେତେଦିନ ,
ହୁଏତ ଜାଣିବାକୁ ଚାହେଁନା,
କିନ୍ତୁ ଯେତେଦିନ
ତୁ ମୋ ଭିତରେ ଶ୍ଵାସରତ
ମୁଁ ଉତ୍କଣ୍ଠିତ, ଉତ୍ସାହିତ,
ଇଚ୍ଛା ସତ୍ତ୍ୱେ ଆବେଗହୀନ, ଆସ୍ଥାଶୂନ୍ୟ ।

ଲୋକପ୍ରିୟ ଲେଖା

To Top