କବିତା

କୁଳାଙ୍ଗାର ଉପାଖ୍ୟାନ

Er Bidyadhar Panda's odia poem Kulaangaara Upakhyaana

ମାଆ ମନାସିଲା ପୁଅ ମୋର ଗଲେ ବିଦେଶକୁ ହେବ ଭଲ । ପଇସା କଉଡ଼ି ଅଭାବ ହେବନି ନାତିକୁ କରିବ ଗେଲ ।।

କୁଳାଙ୍ଗାର ଉପାଖ୍ୟାନ

ମାଆ ଚାହେଁ ସଦା ପୁଅର ସୌଭାଗ୍ୟ ସହିତ ଉଦର ପୂର୍ତି । ରୋଗ କି ବୈରାଗ ପାଖ ନମାଡ଼ନ୍ତୁ ଭରିଥାଉ ପ୍ରାଣ ଶକ୍ତି ।।
ପୁଅ ଯେବେ ଦିଏ ଅସହ୍ୟ କଷଣ ଆଖିରୁ ଗଢ଼ାଏ ଲୁହ । ପର ବୁଦ୍ଧିଆଟା ପିଲା ମୋ ହୋଇଲା କି ଉପାୟ ମୋତେ କୁହ ?
ଏତିକିରେ ଇତି ମନର ଭାବନା ଧରେ ନାହିଁ ପୁଅ ଦୋଷ । ଅଭିଶାପ କେବେ ଭିତରୁ ଆସେନି ଉପର ଠାଉରା ରୋଷ ।।
ସେଥିପାଇଁ ମାତା କୁମାତା ହୁଏନି ପୁତ୍ର ହୁଏ କୁଳାଙ୍ଗାର । ଅବିରତ ମାତା ଆଶୀର୍ବାଦ ଦିଏ ହେଉ ଯେତେ ଅବିଚାର ।।
କଳିକାଳ ପୁଅ ଜ୍ୱର ଝାଡ଼ା ହେଲେ ପଦେ କରନ୍ତିନି ଆହା । ତଥାପି ମନରେ କ୍ଷୋଭ କରେ ନାହିଁ ବିବଶ ବିଚାରି ମାଆ ।।
ଏମିତି ଗୋଟିଏ ମାଆର କପାଳେ ବିଧି ଲେଖିଥିଲା ଦୁଃଖ । ପରିବାରେ ଥିଲେ ମାଆ, ପୁଅ, ବୋହୁ ମୋ’ଟ ତିନୋଟି ଲୋକ ।।
ବିଦେଶ ମାଟିରୁ ଡ଼କରା ଆସିଲା ଚାକିରି ଯୋଗ ଦେବାକୁ । ସଭିଙ୍କର ମନ ଆନନ୍ଦରେ ନାଚେ ଅଭାବ ଯିବ ଦୂରକୁ ।।
ମାଆ ମନାସିଲା ପୁଅ ମୋର ଗଲେ ବିଦେଶକୁ ହେବ ଭଲ । ପଇସା କଉଡ଼ି ଅଭାବ ହେବନି ନାତିକୁ କରିବ ଗେଲ ।।
କୁନା ବାପା କଥା ମନେ ପଡ଼ିଗଲେ ଆଖି ହୁଏ ଛଳଛଳ । ନାତି ଟିଏ ହେଲେ ସବୁ ଜିବ ଭୁଲି, ବଦଳିବ କାଳ ବେଳ ।।
ବିଭାଘର ମାସେ ହୋଇଛି କି ନାହିଁ କୁନା ମାଆକୁ କହିଲା । ହୋଟେଲରେ ଖାଇ ଦରମା ସରୁଚି ବୋହୁକୁ ନେବି ବୋଇଲା ।।
ବୋହୁ ଗଲେ ତୋର ରୋଷେଇ କରିବ ଘର ଖାଇବା ଖାଇବି । ହାତଗୋଡ଼ ତୋର ଭଲ ଥିବା ଯାଏ ସେଇଠି ତାକୁ ରଖିବି ।।
ପାଖଫ୍ଲାଟ୍ ରେ କହି ମୁଁ ଯାଉଛି କତିକୁ ଆସିବେ ତୋର । ମଝିରେ ମଝିରେ ଫୋନ କରିକି ଜାଣିବି ଏଠା ଖବର ।।
ବାପା ମଲା ବେଳେ କହି ଗଲେ ସିନା ଫ୍ଲାଟ୍‌କୁ ବିକିବନି । ମୋତେ ଲାଗେ କିନ୍ତୁ ଗାଁ ସାଇ କଥା ଫ୍ଲାଟ୍‌ରେ ମିଳିବନି ।।
ସେ ସବୁ ପଛରେ ବିଚାର କରିବା ଏବେ ତୁ ନଧର ମନ । ଟିଭି ଦେଖୁଥିବୁ, ପୂଜା କରୁଥିବୁ ଆରାମେ କଟିବ ଦିନ ।।
ସକାଳ ପାଇଲେ ପଳେଇବୁ ଆମେ ଉଡ଼ାଜାହାଜରେ ବସି । ମନ ଦୁଃଖ ତୁହି କରୁ କାହିଁ ପାଇଁ ଚଳୁଥାଆ ମିଳି ମିଶି ।।
ବୁଢ଼ି ମୁହଁ ଟିକେ ଆମ୍ବିଳା ଦିଶିଲା ସପନଟା ଗଲା ଭାଙ୍ଗି । ତାନା ବାନା କେତେ ବୁଣି ଥିଲା ବୁଢ଼ି ବିଭିନ୍ନ୍ନ ରଙ୍ଗରେ ରଙ୍ଗି ।।
ସମୟ ଆସିଲା ପୁଅ ବୋହୁ ଗଲେ ବିଦେଶରେ କଲେ ଘର । ବୁଢ଼ି ମାଆଟିକୁ ଭୁଲିଗଲେ ପୁରା ଉଜୁଡ଼ା ବୁଢ଼ି ସଂସାର ।।
କୁନା ବାପାଙ୍କର ଅଧା ପେନ୍‌ସନ୍ ମାସକୁ ତିନି ହଜାର । ବୁଢ଼ି ପେଟ ପାଇଁ ଯଥେଷ୍ଟ ହେଉଛି ଅଧିକ କି ଦରକାର ?
ସବୁ ଫ୍ଲାଟ୍ ର ବୁଢ଼ି ଯେତେ ଥିଲେ କଲେ ଗୋଟିଏ ସମିତି । ଭଜନ ସେବାରେ ହସ ଖୁସି କରି ସମୟ କାଟିଲେ ନିତି ।।
ଚାରି ମାସ ପରେ ପଡ଼ୋଶୀ କହିଲା-ପୁଅ କରିଥିଲା ଫୁନ୍ । ନାତିଟିଏ ତୋର ଜନମ ହୋଇଛି, ନାଁ’ ଟି ଅଛି – ପୁପୁନ୍ ।।
କୁନା କହୁଥିଲା ବାପା ପରି ଦିଶେ ଅବିକଳ ଲମ୍ବା ନାକ । ମାଆକୁ କହିବ ସବୁ ଭଲ ଏଠି, ମନେ ଆଣିବନି ଦକ ।।
ମାଆ କାନ୍ଦି କାନ୍ଦି ବେଦମ ହୋଇଲା ପଡ଼ୋଶୀ କହିଲା ଯାଇ । ଭିଡ଼ିଓ କଲିଙ୍ଗ୍ କରି ଦେଇ ପୁଅ ନାତିକୁ ଦେଲା ଦେଖାଇ ।।
ବୁଢ଼ି ମନ କିବା ଏଥିରେ ମାନୁଛି ମୋବାଇଲ୍ ଛବି ଅନା । ନାତିକୁ କେବେ ତୁ ଘରକୁ ଆଣିବୁ ସତ କହ ଆଜି କୁନା ?
କମ୍ପାନୀ ଦେଉନି ଦିନେଛୁଟି ମାଆ ବୋହୁରଦେହ ଏମିତି । ଛୋଟଛୁଆ କେତେ ହଇରାଣ କରେ ଯିବୁ ବା ଆମେ କେମିତି ?
ତୋ’ର ଏବେ ସବୁ ଭଲ ବୋଲି କହୁ ଯାଉ କେଇଟା ବରଷ । ନାତିଟା ଟିକିଏ ବଡ଼ ହୋଇଗଲେ ଘେନିଯିବି ତୋର ପାଶ ।।
ବୁଢ଼ି କାଟିଚାଲେ ଉଦାସ ଜୀବନ ଇଛା ଦେଖିବାକୁ ନାତି । ନିରୁପାୟ ଆଜି ବୁଢ଼ିକାଳେ ସିଏ ପ୍ରାର୍ଥନା କରୁଛି ନିତି ।।
ଏଭଳି ଚାଲିଲା ବହୁତ ବରଷ ବୁଢ଼ି ପଚାରେ ପୁଅକୁ । ନାତିଟା ମୋହର ବଡ଼ ତ ହେଲାଣି କେବେ ଆଣିବୁ ଦେଶକୁ ?
ସବୁ ଥର କିଛି ବାହନା କରିକି ଟାଳିଦିଏ ମାଆ କଥା । ଧିରେଧିରେ ମାଆ ଅସୁସ୍ଥ ହୋଇଲା ବୁଲେଇଲା ଖାଲି ମଥା ।।
ପୁଅର ପାଖକୁ ଖବର ଦେବାକୁ ମାଆ ଗଲା ପଡ଼ୋଶକୁ । ପଡ଼ୋଶୀ କହିଲେ ପୁଅଟା ଖରାପ ମା’ ଗାଳି କଲା ତାଙ୍କୁ ।।
ବୋହୁଟା ମୋହର ଟିକେ ଅମାନିଆ ପୁଅ ମୋହର ନିର୍ଦ୍ଧୋଷ । ସବୁ ମାଆଙ୍କର ମାତ୍ରାଧିକର ମୋହ ଦିଶେ ନାହିଁ ଦୋଷାଦୋଷ ।।
କିଛି ଦିନ ପରେ ପୁଅ ଫୁନ୍ କଲା ଆସିବା ବାରତା ଦେଲା । ମାଆ ମନ ଏତେ ପ୍ରଫୁଲିତ ଯେହ୍ନେ ମୟୁର ମେଘ ଦେଖିଲା ।।
ଏତେ ବର୍ଷ ପରେ ମିଳିଲା ମଉକା ବୁଡ଼ି ଭାବିଛି ମନରେ । କୁନା ବାପା ପରି ନାତି ହୋଇଥିବ ଗେଲ କରିବ କୋଳରେ ।।
ନିର୍ଦ୍ଧିଷ୍ଟ ଦିନରେ ପୁଅ ପହଞ୍ଚିଲା ଛିଡ଼ା ଅଗଣା ଦୁଆରେ । ବୁଢ଼ି ଭାବିନେଲା ନାତି ବୋହୁ ମୋର ଅଛନ୍ତି ଦାଣ୍ଡ ପିଣ୍ଡାରେ ।।
ଏକା ନିଶ୍ୱାସରେ ବୁଢ଼ି ଧାଇଁଗଲା ନାତିକୁ ଦେଖିବା ଆଶେ । କାହାକୁ ନଦେଖି ମନ ମରିଗଲା ବସି ପଡ଼ିଲା ଉଦାସେ ।।
କଅଁଳିଆ ସ୍ୱରେ ପୁଅ କହୁଥିଲା ନାତିର ସ୍କୁଲ୍ ଚାଲିଛି । ପଞ୍ଚମ ଶ୍ରେଣୀର ଅନେକ ପୁସ୍ତକ ପାଠଟା ଭଲ ପଢ଼ୁଛି ।।
ଏମିତି ଦିନେ ବି ତୁ ପଢ଼ୁଥିଲୁ କି ଲାଭ ଜନମ କରି ? ଭାବୁଛି ମୁଁ ବୋଧେ ନାତିକୁ ନଦେଖି ଅବେଳେରେ ଯିବି ମରି ।।
ପୁଅକୁ କହିଲା ମୁହଁ ହାତ ଧୋଇ ବସି ପଡ଼ ଖାଇବାକୁ । ଯାହା ଯାହା ତୁହି ଭଲ ପାଇ ଥାଉ ରାନ୍ଧିଛି ପରସିବାକୁ ।।
ପୁଅ ଭଲ ପାଏ ମାଆ ହାତ ରନ୍ଧା କଖାରୁ ଫୁଲର ଭଜା । ଛୁଆ ବେଳେ ତାକୁ ରାଗ ତରକାରି ଲାଗୁଥିଲା ଭାରି ମଜ୍ଜା ।।
ଆଳୁ ଝୋଳ କଲେ ବେଶି ଭାତ ଖାଏ ଶାଗମୁଗ ସଂଗେ ବଡ଼ି । ଗୋଟି ଗୋଟି କରି ମାଆ ମନେ ଅଛି ରାନ୍ଧିଛି ସବୁ ଯୋଗାଡ଼ି ।।
ଖାଇ ସାରି ପୁଅ ଶୋଇବାକୁ ଗଲା ମାଆର ମନ ଉଚ୍ଚାଟ । ମଧୁର ସ୍ୱରରେ ମାଆକୁ କହିଲା ବିକିବା ଆମର ଫ୍ଲାଟ୍ ।।
ନାତି ପାଇଁ ଏବେ ଖର୍ଚ୍ଚ ବେଶି ହୁଏ ପଢ଼ା ପାଇଁ ବିଦେଶରେ । ଫ୍ଲାଟ୍ ବିକିଲେ ପୁରା ହୋଇଯିବ ତୋର କି କାମ ସହରେ ?
ଗାଁ ଘରଟିକୁ ସଜାଡ଼ି ଦେଲେ ତୁ ଆରାମରେ ଚଳିଯିବୁ । ସାଇ ପଡ଼ିଶାଏ ସାହାଯ୍ୟ କରିବେ, ସୁଖରେ ଦିନ କାଟିବୁ ।।
ମାଆ କହେ ପୁଅ ବାପା କିଣିଥିଲେ ପେଟର ଦାନାରୁ ସଞ୍ଚି । ମଫସଲ ଘରେ ପାଇଖାନା ନାହିଁ କେମିତି ପାରିବି ବଞ୍ଚି ।।
ପୁଅ କହେ ମିଛ ଅଭିନୟ କରି ତୋ ଚିନ୍ତା ଘାରୁଛି ମୋତେ । ଏଠି ଯଦି କିଛି ଅଘଟଣ ଘଟେ କିଏ ଅନେଇବ ତୋତେ ?
ଗାଁ ଗହଳିରେ ଲୋକ ଗୁଡ଼ା ଭଲ ତୁରନ୍ତ ଦେବେ ଖବର । ଅବିଳମ୍ବେ ପାଶେ ଆସିବି ମୁଁ ଚାଲି କରିବାକୁ ଉପଚାର ।।
ବାପା ମଲାବେଳେ କହି ଯାଇଥିଲେ ବିକିବନି ଏ’ ଘରକୁ । ମୋର ଉପହାର ସାଇତି ରଖିବ ଦେବା ପାଇଁ ମୋ’ନାତିକୁ ।।
ଶେଷ ବ୍ରହ୍ମ ଅସ୍ତ୍ର ଛାଡ଼ିଦେଲା ପୁଅ କହି ମଧୁର ବଚନ । ଏ ଘରକୁ ଆମେ ବିକ୍ରି କରିଦେଇ ଚାଲିଯିବା ଦୁଇ ଜଣ ।।
ସମସ୍ତେ ମିଶିକି ଏକାଠି ରହିବା, ଯାହା ହେବ ଦେଖାଯିବ । ଏକଥା ଶୁଣିକି ମାଆ ରାଜି ହେଲା, ନାତି ସାଂଗରେ ଖେଳିବ ।।
ଗରାକ ଆସିଲା ସନ୍ତକ ନେଇକି ଗଣିଲା ବହୁତ ଟଙ୍କା । ବୁଢ଼ି ଦେଖୁଥିଲା ପୁଅର ମୁଁହକୁ ହସିଲା ବାପା ପରିକା ।।
ଏଭଳିଆ ହସ ପୁଅର ମୁହଁରେ କେବେ ତ ନଥିଲା ଦେଖି । ଅବିକଳ କୁନା ବାପା ପରି ହସ ବୁଢ଼ିର ମୋହିଲା ଆଖି ।।
କୁନା ଟଙ୍କା ସବୁ ଗଣି ବାନ୍ଧୁଥାଏ ହସି ମୁରୁକି ମୁରୁକି । ମାଆ ମନ ହୁଏ ହର୍ଷ ଉଲ୍ଲଷିତ ପୁଅର ଏ ଖୁସି ଦେଖି ।।
ପରଦିନ କୁନା କହିଲା ମାଆକୁ ଖରାବେଳେ ଆମେ ଯିବା । ସଂନ୍ଧ୍ୟା ପାଞ୍ଚଟାରେ ଜାହଜ ଛାଡ଼ିବ ସକାଳକୁ ପହଞ୍ଚିବା ।।
ଲୁଗା ପଟା ସବୁ ବୁଢ଼ି ସଜାଡ଼ିଲା ପୁଅର ସଂଗତେ ଯିବ । ଅସମ୍ଭାଳ ମନ ନାତିକୁ ଦେଖିବ କିପରି ରାତି ପାହିବ ?
ବାହାରିଲା ବେଳେ ଗରାକ ଆସିଲା ଘରଚାବି ନେବା ପାଇଁ । ଦୁଇଧାର ଲୁହ ଗଢ଼ାଇଣ ବୁଢ଼ି ହାତକୁ ଦେଲା ବଢ଼ାଇ ।।
କୁନାବାପାର ଏ ଶେଷ ସନ୍ତକଟି ଦେଲା ପର ହାତେ ଟେକି । ବୁଢ଼ି ମନ ଜମା ବୁଝୁ ନ ଥିଲେ ବି କିଭଳି ପାରିବ ରୋକି ?
ଅବିରତ ଲୁହ ଧାର ବୋହି ଚାଲେ, କୁନା ବାପା କଥା ଭାବି । କଥା ଦେଇଥିଲା ବିକିବନି ବୋଲି ମନେ ପଡ଼ୁଥାଏ ଚାବି ।।
ବିମାନ ବନ୍ଦର ପହଞ୍ଚିଲେ ଦୁହେଁ ବୋହୁ ଫୋନ୍ ଆସିଲା । ଭଲମନ୍ଦ କଥା ହେଲା ପରେ ମାଆ ଅସୁଛି ବୋଲି କହିଲା ।।
ପୁଅ ହାତ ଠାରି ମାଆକୁ କହିଲା ଏହି ଠାରେ ଥାଅ ବସି । ବୁଝା ବୁଝି କରି ଫେରିବି ସଅଳ ଘେନିଯିବି ସାଥେ ଆସି ।।
ଘଣ୍ଟା ପରେ ଘଣ୍ଟା ସମୟ ବିତିଲା ବୁଢ଼ି ଅନେଇଛି ବସି । ପାଞ୍ଚଟାରେ ଥିଲା ଜାହଜ ଛାଡ଼ିବା ଛଅଟା ହେଲାଣି ଆସି ।।
କାହିଁକି କେଜାଣି ପୁଅ ଫେରୁନାହିଁ ପଚାରିଲା ପୁଲିସକୁ । ପୁଅ ଯାଇଥିଲା ବୁଝାବୁଝି ପାଇଁ କିଏ ଦେଖିଛ ତାହାକୁ ?
ଆମେରିକା ଯିବା ପାଇଁ ଆସିଥିଲୁ ସଂନ୍ଧ୍ୟା ଜାହଜରେ ଚଢ଼ି । ପୁଅ କାହିଁପାଇଁ ଫେରିଲାନି ମୋର ବିତିଲାଣି ଏତେ ଘଢ଼ି ?
ସିକୁରିଟି କୁହେ ଫେରି ଯା’ ମାଉସି ଜାହାଜ ଗଲାଣି ଉଢ଼ି । ପୁଅ ଏକା ଗଲା ବସି ସେଇଥିରେ ତୁମକୁ ଏଠାରେ ଛାଡ଼ି ।।
ମଆ କୁହେ ତୁମେ ଭୁଲ୍ କହୁଛ ମୋର ଭାରି ଭଲ ପୁଅ । ଅତି ଶିଘ୍ର ସିଏ ଆସିବ ଏଠାକୁ ମୋତେ ନେବାକୁ ନିଶ୍ଚୟ ।।
ବିଳମ୍ବିତ ରାତି ବାରଟା ବାଜିଲା ବୁଢ଼ିର ଆରମ୍ଭ କାନ୍ଦ । ପୁଅଟା ଏଭଳି କିପରି କରିଲା ? ତଥାପି ପାଞ୍ଚୁନି ମନ୍ଦ ।।
ଘଟଣା ଶୁଣିକି ଜମା ହେଲେ ବହୁ ବିମାନ ବନ୍ଦରେ ଲୋକ । ଅନୁରୋଧ ରଖ ଚାଲ ଘର ଯିବା, ପୁଅ ଭଳି ଭାବି ଦେଖ ।।
ମାଆ ପରି ଧରା ବକ୍ଷେ କିଏ ଆଉ ଚିନ୍ତା କରିବ ମଙ୍ଗଳ ? ଯେତେ ପାରୁ ପୁଅ ଦୁଃଖ ଦେଉ ପଛେ ନ ପଚାରୁ କାଳକାଳ ।।
କେବେହେଲେ ଅଭିଶାପ ଦେବ ନାହିଁ ଅନ୍ତରରେ ଧରି ରୋଷ । କହିବ ପରର ବୁୁଦ୍ଧିରେ କରୁଛି ପୁଅଟା ମୋର ନିିର୍ଦ୍ଧୋଷ ।।
ବୁଢ଼ି ମାନିଲାନି କାହା କଥା ସେଠି ଶେଷରେ ନିଷ୍ପତି ନେଲା । କାହା ଘରେ କିଆଁ ବୋଝ ହେବି ଯାଇ ନିଜ ପୁଅ ତ ନୋହିଲା ।।
ସେଇ ଫ୍ଲାଟ୍‌କୁ ଫେରିଯିବ ସିଏ ପଡ଼ୋଶୀ ଘରେ କହିବ । ଚୁଲା ଚକି ସହ ବାସନ ମାଜିବ ନିଶ୍ଚେ କିଏ ରଖିନେବ ।।
ପଡ଼ୋଶୀ ମାନଙ୍କ ମଧ୍ୟରେ ଅନେକ ଲୋକ ତ ଅଛନ୍ତି ଭଲ । ପେଟ ଚାଖଣ୍ଡକ ପୁରିଗଲେ ଗଲା କଟିଯିବ ଶେଷ କାଳ ।।
ଦିନେ ନାହିଁ ଦିନେ ଆସି ପାରେ ପୁଅ ଆଖ ପାଖ ଅଞ୍ଚଳକୁ । ବାପାର ସନ୍ତକ ମନେ ପଡେ ଯଦି ଇଚ୍ଛା ହେବ ଦେଖିବାକୁ ।।
ଏମିତିରେ ନାତି ଦେଖା ହୋଇପାରେ ପୁଅର ଜାଣିବି ଭେଦ । ସ-ପରିବାରେ ସ-କୁଶଳ ଥାଉ ମାଆ କରେ ଆଶୀର୍ବାଦ ।।
ପୁତ୍ର ମୋହ ଆଗେ ବିବଶ ହୋଇକି ପାଲଟିଲା ଚାକରାଣି । ଗିରସ୍ତ ପେନ୍‌ସନ୍ ପାଇ ଚଳୁଥିଲା ଘରେ ହୋଇ ବାବୁଆଣି ।।
ସଂସାରେ ଏଭଳି ବିରଳ କୁପୁତ୍ର ଥିବ ବୋଧେ ସେଇ ଏକା । ଅମଣିଷ ପୁଅ କେମିତି କରିଲା ମାଆର ସଂଗରେ ଧୋକ୍କା ।।
ଅପୁତ୍ରିକ ଥିଲେ ଭଲ ହୋଇଥାନ୍ତା ସୁଲଭ ଶେଷ ଜୀବନ । ସପୁତ୍ରିକ ହୋଇ କାଳିଆକୁ ଡ଼ାକେ, ସଅଳ ନିଅ ମୋ’ ପ୍ରାଣ ।।
ଏଭଳି ସଂବାଦ ପଢ଼ିଲେ ଶୁଣିଲେ ଉଦାସ ହୁଅଇ ମନ । ସତ୍ୟ ଘଟଣାଟି ନାମିତ ହୋଇଲା କୁଳାଙ୍ଗାର ଉପାଖ୍ୟାନ ।।

ଲୋକପ୍ରିୟ ଲେଖା

To Top