କବିତା

ଲକ୍‌ଡାଉନ

Rukeya Jabeen's odia poem Lockdown

କରୋନା ଯୋଗୁଁ ପ୍ରୟୋଗ କରାଯାଇଥିବା,
ଲକ୍‌ଡାଉନ ମାନେ,
କିଛିମାତ୍ରାରେ ବୁଝେ ମଧ୍ୟବିତ୍ତ ପରିବାରଟିଏ,
ହାତଗୋଡ଼ ବାନ୍ଧି ଘରେ ବସିଲା ବେଳେ
ସରି ସରି ଯାଏ ତା’ ଜମାପୁଞ୍ଜି,

ଲକ୍‌ଡାଉନ

ଏକ ନିର୍ଦ୍ଧାରିତ ସମୟ ସୀମାକୁ ନେଇ ପର୍ଯ୍ୟବେସିତ ,
ଅଣନିଶ୍ଵାସୀ କରିପକାଉଥିବା କାର୍ଯ୍ୟବ୍ୟସ୍ତତା ,
ଏବଂ ଜନସମାଗମର ରୁନ୍ଧିବୁନ୍ଧି ହେଉଥିବା,
ଚାକଚକ୍ୟପୂର୍ଣ୍ଣ ଆଭିଜାତ୍ୟ ଜୀବନ ଶୈଳୀରୁ,
ବିରତିଟିଏ ମାତ୍ର,
ପରିବାର, ପରିଜନ ବା ଆତ୍ମୀୟଙ୍କୁ,
କିଛି ପ୍ରେମ, ସ୍ନେହ ଭରା,
ଏକାନ୍ତ କ୍ଷଣଗୁଡ଼ିକର ଉତ୍ସର୍ଗୀ କରଣର
ଅନ୍ୟ ନାମଟି ଲକ୍‌ଡାଉନ,
ବିଶେଷ କରି ସେହି ମାନଙ୍କ ପାଇଁ,
ଯାହା ପାଖରେ ଧନରତ୍ନ, ଐଶ୍ଵର୍ଯ୍ୟର ସମ୍ଭାର,
କିନ୍ତୁ ନିଜ ପାଇଁ ତଥା ନିଜର ବୋଲାଉଥିବା
ଲୋକମାନଙ୍କ ପାଇଁ କେବଳ ସମୟର ଅଭାବ ।

କରୋନା ଯୋଗୁଁ ପ୍ରୟୋଗ କରାଯାଇଥିବା,
ଲକ୍‌ଡାଉନ ମାନେ,
କିଛିମାତ୍ରାରେ ବୁଝେ ମଧ୍ୟବିତ୍ତ ପରିବାରଟିଏ,
ହାତଗୋଡ଼ ବାନ୍ଧି ଘରେ ବସିଲା ବେଳେ
ସରି ସରି ଯାଏ ତା’ ଜମାପୁଞ୍ଜି,
ଯାହାକୁ ନେଇ କେତେ ଯେ ସ୍ୱପ୍ନ ବୁଣିଥିଲା ସିଏ ,
ଜଞ୍ଜାଳମୟ ଜୀବନକୁ ସୁଧାରି ନବାର ବିଶ୍ୱାସ ହରେଇ
ସମୟର ସାଥେ ପାଦ ବଢ଼େଇ, କେବଳ ଆଗେଇ ଚାଲିଛି,
ଶ୍ୱାସର ଗତି ଯେ ତା’ର ଅଟକି ଯାଇ ନାହିଁ ।

ପ୍ରକୃତ ଅର୍ଥ ଲକ୍‌ଡାଉନର ବୁଝେ କିନ୍ତୁ
ସେଇ ଦିନ ମଜୁରିଆ, ଖଟିଖିଆ,
ବୁଲାବିକାଳି ଅବା ଭିକ୍ଷୁକଟେ ,
ଝାଳ ବିକି ଯିଏ ଆହାର କିଣେ,
ସରକାରଙ୍କ ଚାଉଳ ତା; ହାଣ୍ଡିରେ ଫୁଟେ ସତ ,
ଭାତର ଚଟଣି ସାଥେ ଖାଏ ସେ ଭାତ,
ଶ୍ରୁତିମଧୁର ନ ହେଲେ ବି ,
ଇଏ ସଂସାର ଖେଳ, ନିରାଟ ସତ୍ୟ ।

ଶାରୀରିକ ରୋଗ କରୋନା,
ସାଜିଲାଣି ମାନସିକ ମହାମାରୀ
ଭାତୃଭାବ ଅବା ସମାନତାର ତଣ୍ଟି ଚିପି
ନିଜ ନିଜ ଭିତରେ କଲାଣି ମାନବ ଯୁଦ୍ଧଜାରି,
ରୋଗ ନାଁ ରେ ଚାଲିଛି କେତେ ଯେ ରାଜନୀତି,
ଜାତି, ଧର୍ମ, ବର୍ଣ୍ଣ ବିଭାଜନ,
ଉଠିଲାଣି ଚେଇଁ ରାତାରାତି ।

ଏବେ ପୁଅ ରହିଲାଣି ବାପା ମା ଠୁଁ ଦୂର,
ବୁଝି ଅବୁଝା ହେଲେଣି ସାଥି ଜନ୍ମଜନ୍ମାନ୍ତର,
ମଣିଷଠୁ ମଣିଷ ରହିଲେଣି କୋଷଦୂର,
ଜୀବନ ବଞ୍ଚାଇବାକୁ ଏଠି ସଭିଏଁ ତତ୍ପର,
ତଥାପି ଲାଗିଛନ୍ତି ସେବାରେ ନିରନ୍ତର,
ସେଇ ଖାଖୀ, ବସ୍ତ୍ରଧାରୀ,
ପୋଲିସ, ସ୍ୱେଚ୍ଛାସେବୀ, ଝାଡୁଦାର,
ଆଉ ପୁଣି, ଅବିରତ,
କରୋନାର ମୁକାବିଲା କରୁଥିବା
ଡାକ୍ତର ଓ ତାଙ୍କ ସହଚର ।

ଏ ସବୁ ଭାବନାରୁ, ମୁକ୍ତ ହସୁଛି ଏକା ପରିବେଶ,
ପ୍ରଦୂଷିତ ପାଣି, ପବନ ତା’
ଫେରିପାଇଲେଣି ପ୍ରକୃତ ବିଦ୍ୟମାନତା ଓ ବାସ,
ଗାଡ଼ି ମଟର , କଳକାରଖାନାର କଳୁଷିତ ବାଷ୍ପ,
ଆଉ କରୁନାହିଁ ତାକୁ ଶ୍ଵାସରୁଦ୍ଧ,
ଡେଣାମେଲି ଉଡ଼ିଲାଣି ଏବେ ରାଜରାସ୍ତାରେ,
ଥିଲା ଦିନେ ଯୋଉ ପକ୍ଷୀ ବନେ ଆବଦ୍ଧ,
ହିମାଳୟ ଦିଶୁଛି ଆହୁରି ତେଜୀୟାନ୍‌,
ଗଙ୍ଗାର ଜଳ ଝଲସିଲାଣି କାଚ ସମାନ,
ମାନବ ବିକଳ ହେଲାଣି ଲକ୍‌ଡାଉନ ପ୍ରହାରେ,
ପ୍ରକୃତି କିନ୍ତୁ କରୁଛି,
ନିଜକୁ ଉପଭୋଗ ମନୋହରେ ।

ଲୋକପ୍ରିୟ ଲେଖା

To Top