କବିତା

ମା

Kiranbala Nayak's odia poem Maa

ପିଲାଦିନେ ସିଏ କୁନି ହାତ ଧରି
ଚାଲି ଶିଖାଇଛି ମୋତେ
ଟିକି ଓଠେ ପୁଣି ମା ବାପା ଡାକ
ବୋଲି ଶିଖାଇଛି କେତେ ।

ମା

ଗରଭ ଯାତନା ସହି ସହି ଯିଏ
ଜନମ ଦେଇଛି ମୋତେ,
ପାଳି ପୋଷି ପୁଣି କରିଅଛି ବଡ଼
ଲଭି ଦୁଃଖ କଷ୍ଟ କେତେ ।

ପିଲାଦିନେ ସିଏ କୁନି ହାତ ଧରି
ଚାଲି ଶିଖାଇଛି ମୋତେ
ଟିକି ଓଠେ ପୁଣି ମା ବାପା ଡାକ
ବୋଲି ଶିଖାଇଛି କେତେ ।

ରୋଗ ହେଲେ ଯିଏ ପାଶରେ ବସି
ଦିନ ରାତି ଥାଏ ଜଗି,
ଆଖିକୁ ତାହାର ଆସେ ନାହିଁ ନିଦ
ଦିନ ଯାଏ ଭାବି ଭାବି ।

ଭଲ ମଣିଷଟେ ହେବା ପାଇଁ ପୁଣି
ଦିଏ କେତେ ସତବାଣୀ
ସେନେହ ବୋଳା ତା ମଧୁରବାଣୀରେ
ମନ ମୋର ଯାଏ ଜିଣି ।

ଜୀବନ ଦୀପଟା ନ ଲିଭିବା ଯାଏଁ
ଯାଉଥାଏ ସିଏ ଜଳି,
ଜଳିଜଳି ପୁଣି ସେନେହ,ସରାଗ
ଦେଇଯାଉଥାଏ ବୋଳି ।

ନିଜର ଦୁଃଖକୁ ଚାପି ରଖି ମନେ
ଲୁହ ଢାଳେ ଲୁଚି ଲୁଚି,
ଜୀବନଟା ସାରା ଦେଇ ଦେଇ ଖାଲି,
କିଛି ତା ନ ଥାଏ ରୁଚି ।

ଆ ବୋଲି ପଦେ ଡାକଇ ଆଗରେ
ଶେଷ ପୁଣି ଆହାରେ,
ଚନ୍ଦ୍ରମା ପରି ଶୀତଳ କିରଣ
ବିଞ୍ଚୁଥାଏ ଜଗତରେ ।

ତା ଆଗରେ ମୋ ସକାଳ କବିତା
ଲାଗୁଛି ସତେକି ତୁଚ୍ଛ,
କବିତା ଲାଗୁନି, ଲାଗୁଚି ଯେ ପରି
ସେ ନୀଳ ଆକାଶଠୁଁ ବି ସ୍ୱଚ୍ଛ ।

ମୋ ଆୟୁଷ ପ୍ରଭୁ ତା ଆୟୁଷେ ମିଶୁ
ହେଉ ଆୟୁ ଦ୍ଵିଗୁଣିତ
ଜନମେ ଜନମେ ଚରଣେ ତା ସଦା
ହେଉ ମୋର ମଥା ନତ ।

ମୋ ଜୀବନ ନାବେ ନାବିକା ସିଏ ମୋ
ତା ଭିଜା ପଣତେ ଆଶା,
ପୋଛି ଦେଉ ସଦା ମା ଆଖିର ଲୁହ
ହୋଇ ପ୍ରେମ ପରିଭାଷା ।

ସେହି ମୋର ଆଦ୍ୟ, ସେହି ମୋର ପ୍ରାନ୍ତ
ତା ବିନା ନାହିଁ ମୋ ସତ୍ତା ,
ପୂର୍ଣ୍ଣ କରିବି ତା ସୁଖର କଳସ
ତ୍ରାହି ଦିଅ ତ୍ରାଣ କର୍ତ୍ତା ।

ସେଇ ମୋର ମାଆ ମୋ ଜୀବନ ନାଆ
ଜୀବନ୍ତ ଦେବୀଟେ ମୋର,
ମନ୍ଦିର ମସଜିଦ, ଚର୍ଚ୍ଚ କାହିଁ ଯିବି
ପୂଜିବି ପୟର ତାର ।

ମାଆର ସେବାରେ ମନ ପ୍ରାଣ ତୁମ
ଜୀବନ ଦିଅ ବିତାଇ,
ପରମ ଈଶ୍ୱର କରମେ ତୁମର
ଦେବେର ବାଟ ବତାଇ ।

ଲୋକପ୍ରିୟ ଲେଖା

To Top