କବିତା

ମା’ ମାଓବାଦୀ

Jachindra Kumar Rout's odia poem Maa Maaobadi

ମା’ ମାଓବାଦୀ ହେଲେ
ଥନ ହୁଏ ପୂତନା

ମା' ମାଓବାଦୀ

ମା’ ମାଓବାଦୀ ହେଲେ
ବାଦଲରେ ଥଣ୍ଟ ଘସେ ଚିଲ
ଦୁଇଫାଳହୁଏ ମାଟି
ଜରିଯାଏ ମମତା ।

ମାଓବାଦୀଙ୍କ ତୀର ତାରରେ
ଭୂମିକମ୍ପ ହୁଏ ଜଠର
ଜଙ୍ଗଲରେ ଆଉ ସଂସାରରେ
ଲାଗିଯାଏ ନିଆଁ
ରକ୍ତରେ ଗାଧାଏ ଆକାଶ
ବାରୁଦ ଧୂଆଁ ରୁନ୍ଧିଦିଏ ପବନ
ମା’ ମାଓବାଦୀ ହେଲେ
ଆଖିରେ ଜଳୁଥାଏ ରଡ଼ନିଆଁ
ନିଅଁଟ ପଡେ଼ ଟିପେ ଯାଗା
ଥାପିବାକୁ ପାଦ
ତିଆରି ହୁଏ ଶେଯ ସାପ ଦେହରେ
ଲ୍ୟାଣ୍ଡମାଇନ୍ସରେ ସଜାହୁଏ
ତୂଳୀତଳ୍ପ ତକିଆ ।

ମା’ ମାଓବାଦୀ ହେଲେ
ଥନ ହୁଏ ପୂତନା
ସମୁଦ୍ରେ ମହୁ ହେଇଯାଏ ଜହର
ଶୁଖିଯାଏ ଟୋପାଏ ଜୀବନ
ଚୁମାର ଚୋଟରେ ଚିରିଯାଏ ଛାତି
ବିଶ୍ୱାସଘାତ ପୁଅ ପାଇଁ
ଚକୋଲେଟ ହେଇଯାଏ ଛୁରୀ ।

ଗର୍କୀ ଗଢ଼ିଲେ ମା’ମାନଙ୍କୁ ମାଓବାଦୀ
ଥରିଗଲା ପୁଅଙ୍କ ଛାତି
ଚଳା ଚଳା ରକ୍ତର କାଳିରେ
ସରକାରୀ କାର୍ଯ୍ୟାଳୟରେ
ଲେଖା ହେଲା ଲୋକଙ୍କ ବିପତ୍ତି
ମା’ମାନେ ପାଲଟିଗଲେ ମାଓବାଦୀ ।
ଆଖିରେ ପଟି ବାନ୍ଧିଲେ ମା’
ତିଆରି ହୁଏ ଶହେ ପୁଅଙ୍କ ଭାଗ୍ୟ
ବାପାଙ୍କ ଅଜସ୍ର ପ୍ରଶଂସାରେ
ବହିଯାଏ ରକ୍ତର ସମୁଦ୍ର
ମୁଠାଏ ଭାତ, ଟିପେ ଲୁଣରେ
ବଦଳିଯାଏ ମମତାମୟୀଙ୍କ
ମାଓବାଦୀ ଦେଶ ।

ମାଆ ମାଓବାଦୀ ହେଲେ
ନର୍କ ବଦଳିଯାଏ ସ୍ୱର୍ଗ
ମା’ ମାଓବାଦୀ ହେଉକି
ମମତାର ମହୋତ୍ସବ କି
ମଦର ଟେରସା,

ସମସ୍ତଙ୍କ ପାଇଁ ମା’
ଏକୋଇ ଆଶା, ଏକୋଇ ଭରସା
ଅନ୍ତରୁ ଅନ୍ତରୀକ୍ଷ ଯାଏ
ପ୍ରଲମ୍ୱିତ ଖାଲି ମା’ର ଆଶିଷ
ଜରାୟୁରୁ ଜୁଇଯାଏ
ଜୀବନ ହେବା ଯାଏ ନିଃଶେଷ ।

ଲୋକପ୍ରିୟ ଲେଖା

To Top