କବିତା

ମା’

Navajyoti Rai's odia poem Maa

ମୋ ଆଖି ଜଳକା ହେଇଯାଉଛି
କିଏ ଜଣେ ମୁହଁରେ ପଟି ବାନ୍ଧି
ହାତରେ ଛୁରୀ ଧରି
ଯମଦୂତ ପରି ଦିଶୁଛି ।

ମା'

ମା’
ତୁ ପରା କହିଥିଲୁ ମତେ
ତୋ ସୁନ୍ଦର ପୃଥିବୀକୁ ଆଣିବୁ
କୋଳରେ ଧରି ଖୁସି ହେବୁ
ମୋ ଆଖିପତାରେ ଚୁମା ଦେବୁ
ଦେବୁ ପୁଣି ତୋ ଛାତିର ଅମୃତ
ମୋ କୁନି କୁନି ପାଦରେ ପିନ୍ଧାଇବୁ ବୋଲି
କେତେ ଯତ୍ନରେ ବୁଣିଥିଲୁ ମୋଜା ଦୁଇଟି
ଜିଗର କରି ଗଢ଼ିଥିଲୁ ହଳେ ପାଉଁଜି
ସଜାଇ ରଖିଥିଲୁ ଚୁଡ଼ି, ମାଳି ଓ ଖେଳନା
କଜଳପାତି, ଶେଯ ଓ ରୂପାଗିନା ।

ଝୁଲୋଉଥିଲୁ କଳ୍ପନାର ଦୋଳିରେ
ପ୍ରବାସରେ ଥିବା ବାପାଙ୍କୁ ଲେଖୁଥିଲୁ ଚିଠି
ଶୀଘ୍ର ଆସ. . .
ଅନୁଭବ କରିବ ଆମ ଗେହ୍ଲୁର ହଲଚଲ
ମୋ ଗର୍ଭରେ !

ମୋ ନାଁ କ’ଣ ଦେବୁ ବୋଲି
ବାଛିଥିଲୁ କେତେ କ’ଣ ନାଁ
ମୁଁ ତୋ ଅଗଣାର ସବୁଠୁ ସୁନ୍ଦର
ପ୍ରଜାପତି ହେବି ବୋଲି ଗଢୁଥିଲୁ ଚିତ୍ର ।

ତୋର ହଠାତ୍ କ’ଣ ହେଲା ମା’
ବନ୍ଦ କରିଦେଲୁ ସ୍ୱପ୍ନ ଦେଖା
ତୁ ଏଇଠି କୋଉଠି ଶୋଇଛୁ ମା’ ?
ୟେ’ ତ ଆମ ଘର ନୁହେଁ
ହଠାତ୍ ଏତେ ଆଲୁଅ ଆସିଲା କୋଉଠୁ
ଏ ଆଲୁଅ ମୁଁ ସହିପାରୁନି
ମୋ ଆଖି ଜଳକା ହେଇଯାଉଛି
କିଏ ଜଣେ ମୁହଁରେ ପଟି ବାନ୍ଧି
ହାତରେ ଛୁରୀ ଧରି
ଯମଦୂତ ପରି ଦିଶୁଛି ।

ମା’, ଏ ଆଲୁଅ ଅନ୍ଧାରଠୁ ଆହୁରି ଭୟଙ୍କର
ମୁଁ ତୋ ପୃଥିବୀକୁ ଆସିବାକୁ ଚାହେଁ ମା’
ତୁ ଜମା ଡରନା ଉଠି ଆ’
ତୁ ମନେରଖ ମା’
ନିର୍ଭୟା, ବେବିନା, ଇତିଶ୍ରୀ
କେବଳ ମୋ ନାଁ ନୁହେଁ
ମୋ ନାଁ
ଲକ୍ଷ୍ମୀବାଈ, ଇନ୍ଦିରା, କଳ୍ପନା, ସୁନୀତା
ଶ୍ରାବଣୀ, ଦୂତି, ସାକ୍ଷୀ ଓ ସିନ୍ଧୁ ମଧ୍ୟ ।

ତୁ ଆ’ ମୋ ହାତ ଧରି
ଏ ଜାଗା ଛାଡ଼ି
ଆମେ ଗଢ଼ିବା ଆମର ଏକ
ନିଆରା ପୃଥିବୀ
ସେଠି ତୋତେ ଆଉ କେହି
ପ୍ରଶ୍ନ କରିବେନି
ତୋ’ ଭିତରେ ବଢୁଥିବା ମୁଁ
ପୁଅ ନା ଝିଅ !

ଲୋକପ୍ରିୟ ଲେଖା

To Top