କବିତା

ମାନଭଞ୍ଜନ

Surendra Kumar Behera's odia poem Maanabhanjana

ବାଜୁ ନାହିଁ ଶଙ୍ଖ କି ବୁଲୁ ନାହିଁ
ସୁଦର୍ଶନ ଚକ୍ର ,
କାଟିବାକୁ …
ପାପୀ , ଦୁରାଚାରୀ, ଭ୍ରଷ୍ଟାଚାରୀ,

ମାନଭଞ୍ଜନ

ଏଠି କିନ୍ତୁ …
ଲକ୍ଷ୍ମଣ କୁମାରମାନେ
ଶବ ହୋଇ,
ଆଉ ଭାସି ଯାଉନାହାନ୍ତି
ରକ୍ତନଦୀରେ
କି ଦର୍ପୀ ଦୁର୍ଯ୍ୟୋଧନମାନେ
ସେମାନଙ୍କ ଶବ ଧରି
ଆଉ ପାରି ହେଉ ନାହାନ୍ତି
ରକ୍ତନଦୀ;
ଲୋଡିବାକୁ ଲକ୍ଷ୍ମୀଙ୍କ
ଅଭୟର ନିରାପଦ ବାସସ୍ଥଳୀ !

ଭୀମ ମାନେ ସଗର୍ବରେ
ଆଉ ଛାଡ଼ୁନାହାନ୍ତି
ବିକଟାଳ ରଡ଼ି … କି
ଭାଙ୍ଗୁନାହାନ୍ତି,
ମହାମାନୀ ଦୁର୍ଯ୍ୟୋଧନମାନେ
ଅହଙ୍କାରର ସେ ଦର୍ପିତ ମାନ !
ଏବେ କିନ୍ତୁ… ଲକ୍ଷ୍ମୀ ମାନେ
ଯନ୍ତ୍ରବାଜି ମନ୍ତ୍ରରେ
ଦୀକ୍ଷିତ ହୋଇ ବନି ଯାଇଛନ୍ତି
ଲୋକଦେଖାଣିଆ ମୃଣ୍ମୟୀ ପ୍ରତିମା !

ବାଜୁ ନାହିଁ ଶଙ୍ଖ କି ବୁଲୁ ନାହିଁ
ସୁଦର୍ଶନ ଚକ୍ର ,
କାଟିବାକୁ …
ପାପୀ , ଦୁରାଚାରୀ, ଭ୍ରଷ୍ଟାଚାରୀ,
ଦୁର୍ଯ୍ୟୋଧନ ଆଉ ଦୁଃଶାସନଙ୍କ ମୁଣ୍ଡ;
ଅଶ୍ଵମେଧ ଯଜ୍ଞେ ଶ୍ରୀକୃଷ୍ଣ;
ଆଉ ଦାନ କରୁନାହାନ୍ତି
ଅହରହ ଘଟୁଥିବା,
ଶତ ସହସ୍ର ବିବସିତା, ଧର୍ଷିତା,
ଆଉ ବଳାତ୍କାରିତା ଦ୍ରୌପଦୀମାନଙ୍କୁ
କୋଟି ବସ୍ତ୍ର… !
ବରଂ ଭୀମ, ଅର୍ଜୁନ, ନକୁଳ, ସହଦେବ
ଆଉ ଶ୍ରୀକୃଷ୍ଣମାନେ ବି
ଦୁର୍ଯ୍ୟୋଧନ-ଦୁଃଶାସନଙ୍କ ମେଳରେ
ଉନ୍ମାଦିତ ହୋଇ
କରୁଛନ୍ତି ଅଶ୍ଳୀଳ ଦଣ୍ଡନୃତ୍ୟ ।

ପୁଣି ଧର୍ମରାଜ ଯୁଧିଷ୍ଠିରମାନେ
ଶଠ ଶକୁନିର ଗୁପ୍ତ ମନ୍ତ୍ରଣାରେ
ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଆଉ
ଧୃତରାଷ୍ଟ୍ରଙ୍କ ସହ,
ଅବୈଧ ମେଣ୍ଟ ଗଢ଼ି, ନିଷ୍କଣ୍ଟରେ…
ଭୋଗ କରି ଚାଲିଛନ୍ତି
ଶତସହସ୍ର ଶୋଷିତବର୍ଗର
ହସ୍ତୀନାପୁର ସିଂହାସନ;
ଭରି ଯାଇଚି ପିପାସା
ସେମାନଙ୍କ ପୈଶାଚିକ ମନରେ
ଏଣେ ତେଣେ ରାଜନୀତିରେ
ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା ଆଉ ଗୁରୁଦ୍ୱାରରେ !

ଲୋକପ୍ରିୟ ଲେଖା

To Top