କବିତା

ମାଟି

Jachindra Kumar Rout's odia poem Maati

ମାଟିର ମୋହରେ ମହିମାମୟ
ଏ ମହୀମଣ୍ଡଳ
ମହ ମହ ମହାତ୍ମା
ତ୍ୱରାନ୍ୱିତ ଏ ପୃଥ୍ୱୀ !

ମାଟି

ଅରାଏ ମାଟି ଭିଡ଼ିଧରେ
ପୁଳାଏ ମାଂସକୁ
ବେଡ଼ି ପଡ଼ିଯାଏ ହାତ
ଘାଣ୍ଟି ହେଇଯାଏ ପ୍ରାଣ !

ମାଟିର ମୋହରେ ମହିମାମୟ
ଏ ମହୀମଣ୍ଡଳ
ମହ ମହ ମହାତ୍ମା
ତ୍ୱରାନ୍ୱିତ ଏ ପୃଥ୍ୱୀ !

ମାଟି କେତେବେଳେ ଛୁଉଁଥାଏ
ଆକାଶ ଅଟ୍ଟାଳିକାରେ
ବାଦଲର ଦେହରୁ ପୋଛିନିଏ କ୍ଳାନ୍ତି
ଶୂନ୍ୟରେ ବସା ବାନ୍ଧେ ସ୍ୱପ୍ନ
ମନର ଚେର ସବୁକୁ ଯାବୋଡ଼ି ଧରିଥାଏ ମାଟି !

ଫଗୁଣର ଫୁଲ ହେଉକି
ବଉଳ ବାସ୍ନା
ଶୀତର ଶ୍ୱେତ ସମ୍ପତ୍ତିକି
ଗୁଳି ଗୁଳି ଖରାର ଧାରୁଆ ଖଣ୍ଡା
ବର୍ଷାର ବଲ୍ଲରୀ ତୋଳୁଥାଏ ତାନ
ମାଟିର ସୌରଭରେ !

ମାଟିର ମୋହରେ ମା ମମତାରେ
ଘୋଡ଼େଇ ହେଇଥାଏ ଦେହ
ପାଣିର ଶାଢ଼ିରେ
ଛାତିରେ ଖେଳୁଥାଏ ସମୁଦ୍ର
ମାଙ୍କଡ଼ ଛୁଆପରି ଟାଣି ଧରିଥାଏ ପେଟ
ଗଛ ଥନ ମାଟିକୁ !

କାହାର ଭୟ ନାହିଁ ମାଟିକୁ ?
ମାଟିରେ ଅଙ୍କାଯାଇଛି ନକ୍ସାର ଗାର
ଦେଶ ମହାଦେଶ, ସାଗର ସମୁଦ୍ର
ଜଙ୍ଗଲ ପାହାଡ଼
ମାଟିର ବେଶରେ ମହାପୁରୁଷ
ମାନବ ଆଉ ମାଓବାଦୀ
ଜାଆଳ ଖେଳୁଥାଏ ସାରାଜଗତ
ମାଈମାଛ ପେଟ ତଳେ କି
ପିଠି ଉପରେ
ମା’ ପରି ଜଗିଥାଏ ମାଟି
ବିଶ୍ୱସୁନ୍ଦରୀର ମାଟିମୂର୍ତ୍ତିରେ
ଈଶ୍ୱରଙ୍କ ରହସ୍ୟ ତାରକସି
ଆସ୍ଫାଳନ ଆମେରିକା
ମାଟିର ମୌଖିକ ମଧ୍ୟାହ୍ନ ।

ମୁକ୍ତାର ମୁକୁଟ ହେଉ କି
ହୀରାର ସିଂହାସନ
ସୁନାର ଖରାବି ଢେଉ ଭାଙ୍ଗୁଥାଏ
ରୂପା ଦିହରେ
ଢଳ ଢଳ ବୁନ୍ଦାଏ ପାଣି ଢଙ୍ଗରେ
ମୋତି ପରି ଆଖି
ରୁବି ରଙ୍ଗର ଓଠ, ସବାତଳେ
ମାଟିର ଖିଲି ଖିଲି ହସ !

ମାଟିରୁ ଆରମ୍ଭ ମାଟିରେ ଶେଷ
ଆଖି ଆଗେ ମାଟିର ଏ
ଚିକ୍‌ମିକ୍ ସୁନାବେଶ
ସମସ୍ତେ ପିନ୍ଧିଛନ୍ତି ମାଟିର ଆବେଶ
ଯାହାସବୁ ଦେଖୁଛନ୍ତି
ସେସବୁ ଜରିପକା
ମାଟିର ଏ ଛଦ୍ମବେଶ !

ଲୋକପ୍ରିୟ ଲେଖା

To Top