କବିତା

ମାଟିର ବାସ୍ନା

Matrudatta Mohanty's Odia Poem MAATIRA BAASNA

ମୁଁ ଛୁଇଁଛି ମୋ ଗାଁ ମାଟିକୁ
ସେଥିରେ ପାଇଛି
ପୁନେଇଁ ଜହ୍ନର ଶୀତଳତା
ଗେଣ୍ଡାଳିଆର ଝାଡ଼ି ଦେଇଥିବା
ପର କେତୋଟିର ଚିହ୍ନ,
ପବନରେ ଝୁଲୁଥିବା ଧାନକେଣ୍ଡାର
ଅସରନ୍ତି ଆନନ୍ଦକୁ ।

ମାଟିର ବାସ୍ନା

ଥରେ ନୁହେଁ ଅନେକ ଥର ମୁଁ ଶୁଙ୍ଘିଛି
ମୋ ଗାଁ ମାଟିର ବାସ୍ନାକୁ,
ଅନୁଭବ କରିଛି
ତା’ ସହ ମିଶିଥିବା ମୋ ମା’ର ମମତାକୁ,
ପୁଣି ପକ୍ଷୀମାନଙ୍କ ଶବ୍ଦ
ଘାସ ଫୁଲର ମହକକୁ ।

ମୁଁ ଛୁଇଁଛି ମୋ ଗାଁ ମାଟିକୁ
ସେଥିରେ ପାଇଛି
ପୁନେଇଁ ଜହ୍ନର ଶୀତଳତା
ଗେଣ୍ଡାଳିଆର ଝାଡ଼ି ଦେଇଥିବା
ପର କେତୋଟିର ଚିହ୍ନ,
ପବନରେ ଝୁଲୁଥିବା ଧାନକେଣ୍ଡାର
ଅସରନ୍ତି ଆନନ୍ଦକୁ ।

ମୁଁ ଅନୁଭବ କରିଛି
ନିଶବ୍ଦ ରାତିର ନିର୍ଜନତାରେ
ମୋ ଗାଁ ଅଙ୍କାବଙ୍କା ମାଟିଗୋଡ଼ି ରାସ୍ତାର
ଅସରନ୍ତି ବେଦନାକୁ,
କେମିତି ସେ କାନ୍ଦିଛି, ପୁଣି ଭାଳି ହୋଇଛି
ଦିନରେ ତା’ ଛାତି ଛୁଇଁ ଥିବା
ଚଷା ପୁଅ ପାଦ
ଗୋଧୂଳି ଫେରନ୍ତା ଗାଈଗୋଠକୁ ।

ସତ ସତିକା ମୁଁ କଥା ହୋଇଛି
ମୋ ଗାଁ ଗହିର ପାଟରେ ଫୁଟିଥିବା
ଫୁଲେଇ କଇଁ ସାଥେ ।
ସେ ବଖାଣିଛି, ଛାତି ଚିରି ଦେଖେଇଛି
ଜହ୍ନ ସହ ତା’ର ସମ୍ପର୍କକୁ ।

ଏତେ ସବୁ ପରେ ବି ଅନ୍ଧାରକୁ ଚିରି
ମୁଁ ଖୋଜିଛି ରାତିର ପକ୍ଷୀକୁ,
ସାଉଁଟିବାକୁ ଚେଷ୍ଟା କରିଛି
ସକାଳର ପ୍ରତ୍ୟେକ
ସୁନେଲୀ ରଙ୍ଗର କାକର ବିନ୍ଦୁକୁ,
ଅଣ୍ଟିପାତି ଗଣ୍ଠି ବାନ୍ଧିବାକୁ
କରିଛି ବୃଥା ପ୍ରୟାସ
ବଉଳର ବାସ୍ନା, ଚାଳ ଚିରି ବାହାରୁ ଥିବା ଧୂଆଁକୁ ।
ଏକା ଏକା
କୁଣ୍ଢେଇବାକୁ ଧାଇଁଛି ରାତିର ନିର୍ଜନତାକୁ ।

ଡହ ଡହ ଖରାବେଳେ ଆମ୍ୱଗଛମୂଳେ ଜଗିଛି
ମୋ ଗାଁ ମାଟିକୁ ଛୁଇଁଥିବା
ଉଷ୍ମ ପବନର ଠିକଣା ଜାଣିବାକୁ ।

ତଥାପି ପାରିନି, ତଥାପି ମୁଁ ହାରିନି
ଆଜିବି ଖୋଜୁଛି ଖୋଜୁଥିବି
ଜାଣିବାକୁ ଧାଉଁଥିବି
ସେମାନଙ୍କ ସହ ମୋର ଅନ୍ତରଙ୍ଗ ସମ୍ପର୍କକୁ ।

ଲୋକପ୍ରିୟ ଲେଖା

To Top