କବିତା

ମାଟିରୁ ଆକାଶ

Nishikanta Padhi's odia poem Maatiru Aakaasha

କରୁଣ ସେ ଦୃଶ୍ୟ, ମୁହଁ ସବୁ ବିଭତ୍ସ ବିମର୍ଷ
ଏକ ଅଶାନ୍ତ ଉପନିବେଶ
ଇଏ ମୋ ମାଟି ମୋ ଗାଁ ମୋ ଦେଶ
ରହି ରହି ଶୁଭେ ଦାରିଦ୍ର୍ୟର କ୍ରୁର ଅଟ୍ଟହାସ୍ୟ
ଜୀବନର ଧୁ ଧୁ ଖରାବେଳେ
ପେଟଟାରେ ନିଆଁ ଜଳେ ମରେନା ତା ଶୋଷ
ଦୀର୍ଘ ଶ୍ୱାସ ମାରେ ଗୋଟେ ଅବଶୋଷ ।

ମାଟିରୁ ଆକାଶ

ମନେପଡେ ସେହି ଅସ୍ପଷ୍ଟ ଅତୀତ
ଏବେ ବି ପିଡା ହୁଏ ଯନ୍ତ୍ରଣାର କ୍ଷତ
ବିଶ୍ୱାସରେ ଭରି ଦେଇ ପଳ ପଳ ବିଷ
ବ୍ରିଟିଶଟା ଟାଣି ନିଏ ଛାତିର ନିଃଶ୍ୱାସ ।
ସେ ଏକ ଭିନ୍ନ, ବିବର୍ଣ୍ଣ ଆଉ ବିଦିର୍ଣ୍ଣ ପୃଥିବୀ
ଚାରିଆଡେ ଭୋକର ଭୂଗୋଳ
ଗାଁଠାରୁ ସହର ବଜାରରୁ ନଅର
ଖାଲି ମାଳ ମାଳ କଙ୍କାଳର ଛବି ।
କରୁଣ ସେ ଦୃଶ୍ୟ, ମୁହଁ ସବୁ ବିଭତ୍ସ ବିମର୍ଷ
ଏକ ଅଶାନ୍ତ ଉପନିବେଶ
ଇଏ ମୋ ମାଟି ମୋ ଗାଁ ମୋ ଦେଶ
ରହି ରହି ଶୁଭେ ଦାରିଦ୍ର୍ୟର କ୍ରୁର ଅଟ୍ଟହାସ୍ୟ
ଜୀବନର ଧୁ ଧୁ ଖରାବେଳେ
ପେଟଟାରେ ନିଆଁ ଜଳେ ମରେନା ତା ଶୋଷ
ଦୀର୍ଘ ଶ୍ୱାସ ମାରେ ଗୋଟେ ଅବଶୋଷ ।
ଥରି ଯାଏ ଧମନୀର ରକ୍ତ ଚମକି ଉଠେ ଛାତି
ଆଜି ମନେ ପକାଏ ଜାତି
ରକ୍ତରେ କାହାର ଏ ସ୍ପର୍ଶ !!!
ଏଁ …… କଳିଙ୍ଗର ବରପୁତ୍ର ନା ବୀରପୁତ୍ର
ଇଣ୍ଡୋନେସିଆର ଭୂମିପୁତ୍ର
ନା କଟକ ନଗର ଧବଳ ଟଗରର ସୂତ
ବିଜୟର ବାର୍ତ୍ତାବହ ନା ଓଡିଆ ଜାତିର ଭୀଷ୍ମ ପିତାମହ
କାହାର ଏ ଦୃଶ୍ୟ !!! ଚିନ୍ତା ଚେତନା ଓ ସ୍ମୃତିର ଗବାକ୍ଷରେ
ଇଏ ଛାଇ ନା ମଣିଷ
ସ୍ୱପ୍ନ ନା ପ୍ରକାଶ୍ୟ
ସ୍ୱାଗତ ନା ସନ୍ଦେଶ
ପ୍ରେରଣା ନା ସାହସ
ଆରମ୍ଭ ନା ଶେଷ
ନା ……. ଗୋଟିଏ ଜୀବନ ଗୋଟିଏ ସଂଗ୍ରାମ
ଗୋଟିଏ କୀର୍ତ୍ତି ଗୋଟିଏ ସ୍ମୃତି
ଗୋଟିଏ ଇତିହାସ, ଗୋଟିଏ ପ୍ରଗତୀ ଆଉ ସମୃଦ୍ଧିର ହିସାବ ନିକାଶ
ଲମ୍ବିଛି ଆଜି ମାଟିରୁ ଆକାଶ ଆକାଶରୁ ମାଟି ।
ତୁମେ କହିପାର ବୋଧେ ସେ ପାଲଟିଛି ସ୍ୱର୍ଗଦ୍ୱାରର ମୁଠାଏ ଚିହ୍ନା ଭଷ୍ମ
ଅବା ମଶାଣି ପାଉଁଶ
ହେଲେ ଏ ଜାତିଟାର ଝଡର ଇଗଲ ସେ
ଡାକୋଟାରେ ଉଡି ଉଡି ମାଟି ପରେ ବିଞ୍ଚିଛି
ଖାଲି ମୁଠା ମୁଠା ଯଶ
ଯାହା ଉଡୁଛି ଆଜି ଆକାଶରୁ ମାଟି
ମାଟିରୁ ଆକାଶ ।

ଲୋକପ୍ରିୟ ଲେଖା

To Top