କବିତା

ମାତୃତ୍ୱ

Manjurani Mishra's odia poem Maatrutwa

କୋମଳ ଜିଜ୍ଞାସାରେ ପ୍ରତିଧ୍ୱନିତ ଅନୁରଣିତ
କେଉଁ ଅସମାପିକା ସଙ୍ଗୀତ
ଧାଡ଼ି ଧାଡ଼ି ସ୍ୱପ୍ନର ଐରାବତ
ଭୂମିରୁ ଭୂମା ପର୍ଯ୍ୟନ୍ତ

ମାତୃତ୍ୱ

ମାଆ ବୋଲି ଡାକି ଦେଲେ ଥରେ
ଖେଳିଯାଏ ପୁଲକର ଢେଉ
ମନ ତଳେ ଲେଖିଦିଏ କିଏ ମୋହିନୀ ମନ୍ତ୍ର ଚିଟାଉ
ବସୁନ୍ଧରା ପରି ସହିଯିବାର ସୁଖରେ
ଅମୃତର ଆସ୍ୱାଦନ ଢେଉ ଖେଳୁଥାଏ ମନ ସମୁଦ୍ରରେ
ଆଉ କିଛି ଅନାବନା ଖାଲ ଢିପ ଶବ୍ଦ
ସମତୁଲ ହୋଇଯାଏ ଚୁମି ଦେଲେ ଓଠ ଚିବୁକରେ
ଆଶ୍ୱାସନାର ହାତ ପାପୁଲିରେ ମମତାର ପଦ୍ମଫୁଲ
ମୋ ମନର ଶିଳାଲିପି
କେଉଁ ଅଦେଖା ଜ୍ୟୋତିରେ ଝଲମଲ
କୋମଳ ଜିଜ୍ଞାସାରେ ପ୍ରତିଧ୍ୱନିତ ଅନୁରଣିତ
କେଉଁ ଅସମାପିକା ସଙ୍ଗୀତ
ଧାଡ଼ି ଧାଡ଼ି ସ୍ୱପ୍ନର ଐରାବତ
ଭୂମିରୁ ଭୂମା ପର୍ଯ୍ୟନ୍ତ
ମୁଁ ବିଭୋର କେଉଁ ପବିତ୍ର ଲଗ୍ନରେ
ସବୁ ଦୁଃଖ ଯନ୍ତ୍ରଣାର ଅଣୁ ପରମାଣୁ ବିଞ୍ଚି ଦେଇ ମନ୍ଦିର ବେଢ଼ାରେ
ଦିଅଁଙ୍କର ଭୋଗ ଚାଙ୍ଗୁଡ଼ିରେ
ମୁଁ ପୁଣି ହଜିଯାଏ ଶଙ୍ଖଧ୍ୱନୀ ଧୂପଦୀପ ନୈବେଦ୍ୟ ବାସ୍ନାରେ ।।

ଲୋକପ୍ରିୟ ଲେଖା

To Top