ମହାକାଳ ଫଳ

Surendra Kumar Behera's odia poem Mahaakaala Phala

ଆଉ କେଉଁ ପ୍ରତୀକ୍ଷାରେ ହେ ଜନଗଣ,
ଅପଲକ ନୟନରେ, ଚାହିଁ ରହିଅଛ,
ଦେଖିବାକୁ, ଜଉମୁଦଦିଆ
ଭୋଅଟ ଯନ୍ତ୍ରରେ, କିପରି ଫଳୁଅଛି
ଜନତା ଜନାର୍ଦ୍ଦନଙ୍କ. . .
ବହୁ ପ୍ରତୀକ୍ଷାର ଈପ୍ସିତ ଫଳ ।

ମହାକାଳ ଫଳ

କିଏ କାନ୍ଦୁଛି କି ଆଉ
ଦେଶ ପାଇଁ ?
ଯେଉଁମାନେ ତ ଦିନେ କାନ୍ଦୁଥିଲେ
ବୁଣି ଦେଇଗଲେ,
ଦେଶ ଗଢ଼ିବାର ମୂଳ ମଞ୍ଜି,
ସେଇମାନେ କ’ଣ ଅଛନ୍ତି କି ଆଉ ?

ସୁଭାଷ ହୁଅନ୍ତୁ କି ଭଗତ୍
ଲକ୍ଷଣ ହୁଅନ୍ତୁ କି ବାଜି ରାଉତ
ଦେଶପାଇଁ ଦେଶାନ୍ତରୀ ହେଲେ,
ହସି ହସି ବୀରତ୍ୱର ଫାଶୀଖୁଣ୍ଟରେ
ଶହୀଦ୍ ହେଲେ ।

ଆଉ ଅହିଂସାର ମହାମନ୍ତ୍ର ଫୁଙ୍କି
ରାମ ରାଜ୍ୟ ଗଢ଼ିବାର ସ୍ୱପ୍ନ ଦେଖୁଥିବା,
ଗାନ୍ଧି ମହାତ୍ମା ତ ଆତତାୟୀର ଗୁଳିଚୋଟରେ
ନିଜ ଜୀବନକୁ ବାଜି ଲଗାଇ ଦେଲେ ।।
ସେଇ ପୁଣ୍ୟାତ୍ମା ମନିଷୀମାନଙ୍କୁ
କ’ଣ କେହି ମନେ ରଖିଛି କି ଆଉ ?

ସେଇ ମନିଷୀଙ୍କ କୋଟି ଶ୍ରମ, ତ୍ୟାଗ
ଆଉ ବଳିଦାନର ସେ ମୂଳ ମଞ୍ଜି,
ସାମ୍ୟ, ମୈତ୍ରୀ ଆଉ ଭ୍ରାତୃତ୍ୱର
ମାଟି, ପାଣି, ପବନରେ ଅଙ୍କୁରିତ ହୋଇ
ପାଲଟିଛି କି ଏକ ମହାଦ୍ରୁମ।
ଫଳିଛି କି. . . ତା’ର ଚେର, ମୂଳ, କାଣ୍ଡ
ଆଉ ହରିତ୍‌ଡାଳରେ ଜନଗଣତନ୍ତ୍ର ଅମୃତ ଫଳ ।

ଆଉ କେଉଁ ପ୍ରତୀକ୍ଷାରେ ହେ ଜନଗଣ,
ଅପଲକ ନୟନରେ, ଚାହିଁ ରହିଅଛ,
ଦେଖିବାକୁ, ଜଉମୁଦଦିଆ
ଭୋଅଟ ଯନ୍ତ୍ରରେ, କିପରି ଫଳୁଅଛି
ଜନତା ଜନାର୍ଦ୍ଦନଙ୍କ. . .
ବହୁ ପ୍ରତୀକ୍ଷାର ଈପ୍ସିତ ଫଳ ।

ପ୍ରତିଥର ପରି ଏଥର ବି
ଯଦି ଫଳିବ ଅମୃତ ଫଳ,
ତେବେ ଦାସ, ଦସୁ୍ୟ, ଦାନବମାନଙ୍କୁ
ଦେବଗଣ, ସୁରାପାତ୍ର ଧରାଇ ଦେଲାପରି
ଖଟିଖିଆ, ଦିନ ମଜୁରିଆ, ନିଆଶ୍ରୀ,
ଅରକ୍ଷିତ ଆଉ ଦାଦନୀ ମଣିଷମାନଙ୍କୁ
ମହାକାଳ ଫଳ ଧରାଇ. . .
ମାରିନେବେ, ଭ୍ରଷ୍ଟାଚାରୀ, ଦୁରାଚାରୀ
ଦୁର୍ନୀତି ଲିପ୍ସୁ ଶାସକ, ପ୍ରଶାସକ
ଆଉ ପୁଞ୍ଜିବାଦୀ କଳା କୁବେରଗଣ
ଗଣତନ୍ତ୍ର- ମହାଦ୍ରୁମର ଡାଳେ ଡାଳେ
ଫଳିଥିବା ସବୁତକ ଅମୃତଫଳ ।

ଲୋକପ୍ରିୟ ଲେଖା

To Top