କବିତା

ମହୁଲପଡ଼ାର ମାଇପେ ମାନେ

Dr Dilip Kumar Swain's odia poem Mahulapadaara Maaipe Maane

ଠିକାଦାରର ତତଲା ନଜର
ବୁଝିପାରନ୍ତି ମାଇପିପଲ
ପଥରଭଙ୍ଗା ପଞ୍ଝାରେ
ଗାରେଇ ଦିଅନ୍ତି ତା’ ଗୋରା ଗାଲ ।

ମହୁଲପଡ଼ାର ମାଇପେ ମାନେ

କାଉ ରାବିବା ବେଳକୁ
ମହୁଲପଡ଼ାର ମାଇପେମାନେ
ମୂଲିଆ ହାଟରେ ।

କାଖରେ ଥାଏ କୋଳପୁଅ
ଆଙ୍ଗୁଠି ଚୁଚୁମି କାନି ଟାଣେ କୁନିଝିଅ
ମରଦ ଯାଏ ମୂଲଲାଗି
ତିର୍ଲାର ଚିରାଲୁଗା
ଘରେ କବାଟ ପରି ଝୁଲେ
ଟିଫିନ୍ ଡ଼ବାରେ ବନ୍ଦହୁଏ ଖରାବେଳ ଭୋକ ।

ବାଲି, ସିମେଣ୍ଟ ଗୋଳୁ ଗୋଳୁ
ସରିଯାଏ ସକାଳ
କୋଡ଼ି, କୋଦାଳର ରୁଣୁଝୁଣୁରେ
ଧାଇଁଆସେ ଖରାବେଳ ।

ଧୂଳିର ସିଂହାସନରେ ବସିଥାଏ କୁନିଝିଅ
କୋଳପୁଅ ଝୁଲେ କୃଷ୍ଣଚୂଡ଼ା ଡାଳରେ
ପତର ଫାଙ୍କରୁ ଖରାଚିଆଁ ଦେଲେ
ପବନ ଗାଏ ଧୋରେ ବାଇଆ ଧୋ ।

ଠିକାଦାରର ତତଲା ନଜର
ବୁଝିପାରନ୍ତି ମାଇପିପଲ
ପଥରଭଙ୍ଗା ପଞ୍ଝାରେ
ଗାରେଇ ଦିଅନ୍ତି ତା’ ଗୋରା ଗାଲ ।

ଦିନେ ଦିନେ ପତାକା ଧରିବାକୁ ଡକାପଡ଼େ
ବର ରୋଶଣିର ବତୀଖୁଣ୍ଟ ମୁଣ୍ଡେଇ
ଜନପଥରରେ ଧାଡ଼ି ଧାଡ଼ି ଚାଲନ୍ତି
ମହୁଲପଡ଼ାର ମାଇପେ ମାନେ ।

ରାତି ଆସିଲେ
ଶୋଇପଡ଼େ ମହୁଲପଡ଼ା
ପଲିଥିନ୍‌ର ଆକାଶ ତଳେ
ଭଙ୍ଗା ଟାଇଲର ଫଣାତଳେ
ଶୋଇପଡ଼େ କୁନିଝିଅ
ବା’ର ଝାଳୁଆ ଛାତି ଛପରେ ।

ହେ ସର୍ଦ୍ଧାର ଡାକ୍‌ନା ତାକୁ
ଶୋଇପଡ଼ୁ ସେ ଅନ୍ଧାରରେ
କୋଠାଗଢ଼ା ଜଖମ ଦେହ ତା’ର
ତୁନି ହୋଇ ଯାଇଚି ତୃଷାରେ ।

ଏ କାଉ, ତୁ ରାବିବା ବନ୍ଦ କର
ଶୋଇପଡ଼ୁ ଆଉ କ୍ଷଣେ ମହୁଲପଡ଼ା
ଗଭୀର ନିଦରେ ।

ଲୋକପ୍ରିୟ ଲେଖା

To Top