କବିତା

ମନ ଭାଙ୍ଗିଗଲେ

Brundabana Das's odia poem Mana Bhaangigale

ଛାଡିଆସିଥିବା ରଙ୍ଗ ମଖା ଦିନସବୁ
ପର ମୁହୂର୍ତ୍ତରେ
ନିଷ୍କରୁଣ ନିଆଁଗିଳା ସମୟର ସହଚର

ମନ ଭାଙ୍ଗିଗଲେ

ନିଜକୁ ରଖିବନି ଆଉ କାହାଆଗେ
ଝଡ଼ିଯିବ ପଛେ କହିବନି
କୁହୁଳା ନିଆଁରେ ଆଉଟି ଦବ
ମିଛ ସମୟର ମିଛ ସପନଙ୍କୁ
ନିଜକୁ ନିଜଠୁଁ ହଟେଇ
ପଚାରିବ ଏକ ପରେ ଏକ ପ୍ରଶ୍ନ
ଦେହର ଛାଇକୁ ।

ଛାଡିଆସିଥିବା ରଙ୍ଗ ମଖା ଦିନସବୁ
ପର ମୁହୂର୍ତ୍ତରେ
ନିଷ୍କରୁଣ ନିଆଁଗିଳା ସମୟର ସହଚର
ଗୋଟେ ସୀମା ଥିବା ଅବିବେକୀତାର
ଗାର ଟପିଗଲେ
ଆଖିରୁ ଅନ୍ଧ ପୁଟୁଳି ଖୋଲିଗଲାପରେ
ଦିନ ଆଲୁଅରେ ବେଦନାବୋଧର ବୋଝ
ମାଡ଼ିବସେ ସାରା ଅବୟବ !

କିଏ ପର କିଏ ଆପଣାର
କଥା କା’ର ବ୍ୟଥାର ମଲମ ହୁଏ
କଥାଠୁଁ ଅଧିକ ନୀରବତା କାର
କ୍ଷତକୁ ଉଖାରେ ରକତ ନିଗାଡ଼େ
ସବୁଠୁଁ ପ୍ରିୟ ଯେବେ ବାଟ ଭାଙ୍ଗି ଚାଲିଯାଏ
ସେ ପାଦର ସ୍ମୃତିଚିହ୍ନ ଛାତିକୁ ବିଦାରେ
ଉପହାସ କରେ
ଭାଙ୍ଗିପଡ଼େ ଏକ ପରେ ଏକ ଦୁର୍ଗ
ମନ ଭାଙ୍ଗିଗଲେ ଭାଙ୍ଗିପଡ଼େ ସବୁକିଛି
ସବୁ ସପନର ବିଫଳ କାହାଣୀ
ବାଘପରି ଘେରିବସେ ।

ଭୁଲିଯିବା ବାହାନାରେ ନିଜକୁ ଘାଏଲା କରେ
କେବେ କା’ର ଗଗନଛୁଆଁ ପ୍ରଶଂସା
ତା’ ପାଇଁ ଏବେ ଯନ୍ତ୍ରଣାର ସାପହାର
ସବୁ ବାହାଦୁରି ଫନ୍ଦି ବାଚଳାମି
ଜଳ ଭଉଁରିରେ ଫସିଥିବା ଟଳମଳ ଫୁଟା ଡଙ୍ଗା ।

ଲୋକପ୍ରିୟ ଲେଖା

To Top