କବିତା

ମନୁବାଦୀ ଚିନ୍ତା

Dr Kalpana Mallick's odia poem Manubaadi Chintaa

ପଳ ପଳ କରି
ରକ୍ତର କଣିକା
ଚାଲିବାକୁ ହୁଏ
ଏଠି ଏକା ଏକା
ଶିକ୍ଷା ଦୀକ୍ଷା ଆଉ
ଶିଷ୍ଟତା, ନମ୍ରତା
ମଣିଷପଣିଆ
ହୁଏ ଫିକା ଫିକା । ୨ ।

ମନୁବାଦୀ ଚିନ୍ତା

କେମିତି କହିବି
ଏ ଧର୍ମ ମୋହର
ଯେଉଁ ଧର୍ମେ ମୋର
ନାହିଁ ଅଧିକାର
କେଉଁ କ୍ଷମତାର
ଦିଗନ୍ତ ବାହାରେ
ଅପସରି ଯାଏ
ସ୍ୱପ୍ନର ସମ୍ଭାର । ୧ ।

ପଳ ପଳ କରି
ରକ୍ତର କଣିକା
ଚାଲିବାକୁ ହୁଏ
ଏଠି ଏକା ଏକା
ଶିକ୍ଷା ଦୀକ୍ଷା ଆଉ
ଶିଷ୍ଟତା, ନମ୍ରତା
ମଣିଷପଣିଆ
ହୁଏ ଫିକା ଫିକା । ୨ ।

କାହା ମନଗଢ଼ା
ମିଛ କଟକଣା
ଯାହା ପାଇଁ ନିତି
ଏତେ ଅଘଟଣା
ମଣିଷ ଭିତରେ
ପାତର ଅନ୍ତର
ଉଚ୍ଚ ନୀଚ୍ଚ ଯା’ର
ନାହିଁ ପଟ୍ଟାନ୍ତର । ୩ ।

ଥୋକେ ମଣିଷଙ୍କୁ
ଗୋଲାମ ଭାବରେ
ଥୋକେ ଦେଖୁଥାନ୍ତି
ବିଭିନ୍ନ ଢଙ୍ଗରେ
ସମାଜର ଏଇ ବିଚିତ୍ର ନୀତିରେ
ମଣିଷ ବୋଲି ମୁଁ
ଭୁଲେ ଥରେ ଥରେ । ୪ ।

ସାଧାରଣ ଗୋଟେ
ନାଗରିକ ବୋଲି
ବଞ୍ଚିବାର ରାସ୍ତା
ଯାଇଛି ମୁଁ ଭୁଲି
ସମ୍ୱିଧାନ,
ବିଧି ବ୍ୟବସ୍ଥା ଭିତରେ
ମୋ ସ୍ଥାନ ମୁଁ ଖୋଜେ
ଶୂନ୍ୟ ପଞ୍ଜିକାରେ । ୫ ।

ଚତୁଃବର୍ଣ୍ଣ ସେଇ ପୁରାଣଗ୍ରନ୍ଥରେ
କେଉଁଠି ମୁଁ ଥାଏ
କିପରି ଭାବରେ
ଶୂଦ୍ର, ବୈଶ୍ୟ ଅବା
କ୍ଷତ୍ରିୟ, ବ୍ରାହ୍ମଣ
ସବୁ ତ ଅଲଗା
ଭିନ୍ନ ଗୁଣ କର୍ମ !
ତଥାପି ମଣିଷ
ବୁଝେନା ଏସବୁ
ଭାଗ ଭାଗ କରେ
ଆପଣା ଜାତିକୁ
ମନୁବାଦୀଙ୍କ ଏ କୁତ୍ସିତ ଭାବନା
ଯେଉଁଠି ମୁଁ ଜନ୍ମି
ହୁଏ ଆନମନା !

ଲୋକପ୍ରିୟ ଲେଖା

To Top