କବିତା

ମରଣ ନ ଆସୁ ଏପରି

Annapurna Mohanty's odia poem Marana Na Aasu Epari

ଆରମ୍ଭ ହିଁ ଶେଷ ଦିନ ହୁଏ
ସୈତାନି ଇଚ୍ଛାରେ କାହାର
ଜୀବନ ସଳଖ ପଥରେ
ସଜ୍ଜା ଥାଏ ମୃତ୍ୟୁର
ଗୋପନ ଅଭିସାର ।

ମରଣ ନ ଆସୁ ଏପରି

କେତେ ତୁଚ୍ଛ ପ୍ରଲୋଭନରେ
ଚହଲି ଯାଏ ସମାଜ, ସଂସ୍କାର
ଉଜୁଡ଼େ ଜୀବନ
ବିଦାରି ଦିଏ, ମାଂସ ହାଡ଼
ରକ୍ତ, ରେତ
ସରିଯାଏ ଖେଳିବାର
ବୁଲିବାର ଦିନ
ପଢ଼ିବାର ବଢ଼ିବାର ଦିନ ।

ଆରମ୍ଭ ହିଁ ଶେଷ ଦିନ ହୁଏ
ସୈତାନି ଇଚ୍ଛାରେ କାହାର
ଜୀବନ ସଳଖ ପଥରେ
ସଜ୍ଜା ଥାଏ ମୃତ୍ୟୁର
ଗୋପନ ଅଭିସାର ।

ଫୁଲକୁ ଝଡ଼େଇବାକୁ
ମହକ ଲୁଟେଇବାକୁ
ଚହଲି ଗଲାନି କ’ଣ
ପାପାଚାରୀ ମନ !

ଜନ୍ମରୁ କ’ଣ ଲେଖାଥିଲା
ସଭିଁଙ୍କ କପାଳେ
ଏତେଗୁଡ଼େ ଦରଫୁଟା କଳି
ଝଡ଼ିଯିବେ ଫୁଟିବା ଆଗରୁ ।

ନର୍ଦ୍ଦମାକୁ ବି ଲୋଡ଼ା ଥିଲା
କୁନି କୁନି ହାତ ପାଦ
ସରୁ ଓଠ, ସ୍ୱପ୍ନ ଦେଖା ଆଖି
ସାମଗ୍ରିକ ସତ୍ତାକୁ ତାଙ୍କର
ପଳପଳ ଲୁଟିନେଲା ପରେ
ତଥାପି ଭୋକିଲା ଥିଲା
ମାଲିକର ଭୋକ ତ
ଚାକରର ଶୋଷ ।

କେମିତି ସେଠି ସ୍ତବ୍ଧ ହେଲେନି ଈଶ୍ୱର
ଗଢ଼ା ବୋଲି କାଠ, ଧାତୁ, ପଥରର ।

କି କି ଶବ୍ଦରେ ପ୍ରକାଶିବ
ବାପା ମାଆ ଅନୁଭବ
କେଉଁ ରଙ୍ଗେ ରଙ୍ଗାଇବ
ତାଙ୍କ ଦୁଃଖର ପାର୍ବଣ ।

ନା ଏ ଅଭିଯାନ
ନା ଅଭିଯୋଗ
ଏ କୋଟି ଜନତା ଅନ୍ତର
ଦେଉଥାଏ ଶାପ, ଅଭିଶାପ
ଏ ମାଟି ନ ଦେଖୁ, ନ ଶୁଣୁ
ଏପରି କଷଣ
ମରଣ ବି ନ ଆସୁ ଏପରି
ଥିବା ଯାଏ ସଂସାରରେ ପ୍ରାଣ !

ଲୋକପ୍ରିୟ ଲେଖା

To Top