କବିତା

ମର୍ମର

Truptimayee Chopdar's odia poem Marmar

ପ୍ରତୀକ୍ଷା ମୁଁ କରୁଥାଏ ସଦା ,
ମଳୟର ମର୍ଜିକୁ !!
ଏଠୁ ସେଠି ଉଡ଼ିଯିବା ଛଡା ,
କଣ ମୁଁ କରିପାରେ ଆଉ ?

ମର୍ମର

ଝରା ପତ୍ର ମୁଁ;
ନାହିଁ ମୋର ସ୍ଵକୀୟ ଠିକଣା ଆଜି,
ମଳୟର ମର୍ଜିରେ –
ଏଠି ସେଠି ହେଉଥାଏ
ମାଟିରେ ମିଶିବା ଯାଏ ।
ପଲ୍ଲବିତ ହେଇଥିଲି କେବେ ଦିନେ ,
କେଉଁ ପାଦପର ଶାଖା ପ୍ରଶାଖାରେ !
ଧରିଥିଲି କୋଳେ କେବେ,
କେଉଁ ପକ୍ଷୀର ଶାବକ !
ବାନ୍ଧି ଥିଲା ନୀଡ଼ଯିଏ, ସେଇ ତରୁ ଡାଳେ ।
ଘୁମେଇ ପଡିଥିବା ପଥଶ୍ରାନ୍ତ ପଥିକକୁ ,
ବତାଶରେ ବିଞ୍ଚି ଥିଲି କେବେ ।
ଦେଇଥିଲି ଆଶ୍ରୟ,
ବର୍ଷାରେ ଭିଜୁଥିବା ପ୍ରେମୀ ଯୁଗଳଙ୍କୁ !

ମୋ ଗହଳ ଛାଇରେ ,
ମୋହିଥିଲି ସବୁଜ ମାୟାରେ ।
ହେଲେ ;
ଆଜି ମୁଁ ଯେ ଶାଖାଚ୍ୟୁତ ;
ନା ଅଛି ମୋର ଅସ୍ତିତ୍ୱ !
ନା ଅଛି ଅସ୍ମିତା !
ପ୍ରତୀକ୍ଷା ମୁଁ କରୁଥାଏ ସଦା ,
ମଳୟର ମର୍ଜିକୁ !!
ଏଠୁ ସେଠି ଉଡ଼ିଯିବା ଛଡା ,
କଣ ମୁଁ କରିପାରେ ଆଉ ?
ଠିକ ଯେମିତି ପରିଣତ ବୟସର ମା’ ଟିଏ
ଏଠୁ ସେଠି ହେଉଥାଏ
ମାଟିରେ ମିଶିବା ଯାଏ
ବଣ୍ଟା ହୋଇଥିବା ପୁଅଙ୍କ ଠିକଣାରେ !!

ଲୋକପ୍ରିୟ ଲେଖା

To Top