କବିତା

ମାଟି କଣ୍ଢେଇ

Surendra Kumar Behera's odia poem Mati Kandhei

ଏଇ ଶହରରେ ଶାଗୁଆ ମାଟିର ଇଟାସବୁ
କାହିଁ କେବେଠାରୁ ପାଲଟିଗଲେଣି ରତ୍ନ ପଥର
ବନ୍ୟାରେ ଧୋଇ ହୋଇ ଯାଉଛି
ଚୂଲି ଚାଳ ଆଉ ଜନମ ମାଟି
କିନ୍ତୁ ! ଟୋପାଏ ପାଣି ପାଇଁ ଏଠି
ନୀତି ରଚାଯାଇ ତୃତୀୟ ବିଶ୍ୱଯୁଦ୍ଧ !!

ମାଟି କଣ୍ଢେଇ

ଅନ୍ଧାରର ଶୀତୁଆ ସହର ଆଜି
ଆଲୋକର ଚାଦର ଘୋଡ଼େଇ
ଘୁମେଇ ପଡ଼ିଛି , କଙ୍କ୍ରିଟ୍‌ ଜଙ୍ଗଲର
ଧୂସର ଶେଯରେ, ଅଣନିଶ୍ଵାସୀ ହୋଇ
ସହର ତଳିରୁ କେହିଜଣେ
ମାଗୁଛି ଶିଖାଟିଏ…
ଜୀବନ ଜିଆଁଇବା ପାଇଁ !

ଖୋଜୁଛି ସେ ତୋଫା ଆଲୋକ ବଦଳରେ
ଅମୁହାଁ ଅନ୍ଧାରର ଅଣୁପ୍ରମାଣେ ମାଟି;
ଗଢିବା ପାଇଁ ତା’ ଉଜୁଡ଼ା ସଂସାରର
ମାଟିର କଣ୍ଢେଇ, ଯିଏ ଛୁଇଁ ପାରୁଥିବ
ତାର ସୁଖର ଆକାଶକୁ, ଆଉ ଯିଏ
ଧରି ପାରୁଥିବ ତାର ଯେତେସବୁ
ଦୁଃଖର ପୃଥିବୀକୁ… !!

ଏଇ ଶହରରେ ଶାଗୁଆ ମାଟିର ଇଟାସବୁ
କାହିଁ କେବେଠାରୁ ପାଲଟିଗଲେଣି ରତ୍ନ ପଥର
ବନ୍ୟାରେ ଧୋଇ ହୋଇ ଯାଉଛି
ଚୂଲି ଚାଳ ଆଉ ଜନମ ମାଟି
କିନ୍ତୁ ! ଟୋପାଏ ପାଣି ପାଇଁ ଏଠି
ନୀତି ରଚାଯାଇ ତୃତୀୟ ବିଶ୍ୱଯୁଦ୍ଧ !!

ମଣିଷ ଛାତିରୁ ଧସିଯାଉଛି…
ମଣିଷପଣିଆ, ସ୍ନେହ ଶ୍ରଦ୍ଧା ଆଉ ବିଶ୍ୱାସ ,
ଜାତି ଧର୍ମ ବର୍ଣ୍ଣ ଆଉ ସାମ୍ପ୍ରଦାୟିକତାର
ଭେଡାଭେଦରେ ଘାଣ୍ଟି ହୋଇଯାଏ
ଏ ସାରା ସଂସାର …
ଫାଟିଯାଏ ବୋମା ମୁମ୍ବାଇ ଦିଲ୍ଲୀ ଅବା
ଆମେରିକାର ବାଣିଜ୍ୟ କେନ୍ଦ୍ରରେ
ଢ଼ୋ ଢ଼ୋ ହୋଇ…
ଥରିଯାଏ ବିଶ୍ଵମାନବତାର ଛାତି
ଭାଙ୍ଗିଯାଏ ନିମିଷକେ, ଦେଶ ଦେଶ ମଧ୍ୟେ
ସଂହତି ଆଉ ସଂପ୍ରୀତିର ମହା ସେତୁବନ୍ଧ ।

ଜଙ୍ଗଲର ଚିରୁଡ଼ିଏ ନିଆଁ ଦିନେ
ଆଦିମ ମାନବକୁ ଦେଇଥିଲା …
ବଞ୍ଚିବାର ରାହା, ଆଜି ସେହି ନିଆଁରେ
ଜଳୁଛି ଜଙ୍ଗଲ, ଗାଁ ଗଣ୍ଡା , ସହର ବଜାର ,
ଦିଶୁନାହିଁ ଆଉ ଗଛର ଫାଙ୍କରେ
ଲାଜେଇ ଜହ୍ନର ମୁହଁ ;
କେବେଠୁଁ ତ ଧୂଳି, ଧୂଆଁ, ପାଉଁଶରେ
ଲେପି ହୋଇଗଲାଣି ତା’ର ସୁନାର ଦେହ ।

ଅନ୍ଧାରର ଗହଳିରେ ସିନା କେହି ଜଣେ
ତୋଳିଛି ତା’ ମାଟି କଣ୍ଢେଇର ସଂସାର ନିଜ ଜୀବନସାରା
ଆଲୋକର ଲଢେଇରେ ନିଶ୍ଚେ ଭାଙ୍ଗିଯିବ ଆଉ
ବନିଯିବ ସେ ସବୁଦିନ ପାଇଁ ବେସାହାରା !

ଲୋକପ୍ରିୟ ଲେଖା

To Top