କବିତା

ମାଟିଖଞ୍ଜା

Jachindra Kumar Rout's odia poem Matikhanjaa

ମାର୍ବଲ ବାରଣ୍ଡାରୁ ପହଁରିଯାଏ ଆଖି
ଚାଳଘର ମାଟି କଙ୍କାଳରେ
ଯେଉଁଠି ଠିଆ ହେଇଚି
କୋଠାଘର ବଗିଚା
ଦେଇପିଣ୍ଡି ମୁଣ୍ଡେଇଚି
ଅଧଲାଖ ଟଙ୍କାର ପଥର ଚଉଁରା
ବଉର ଜମିଦାରୀ (ଇଛା) ବହପରେ !

ମାଟିଖଞ୍ଜା

ଘାସର ନଅର ତଳେ ଲୁଚିଥିଲା
ଜେଜେଙ୍କ ତମାମ ପିଲାଦିନ
ଯୌବନର ଫାଜିଲାମି
ଚାଳଘର, ଆୟୁଷ, ଚଉପାଢ଼ି
ମାର୍ବଲ ବାରଣ୍ଡାରୁ ପହଁରିଯାଏ ଆଖି
ଚାଳଘର ମାଟି କଙ୍କାଳରେ
ଯେଉଁଠି ଠିଆ ହେଇଚି
କୋଠାଘର ବଗିଚା
ଦେଇପିଣ୍ଡି ମୁଣ୍ଡେଇଚି
ଅଧଲାଖ ଟଙ୍କାର ପଥର ଚଉଁରା
ବଉର ଜମିଦାରୀ (ଇଛା) ବହପରେ !

ନଉଲିଖରା ଲୋଟଣି ଖେଳୁଚି
ଫୁଲଙ୍କ ଗାଲରେ
ଗୁମୁରି ଉଠୁଚି ପିଲାଦିନ
ମା’ର ପ୍ରଶୁଣିଏ ପଖାଳ
ଛତୁପୋଡ଼ା, ଶୁଖୁଆ, ବେଶରରେ
ଚହଟି ଉଠୁଚି ସକାଳ
ଆମ କାନ୍ଦ କାନ୍ଦ ପେଟରେ
ବଉର ଡିମା ଡିମା ଆଖିରେ
ସାରିଙ୍ଗିଯାଏ ବେତ
ଆମ ଅବୁଝା ପିଠିରେ
ପାଠ ସବୁ ବାହାରୁଥିଲା
କଳା ନିଶ୍ୱାସ ହେଇ, ଆମ
ଡିବି ଆଲୁଅରେ !

ମାଟି ଚିଆର ଉପରେ ବସି
ବୁଢ଼ୀମା’ ଖୁଣ୍ଟୁଥିଲା ତା’ର
ବହୂ ହେଇ ଆସିବାର ଦିନ
ଭେଣ୍ଡିଆ ପୁଅର ମଲା ମୁହଁରେ ଆଙ୍କୁଥିଲା
ନାତୁଣିର ଦୋଳ ମୁକୁଟ
ନାତିର ବାହାବେଦୀ
ତେଲିଙ୍ଗି ବାଜାର ଗୀତ, ସାହାନାଇ
ଅଣ୍ଟିଏ ଭବିଷ୍ୟତକୁ ମାଗୁଥିଲା
ମୁଠିଏ ଆୟୁଷ
ଚେନାଏ ପାକୁଆ ଓଠର ହସ !

ବଉର ମେଞ୍ଚାଏ ସ୍ୱପ୍ନ
ଫୁଲ ହେଇ ଫୁଟୁଥିଲା
ନଡ଼ିଆ ଗଛରେ, ମୁଁ
ଝାଉଁଳି ଯାଉଥିଲି
ଗଛକୁ ଉଇ କାଟିଲା ପରି
କାଳେ କିଛି ନ ହେଇପାରିବାର ଆଶଙ୍କାରେ !

ଏବେ ଜଳ ଜଳ ଦୁଶି ଯାଉଚି
ମୋ ଆଖିକୁ ଆମ ମାଟିଖଞ୍ଜା
କୋଠାଘରକୁ ଆସିଲାବେଳେ
ମାଟିଖଞ୍ଜା ରଖି ଦେଲା
ବଉର ରୁମ୍‌ଝୁମ୍ ପାଣିକାଚ
ନିଆଁ ପରି ଦାଉ ଦାଉ ଜଳୁଥିବା
ଠୋପାଏ ସିନ୍ଦୂର
କୁଟାଗଦାର ନିଆଁପରି
ବାପାଙ୍କ ପରମାୟୁ !

ଠଣାରେ ରହିଗଲା !
ଷଠୀଘର କଉଡ଼ି
ଚାଳରେ ଖୋସି ହେଇଗଲା ବେତ, ଶାସନ
ମାଟିକାନ୍ଥ ଧସିଗଲା ଆଈମା’ର ଆଶାରେ
ବାରିକବାଟ କିଳିଦେଲା
ଗାଁରେ ରହି ଜଗତକୁ ଜାଣିବାର କଥା
କୋଠାପିଣ୍ଢାରେ ବସି, ମୁଁ
ଏବେ ଭୋଗୁଚି
ମାଟିଘରର ବ୍ୟଥା
ମୋ ହଜିଲା ଦିନର ଦଶା !

ଲୋକପ୍ରିୟ ଲେଖା

To Top