କବିତା

ମିଳନ

Ramakant Mishra's odia poem Milana

ମିଳନ ପ୍ରଥମ ସୋପାନ –
ସମାଜରେ ବଞ୍ଚିବା ପାଇଁ
ଗୋଷ୍ଠିରେ ମିଶିବା ପାଇଁ !

ମିଳନ

ମିଳନ ସୃଷ୍ଟିର ପ୍ରଥମ ପ୍ରକ୍ରିୟା
ମିଳନ ନୂତନର ଆଗମାନୀ ବାର୍ତ୍ତା
ମିଳନ ବିଚ୍ଛେଦର ପୂର୍ବାଭାସ
ମିଳନ ସୃଷ୍ଟିକରେ ହର୍ଷର ଉଲ୍ଲାସ
ମିଳନ ଦେଇଥାଏ କେତେକଙ୍କୁ ଆନନ୍ଦ
ମିଳନ ସୃଷ୍ଟି କରେ କେତେକଙ୍କ ଗାତ୍ରଦାହ
ମିଳନ ବିଚ୍ଛେଦ ପରେ ହୁଏ କେତେ ମଧୁମୟ
ମିଳନ ପୁଣି ହେଲେ ବାରମ୍ବାର ତୁଠ ପଥର
ମିଳନ କିନ୍ତୁ ଅତି ଆବଶ୍ୟକ
ମିଳନ ବିନା ମଣିଷ ଏକକ ।
ମିଳନ ପ୍ରଥମ ସୋପାନ –
ସମାଜରେ ବଞ୍ଚିବା ପାଇଁ
ଗୋଷ୍ଠିରେ ମିଶିବା ପାଇଁ !
ବରଷକେ ଥରେ ଆସିଛି ବିଷୁବ ମିଳନ
ପଣା ପିଇ ଉଲ୍ଲସିତ ହୋଇ
ଦୂରେଇଦେଇ ସବୁ ସ୍ୱାର୍ଥର ପ୍ରତୀକ
ମନରେ ମିଳାଇ ମନକୁ
ଆନନ୍ଦିତ ହୋଇ ବାଣୀ ପ୍ରକାଶିବା ଆସ

ଚାହିଁ ଦେଖ ପ୍ରକୃତିକୁ ଥରେ
ଭିନ୍ନ ଭିନ୍ନ ରୃତୁ ଆଗମନେ
ଫୁଟେ ଫୁଲ ବିବିଧ ବର୍ଣ୍ଣର
ଫଳେ ଫଳ ବିବିଧ ସ୍ୱାଦର
କଅଁଳେ ପତ୍ର ବିବିଧ ଆକାରର
କିନ୍ତୁ ବାଟିକାର ମଧ୍ୟେ କିମ୍ବା
କେଉଁ ଅରଣ୍ୟର ସୁଦୂର କୋଣରେ
ହୋଇଥାଏ ଯେତେବେଳେ
ସବୁର ଏକତ୍ର ମିଳନ
ସେ ମିଳନ କେତେ ସୁନ୍ଦର ସତେ !
ଅନୁଭବ ଅଛି କିଛି ବନ୍ଧୁ ସେ ମିଳନ ଦେଖିବାର ?
ହୋଇଛି କି ସୌଭାଗ୍ୟ କେବେ
ସେ ସୁନ୍ଦର ମିଳନ ସମାବେଶ ଦେଖିବାର ?
ଲତା ଗୁଳ୍ମ ହୋଇ ପଲ୍ଲବିତ
ଲଟିଯାଏ ଯେବେ ମହାଦ୍ରୁମ ବକ୍ଷ ଦେଶେ
ଦେଖିଛକି କେବେ ଶୋଭା ତାର ?
ସୃଷ୍ଟିକର୍ତ୍ତାଙ୍କର ବିଚିତ୍ର ପ୍ରକୃତି ମଧ୍ୟେ
ମିଳନ ଯତ୍ର, ତତ୍ର, ସର୍ବତ୍ର !
ଖାଲି ଆଖି ଥିଲେ ଦେଖି ହୁଏ ନାହିଁ
ସେଥିପାଇଁ ଲୋଡ଼ା ଅନ୍ତର ନିର୍ଦ୍ଦେଶ ।

ମିଳନ ପକ୍ଷୀ ସମାଜର ଦେଖିଛକି କେବେ ?
ବଗ ଦଳ ମାଳାକାରେ ଆକାଶରେ
ତାର ବିଞ୍ଚି ଉଡିଯାନ୍ତି ଯେବେ
ଝରି ଆସେ କି ସୁଷମା
ସେ ମିଳନର ନାହିଁ ପଟାନ୍ତର ।
ମିଳନ ପଶୁ ସମାଜରେ
ଏଠାରେ ସେଠାରେ, ଘରେ ଓ ବାହାରେ
ପର୍ବତ କନ୍ଦରେ, ଅରଣ୍ୟ ଅରଣ୍ୟାନିରେ
ଏକା ଦୃଶ୍ୟ, ଏକା ଭାବ
ନାହିଁ କିଛି ଭେଦା ଭେଦ
ଆଧୁନିକ ମାନବ କେବଳ ବିବିଧତାର
ସ୍ୱାଦ ପାଇଁ ଗଢ଼ିଛି “ନନ୍ଦନ କାନନ” ।

ଦେଖିଛକି କେବେ ବନ୍ଧୁ !
ପୂର୍ଣ୍ଣିମା ଦିନର ସେ ଅପରୂପ ଛବି
ମିଳନ ଅସ୍ତଗାମୀ ସୂର୍ଯ୍ୟ ଆଉ
ଉଇଁ ଆସୁ ଥିବା ଚନ୍ଦ୍ରଙ୍କର ?
ଦେଖିଛକି କେବେ ବସି ଏକାନ୍ତରେ
ମିଳନ ରକ୍ତ ବର୍ଣ୍ଣ ସୂର୍ଯ୍ୟ ଆଉ
ପୃଥିବୀର ଚକ୍ରବାଳ କୋଳେ
ଛବି ତାର ନିରେଖି ଗଗନେ
ପ୍ରତିଛବି ଦେଖିଛକି କେବେ
ସାଗର କିମ୍ବା ଜଳାଶୟ ମଧ୍ୟେ ?
ପ୍ରତ୍ୟୁଷର ମାହେନ୍ଦ୍ର ମୁହୂର୍ତ୍ତେ
ପକ୍ଷୀଙ୍କର କୋଳାହଳ,
ଝରଣାର କଳନାଦ,
ପତ୍ରର ମର୍ମର ଆଉ ମଧୁପର ଗୁଞ୍ଜନରେ
ମିଳନ ହୁଏ ଯେବେ ବାଳ ସୂର୍ଯ୍ୟଙ୍କର
ପିତ ଲୋହିତ ରଙ୍ଗର ସମାବେଶ
ସେ ମିଳନ ଆଙ୍କିଛ କି କେବେ
ଅନ୍ତରର ସୁଦୂର ଅନୁକୋଣେ ?
ହାତ ଅଙ୍କା ଛବି କେବେ
ସମାନ କି ହେବ, ସେ ଅନୁଭୂତି ସଙ୍ଗେ ?
ତେଜୀୟାନ ଶୁକ ତାରା ଲୁଚିଯାଏ
ବାଳ ସୂର୍ଯ୍ୟଙ୍କର କିରଣ ଜ୍ୱାଳାରେ
ସେ ମିଳନ କେତେ ଭୟାବହ
ଯାହା ବିଚ୍ଛେଦ କରେ ଏକକୁ ଅନ୍ୟ ଠାରୁ
ସେ ମିଳନର ନାହିଁ କିଛି ପଟାନ୍ତର ।

ମିଳନ ସୃଷ୍ଟିକର୍ତ୍ତା ଆଉ ଅକିଞ୍ଚନ ମଣିଷର
ଦ୍ୱାର ଖୋଲିଦିଏ ମହାନତା ଆଉ ସୌହାର୍ଦ୍ୟର
ମିଳନ ଯଦି ଚାହଁ ବିଶ୍ୱକର୍ତ୍ତାଙ୍କର
ମିଳାଇ ଦେଖ ଅନ୍ତରକୁ –
ତାଙ୍କ ଗଢା ମଣିଷଙ୍କ ମଧ୍ୟେ ।
ବରଷକେ ଥରେ ମିଳିବା ପାଇଁ
ମହା ବାହୁ ଟେକି ଜଗତର ନାଥ
ଉଭା ହୁଅନ୍ତି ବଡ ଦାଣ୍ଡ ମଧ୍ୟେ
ହୋଇ ଧୂଳି ଧୂସରିତ ।
ତେଜି ରତ୍ନ ସିଂହାସନ
ନନ୍ଦିଘୋଷ ରଥ ଉପରେ ବିଜେ ହୋଇ
କରିବାକୁ ଜଗତ କଲ୍ୟାଣ –
ଆର୍ତ୍ତତ୍ରାଣ କରିବାକୁ ପ୍ରଭୁ ଦିଅନ୍ତି ଦର୍ଶନ
ସେ ମିଳନ ଅଗଣିତ ଜନ ଗଣଙ୍କର
ପ୍ରଚାରିତ କରିଥାଏ ବାର୍ତ୍ତା ଏକ –
ମଣିଷ ସମାଜେ ମଣିଷ ପରି ରହିବାକୁ ହେଲେ
ମିଳନ ବ୍ୟତୀତ ନାହିଁ କିଛି ଅନ୍ୟ ବିକଳ୍ପ
ଦେବତା ହେଲେବି ମର୍ତ୍ତ୍ୟ ମଣ୍ଡଳେ ମରିବ
କିନ୍ତୁ ନିଜ ଗୁଣ ବଳେ ଚିରପୂଜ୍ୟ ହେବ ।

କିନ୍ତୁ ଆଜିର ମଣିଷ –
ଜାଣି ମଧ୍ୟ ଜାଣିଲାନାହିଁ,
ଚିହ୍ନି ମଧ୍ୟ ଚିହ୍ନି ପାରିଲା ନାହିଁ,
ବୁଝି ମଧ୍ୟ ବୁଝି ପାରିଲା ନାହିଁ
ଏ ସଂସାରେ ମିଳନର ମହାତ୍ମ୍ୟ
ଦେଇ ଏକ ବିକଟ ମସ୍ତିଷ୍କ
ସୃଷ୍ଟିକର୍ତ୍ତା ଭିନ୍ନ କରିଦେଲେ
ମଣିଷ କୁ ମଣିଷ ଠାରୁ
ମିଳନ ମଣିଷ ଓ ମଣିଷ ର
ନୁହେଁ ଏକ ଉଲ୍ଲାସ ର ବସ୍ତୁ
ଶେଷ ପରିଣତି ତାର ବଡ଼ ଉତ୍କଟ
ବିଧିକର୍ତ୍ତାଙ୍କର ମଣିଷ ମାନଙ୍କୁ
ଏହାହିଁ ନିର୍ଦ୍ଦେଶ !!!

ଲୋକପ୍ରିୟ ଲେଖା

To Top