କବିତା

ମୋ ଛବି

ଓଡ଼ିଆ ଲେଖକ ଶ୍ରୀ ବ୍ରଜେନ୍ଦ୍ର ନାୟକ

ସ୍ମିତହାସ୍ୟଟିଏ ଫୁଟି ଉଠିଥିଲା ମୋ ମୁହଁରେ
ଛବିଟା ବି ଜୀବନ୍ତ ହୋଇ ଉଠିଥିଲା
ସେ ଆଖିର ଚମକରେ ଚମକି ଯାଉଥିଲା ଛବିଟା
ଆସ୍ତେ ଆସ୍ତେ ମୁଁ ଆଉ ଛବିଟାକୁ ଅନେଇଲିନି

ମୋ ଛବି

ମୋ ସାମ୍ନାରେ ମୋ ଛବି
କଳାଧଳା ଯୁଗରେ ଉଠା ହୋଇଥିବା
କାଚ ଫ୍ରେମରେ ବନ୍ଧାଇ
କାନ୍ଥରେ କଣ୍ଟା ବାଡ଼େଇ ନିଜ ହାତରେ ଝୁଲେଇଥିବା ଛବି
ମୋର ବେଶ୍ ମନେଅଛି
ସେଇ ଛବିଟା ଉଠାଇଲା ସମୟରେ
ସ୍ମିତହାସ୍ୟଟିଏ ଫୁଟି ଉଠିଥିଲା ମୋ ମୁହଁରେ
ଛବିଟା ବି ଜୀବନ୍ତ ହୋଇ ଉଠିଥିଲା
ସେ ଆଖିର ଚମକରେ ଚମକି ଯାଉଥିଲା ଛବିଟା
ଆସ୍ତେ ଆସ୍ତେ ମୁଁ ଆଉ ଛବିଟାକୁ ଅନେଇଲିନି
କଳାଧଳା ଯୁଗରୁ ରଙ୍ଗୀନ୍ ଯୁଗ ଆଡ଼କୁ ମୁହାଁଇଲି ମୁଁ,
ନୂଆ ନୂଆ ଛବି ଉଠାଇଲି
ଛବି ରଙ୍ଗୀନ୍ – ମନ ରଙ୍ଗୀନ୍ – ଦୁନିଆ ରଙ୍ଗୀନ୍…….
ରଙ୍ଗ ଏତେ ବୋଳି ହୋଇଗଲା ଯେ
ମୋ ଚେହେରା ଆଉ ଦିଶିଲାନି
ଦିଶିଲା ଖାଲି ରଙ୍ଗ ରଙ୍ଗ ଆଉ ରଙ୍ଗ
କଳାଧଳ ଆଉ ଦିଶୁ ନ ଥିଲେ
ଆଖି-କାନ-ନାକ-ଓଠ କିଛି ଦିଶୁ ନ ଥିଲେ

ଦିଶୁଥିଲେ ଖାଲି ରଙ୍ଗ ଆଉ ରଙ୍ଗ
ମୁଁ ଗର୍ବରେ ଫାଟିପଡ଼ୁଥିଲି
ବୋଳି ହୋଇଥିବା ରଙ୍ଗକୁ ନେଇ…….!
ହଠାତ୍ କେବେ ମୋ ଆଖିଟା
ପୁଣି ସେଇ ଛବି ଉପରେ ପଡ଼ିଲା
ଆରେ – ଏ କଣ ?
ଓଠର ସେ ସ୍ମିତ ହାସ୍ୟ ଟା କାହିଁ ?
ଓଠ କଣ ବଙ୍କା ହୋଇ ଯାଇଛି !
ଆଖିର ସେ ଚମକ କାହିଁ ?
“ଗ୍ଳାନି”ରେ ଭରି ଉଠିଛି ସେ –
କ୍ରୋଧରେ ଜର୍ଜରିତ ହୋଇ ଉଠିଛି –
ଓଦା ଓଦା ଲାଗୁଛି ଆଖିଟା ସତେ
ଛବିର ଆଖିରେ ଲୁହ?
ଲୁହରେ ଭିଜି ଛବିଟା ନଷ୍ଟ ହେବା ଆଗରୁ
ପୋଛି ଦେବି କି ?
ମୁଁ ହାତ ବଢେଇଲି
ସିଏ ମୁହଁ ମୋଡ଼ିଦେଲା
ହୁଏତ ମୋର ରଙ୍ଗବୋଳା ହାତକୁ ଅନେଇ !

ଲୋକପ୍ରିୟ ଲେଖା

To Top