ନଇ ସେପଟେ ଉଏଁ ସୂରୁଜ
ଆକାଶ ବୁକେ ବୁଣେ ମୁରୁଜ
ନଡ଼ିଆ ତାଳ ବାହୁଙ୍ଗା ତଳେ
ବଇଚଢେ଼ଇ ବସାରେ ଖେଳେ
ଛୁଆ ତା’ ଥାଏ ଚାହିଁ
ସେହି ମୋ ଗାଁ ଭୂଇଁ !
ବଡ଼ିସକାଳୁ ନୂଆ ବୋହୂଟି
ସାରି ଘରର ବାସି ପାଇଟି
ଲିପେ ଚଉରା ପୂଜେ ତୁଳସୀ
ପରିବାରର ଶୁଭ ମନାସୀ
ବୁନ୍ଦାବତୀକୁ ଧ୍ୟାୟୀ
ସେହି ମୋ ଗାଁ ଭୂଇଁ
ଫୁଟଇ ଫୁଲ ଭଳିକି ଭଳି
ପରଜାପତି ହୁଅନ୍ତି ମେଳି
ଚଢେ଼ଇ ପାଏ ଗଛର ଡାଳେ
ଖେଳଇ ଶିଶୁ ମାଆର କୋଳେ
ମା’ ସେନେହ ପାଇ
ସେହି ମୋ ଗାଁ ଭୂମି
ଆଷାଢ଼ ମାସେ ଲାଗଇ ଝଡ଼ି
ଶ୍ରାବଣ ଆସେ ନଈରେ ବଢ଼ି
ଶରତ ସଞ୍ଜେ ଶେଫାଳୀ ଫୁଟେ
ବସନ୍ତେ ବୃକ୍ଷ ପଲ୍ଲହୀ ଉଠେ
ଚଇତି ଯାଏ ବହି
ସେହି ମୋ ଗାଁ ଭୂଇଁ !
ସବୁଜ କ୍ଷେତ ସୁନା ଫସଲ
ଟିକି ପାହାଡ଼ ବଣ ଜଙ୍ଗଲ
ଗାଁ କୁ ଛୁଇଁ ବାଘୁଣୀ ନଈ
ଧିରି ମନ୍ଥରେ ଯାଇ ବହି
ରହେନି କାହା ପାଇଁ
ସେହି ମୋ ଗାଁ ଭୂଇଁ
ଜନ୍ମ ଯେତେ ଜୋଛନା ଢାଳେ
ବିଛୁରି ପଡେ଼ ସରସୀ ଜଳେ
ଲାଜେଇ ଯାଏ ଅଳସୀ କଇଁ
ଉଛୁଳି ଉଠେ ପରଶ ପାଇ
ଜହ୍ନକୁ ରହେ ଚାହିଁ
ସେହି ମୋ ଗାଁ ଭୂଇଁ !
ମାଟି ଯାହାର ଅଟେ ଚନ୍ଦନ
ମଧୁର ଯା’ର ସଞ୍ଜ ପବନ
ସଭିଏଁ ସେଠି ମୋ ଆପଣାର
ଅଛି ସେଠାରେ ମୋ ଟିକିଘର
ତା’ ଠୁ ବଡ଼ କେ ନାହିଁ
ସେହି ମୋ ଗାଁ ଭୂଇଁ !