କବିତା

ମୋ ଅନୁଭୂତି ରେ ମୋ ଜଗା, ମୋ ସଖା

Paramita Mishra's odia poem Mon Anubhutire Mo Jagaa Mo Sakhaa

ମନେ ମନେ,
ରହି ରହି,
ବାରମ୍ବାର ଗୋଟେ କଥା ଆସେ
ମୁଁ ତୋର ଆପଣାର
ଅତି ଆପଣାର,
ମତେ କାଇଁ ଛନ୍ଦିଲୁ ତୁ
ଆଉ କାହା ହାତେ ।

ମୋ ଅନୁଭୂତି ରେ ମୋ ଜଗା, ମୋ ସଖା

ରୁକ୍ଷ ପାଞ୍ଜଣ କୁ କେତେ ମନାକଲି
ବାଜନା, ବାଜନା ତୁ
ତା ନା ରେ
ଅଲାଜୁକି ଚୁଡି ମୋର କି ଶୁଣୁଛି,
କାଇଁ ତୁଚ୍ଛାଟାରେ ଡାକୁଛନ୍ତି ତାକୁ
ଚାହିଲାନି ଯେ ମତେ
ଟେରେଇ ଥରେ ।

କାହା ଭରସାରେ
ଦେଲା ମତେ ଟେକି,
ଅଜଣା, ଅଶୁଣା
ଦେଖିନି ମୁଁ ଯା ମୁହଁ ଥରେ
ଚାହିଁଥିଲେ ସେ
କଣ ପାରନ୍ତାନି ରୋକି ।

ମନେ ମନେ,
ରହି ରହି,
ବାରମ୍ବାର ଗୋଟେ କଥା ଆସେ
ମୁଁ ତୋର ଆପଣାର
ଅତି ଆପଣାର,
ମତେ କାଇଁ ଛନ୍ଦିଲୁ ତୁ
ଆଉ କାହା ହାତେ ।

ହସ୍ତଗଣ୍ଠିର କିଛି କ୍ଷଣ ଉତ୍ତାରୁ
କିଛି ଦିନର ସେ ସମ୍ପର୍କ
ଚିହ୍ନା ଅଚିହ୍ନାର ଦ୍ଵନ୍ଦରେ
ଆସିଗଲା ତୋ ରଥଯାତ ।

ସମୟ ର ହାଟରେ,
ମୁଁ ଥିଲି ବଡଦାଣ୍ଡରେ,
ତୁ ବସିଥିଲୁ ରଥରେ ।

ମୁଁ ତତେ ଚାହିଁଥିଲି,
ଏକବାରେ, ନିର୍ବିକାରେ
ନିର୍ଝରିଣୀ ଝରଣା ଅଶ୍ରୁରେ
ହଁ ଅଭିମାନିନୀ ମୁଁ
ହୃଦୟେ ମୋ ଆଘାତ,
କିନ୍ତୁ ସେଦିନ
କେହି ପୋଛିନେଲା ମୋ ଲୁହ ତକ ।
ତାଙ୍କ ହାତ ଥିଲା ମୋ ହାତରେ
ଲକ୍ଷ ଲକ୍ଷ ଜନ ସମୁଦ୍ର ମଝିରେ
ସେ କେବଳ ମୋର ଥିଲେ ।

ମୁଁ ଚାହିଁଲି ତୁ ରଥରେ,
ମୁଁ ଚାହିଁଲି ତୁ ମୋ ପାଖରେ ।
ମୁଁ ଧରିଛି ରଥ ଦଉଡି
ତୁ ଧରିଛୁ ମୋ ହାତକୁ ଭିଡି ।
ମୁଁ ବୁଝିଲି ତୋ ମାୟା କୁ
ତୁ ପୋଛୁଚୁ ମୋ ଲୁହକୁ ।

ସେ ନୁହେଁ ଆଉ କେହି
ତୁ ହିଁ ଆସିଛୁ ମୋ ଜଗା
ତୁ ହିଁ ସାଜିଛୁ ମୋ ସଖା,
ମୋ ଚକାଆଖି
ମୋ ପାଇଁ ସାଜିଛି ମୋ ଜୀବନସାଥି ।

ଲୋକପ୍ରିୟ ଲେଖା

To Top