କବିତା

ମୁଁ ବିମୁଗ୍ଧ ନିରବ ସଂଳାପ

Manjurani Mishra's odia poem Mun Bimugdha Nirab Sanlaap

ଭିଜାମାଟି ଗନ୍ଧ
ମୁଠା ମୁଠା ଫୁଲର ଚୁମ୍ୱନ
କିନ୍ତୁ ଅପରାହ୍ନ ଭେଟିଦେଲା
ଓଦା ଓଦା ନିସଙ୍ଗ କାରୁଣ୍ୟ

ମୁଁ ବିମୁଗ୍ଧ ନିରବ ସଂଳାପ

ଅଂଶୁମାନ ସକାଳକୁ ମୁଁ ମାଗିଥିଲି ଫରୁଆଏ
ଆଲୁଅ
ମେଘର ପଣତ ଲିଭାଇ ଦେଲା
କବିତାର ସବୁ ଶବ୍ଦ
ଆଲୁଅ ଫରୁଆ ହଜିଲା
ସାତ ତାଳ ପାଣି ତଳେ
ମଧ୍ୟାହ୍ନକୁ ମାଗିଲି ସୁଶୀତଳ ଶଯ୍ୟାଟିଏ
କିନ୍ତୁ ମଧ୍ୟାହ୍ନର ହାତ ପାପୁଲିରେ
ମୋ ପାଇଁ ଉପହାର
ଝରାଫୁଲ ରକ୍ତ ପଳାଶର
ଅପରାହ୍ନ ଆକାଶେ ଖୋଜିଲି
ଇନ୍ଦ୍ରଧନୁ ଛବିଟିଏ
ଭିଜାମାଟି ଗନ୍ଧ
ମୁଠା ମୁଠା ଫୁଲର ଚୁମ୍ୱନ
କିନ୍ତୁ ଅପରାହ୍ନ ଭେଟିଦେଲା
ଓଦା ଓଦା ନିସଙ୍ଗ କାରୁଣ୍ୟ
ସନ୍ଧ୍ୟାକୁ ମାଗିଲି
ଜହ୍ନର ଲାବଣ୍ୟ ଟିକେ
ଗବାକ୍ଷ ଫାଙ୍କରେ ନୂତନ କାକଳୀ
ରୂପେଲି ନଦୀର ଚୁନା ଚୁନା ଢେଉ

ସେ ନଦୀରେ ସ୍ନାନ ସାରି
ଲେଖିଦେବି ମୋ ମନର
ପ୍ରଥମ ଚିଟାଉ
ମୁଁ ଡାକିଲି ଆଗୋ
ପ୍ରିୟ ସଖୀ
କିନ୍ତୁ ସନ୍ଧ୍ୟା ଦୂରେ ଚାଲିଗଲା
ଫୁଲର ସୁରଭି କବରୀରେ ମାଖି
ଆଉ ଶର୍ବରୀର ନିବିଡ଼ ଚୁମ୍ୱନେ
ମୁଁ ହଜିଲି ତୃପ୍ତିର ସାଗର କୋଳେ
ଶକ୍ତିରୁ ମୁଁ ପାଲଟିଲି ମୁକ୍ତା
ମୁଁ ହେଲି ଉନ୍ମୁକ୍ତା
ଶାନ୍ତା ସୁଚିସ୍ମିତା
ସ୍ତର ସ୍ତର ଅନ୍ଧାରର
ଆସ୍ତରଣ ତଳେ
ମୁଁ କ୍ରମଶଃ
ଦୃଶ୍ୟରୁ ଅଦୃଶ୍ୟ
ରୂପରୁ ଅରୂପ
ମୁଁ ବିମୁଗ୍ଧ ନିରବ ସଂଳାପ
ମୁଁ ବିମୁଗ୍ଧ ନିରବ ସଂଳାପ ।

ଲୋକପ୍ରିୟ ଲେଖା

To Top